ବାଲିପାଟଣା,୧ \୯ (ପୂର୍ଣ୍ଣଚନ୍ଦ୍ର ଜେନା) :ବିପଦରେ ଶ୍ରୀବୁଦ୍ଧନାଥ ଦେବଙ୍କ ମନ୍ଦିର । ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକରେ ରହିଛି ୧୨ଶ ଶତାବ୍ଦୀର ଏହି ଶୈବପୀଠ । ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ଆବଶ୍ୟକ ଯତ୍ନ ନିଆଯାଉନାହିଁ ।
ଫଳରେ ବହୁ ପ୍ରାଚୀନ ଏହି ମନ୍ଦିରଟି ପ୍ରତି ଏବେ ବିପଦ ଆଶଙ୍କା ସୃଷ୍ଟି ହୋଇଛି ।
Rice ATM Odisha : ଢେଙ୍କାନାଳରେ ତୃତୀୟ ଚାଉଳ ଏଟିଏମ୍,ଉଦଘାଟନ କଲେ ଯୋଗାଣ ମନ୍ତ୍ରୀ
ମନ୍ଦିର ଦଧିନଉତି ଅଗ୍ରରେ ଲାଗିଥିବା କଳସରେ ଫାଟ ସୃଷ୍ଟି ହେବା ସହିତ ବର୍ଷା ହେଲେ ମନ୍ଦିର ଗର୍ଭଗୃହରେ ପାଣି ଗଳୁଛି । ମନ୍ଦିର ପରିସରରେ ଥିବା ଅତିଥି ଭବନ, ମନ୍ଦିର ପ୍ରାଙ୍ଗଣ ମଣ୍ଡପରେ ଥିବା କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଲାଣି । ମନ୍ଦିର ପରିସର ବଣଜଙ୍ଗଲରେ ଭର୍ତ୍ତି ହୋଇଛି । ଏପଟେ ମନ୍ଦିର ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାରେ ଅଟକିଛି । ଏନେଇ ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ସୋମବାର ବାଲିପାଟଣା ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଚ୍ଚନା ନାୟକ ଓ ଯନ୍ତ୍ରୀ ବର୍ଷା ମଲ୍ଲିକ ମନ୍ଦିର ପରିଦର୍ଶନ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ବାଲିପାଟଣା ବ୍ଲକର ଗାରେଡ଼ିପାଞ୍ଚଣ ଗ୍ରାମରେ ରହିଛି ଏହି ପ୍ରାଚୀନ ଶୈବପୀଠ ଶ୍ରୀବୁଦ୍ଧନାଥ ଦେବଙ୍କ ଭବ୍ୟ ମନ୍ଦିର । ଐତିହାସିକଙ୍କ ମତରେ ଗଙ୍ଗ ବଂଶ ରାଜତ୍ୱ ସମୟରେ ଗଜପତି ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଏହି ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ନିର୍ମିତ ହୋଇଥିଲା । କିମ୍ବଦନ୍ତୀ କୁହେ ଓଡ଼ିଶାରେ ଗଜପତି ମୁକୁନ୍ଦଦେବଙ୍କ ରାଜତ୍ୱ ସମୟରେ ଯବନ ସେନାପତି କଳାପାହାଡ ଆକ୍ରମଣରେ ଅନେକ ହିନ୍ଦୁ ମନ୍ଦିର ଭାଙ୍ଗିରୁଜି ଯାଇଥିଲା । ତନ୍ମଧ୍ୟରୁ ବୁଦ୍ଧନାଥ ମନ୍ଦିର ଅନ୍ୟତମ । ପରବର୍ତ୍ତୀ ସମୟରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ସହଯୋଗରେ ଭଗ୍ନ ମନ୍ଦିରର ପୁନଃ ନିର୍ମାଣ ହୋଇଥିଲା । ମନ୍ଦିର ଚାରିପାଖରେ ପାଚେରି ପୁନଃନିର୍ମାଣ ସହିତ ପଛପଟେ ଥିବା ୧୨ଏକର ପରିମିତ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିଲା ବିଭାଗ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଉତ୍ତରା-ନିମାପଡା ରାସ୍ତା କଡରେ ଏକ ସୁଉଚ୍ଚ ତୋରଣ ନିର୍ମାଣ କରାଯାଇଛି । ମନ୍ଦିର ପରିସରରେ ବିକ୍ଷୀପ୍ତ ହୋଇ ପଡ଼ିଥିବା ଭଗ୍ନ ମୂର୍ତ୍ତି ସବୁକୁ ଏକାଠି କରି ମନ୍ଦିର ପରିସରରେ ଏକ ଛୋଟ ମଣ୍ଡପ ନିର୍ମାଣ କରି ଖୋଲା ଆକାଶ ତଳେ ରଖାଯାଇଛି ।
ଶ୍ୱଶୁର ଘରେ ପ୍ରଜାକୋର୍ଟରେ ଜ୍ୱାଇଁଙ୍କୁ ଦଣ୍ଡ, ବେକରେ ଜୋତାମାଳ ଓ ମୁଣ୍ଡରେ ରଙ୍ଗବୋଳି ଗାଁ ଦାଣ୍ଡରେ ବୁଲିଲେ...
ମନ୍ଦିର ଆଗରେ ଏକ ଯାତ୍ରୀ ନିବାସ ମଧ୍ୟ ନିର୍ମାଣ ହୋଇଛି । ମାତ୍ରା ତାହା ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହେଉଛି । ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣ କାମ ଅଧପନ୍ତରିଆ ରହିଛି । ବଡ଼ ସମସ୍ୟା ହେଉଛି ନୂତନ ଭାବରେ ତିଆରି ମନ୍ଦିରର ଦଧିନଉତି ଉପରେ ବସିଥିବା କଳସରେ ଫାଟ ସୃଷ୍ଟି ହେବା । ପ୍ରାୟ ୫ଫୁଟ ଲମ୍ବ, ୪ଫୁଟ ଓସାରର ଏହି ବିରାଟ ପଥର କଳସ, ଯାହାର ଓଜନ ଆନୁମାନିକ ୩ଟନରୁ ଅଧିକ ହେବ । ଯଦି କୌଣସି କାରଣରୁ ଏହା ଭାଙ୍ଗି ଖସିପଡ଼େ ତେବେ କ'ଣ ଯେ ଘଟିବ ଭାବିଲେ ଡରଲାଗୁଛି ।

ଏସମ୍ପର୍କରେ ମନ୍ଦିର ଟ୍ରଷ୍ଟି ଓ ବଡ଼ପଣ୍ଡା ଚନ୍ଦ୍ରଶେଖର ପଣ୍ଡା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି । ଗତ କିଛିଦିନ ହେବ ଲଗାଣ ବର୍ଷା ଫଳରେ ମନ୍ଦିର ଗର୍ଭଗୃହ ଓ ମୁଖଶାଳାରୁ ନିୟମିତ ପାଣି ଗଳିବା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି । ସ୍ଥାନୀୟ ଲୋକେ ମନ୍ଦିରର ଉନ୍ନତୀକରଣ ବିଶେଷକରି ଭୋଜନ ମଣ୍ଡପ, ଦୀପ ଷ୍ଟାଣ୍ଡ, ଅପେକ୍ଷା କକ୍ଷ, ପର୍ଯ୍ୟଟକଙ୍କ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ଓ ପୋଖରୀର ସୌନ୍ଦର୍ଯ୍ୟକରଣ ସହିତ ମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ରରେ ମାନ୍ୟତା ଦେବାକୁ ବ୍ଲକ ପ୍ରଶାସନ ନିକଟରେ ଦାବି କରିଥିଲେ ।
ସେହି ଅନୁଯାୟୀ, ବିଡିଓଙ୍କ ସହିତ ସହକାରୀ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ମନ୍ଦିର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମନ୍ଦିର ଟ୍ରଷ୍ଟର ମିଲୁ ପଣ୍ଡା, ସୁନୀଲ କୁମାର ପଣ୍ଡା, ସୁବ୍ରତ କୁମାର ସେନାପତି, ବୁଦ୍ଧିଜୀବୀ ଦିଲ୍ଲୀପ କୁମାର ଓଝା, ରମେଶ ଚନ୍ଦ୍ର ରଥ, ଅଭିମନ୍ୟୁ ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ଗଜେନ୍ଦ୍ର ସେନାପତି ଉପସ୍ଥିତ ଥିଲେ ।

