ନୂଆଦିଲ୍ଲୀ,୦୧/୦୫; ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ଦିନରେ ଭାରତର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖି ଆସିଥିବା ସଂସ୍ଥା ସିଇଇଡବ୍ଲ୍ୟୁ (କାଇନସିଲ୍ ଫର୍ ଏନର୍ଜି, ଏନଭାର୍ଣ୍ଣମେଣ୍ଟ ଆଣ୍ଡ ୱାଟର ) ଏହାକୁ ନେଇ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ଆଗାମୀ ଦିନରେ ଗରମ ଦିନ ସଂଖ୍ୟା ବୃଦ୍ଧି ପାଇବ ।
ରିପୋର୍ଟ ଅନୁସାରେ ଆସନ୍ତା ୨୦ ବର୍ଷରେ ପ୍ରତିବର୍ଷ ୧୫ ରୁ ୨୦ ଦିନ ଅତିରିକ୍ତ ଏଭଳି ଦିନ ରହିବ ଯାହାର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଗରମ ଦିନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ତାର ପ୍ରଭାବ ମଣିଷର ଶରୀର ଉପରେ ପଡ଼ିବ । ଏଥି ସହ ଦେଶ ୨୮୨ ଡାଟା ସେଣ୍ଟରର ଖର୍ଚ୍ଚ ବି ବଢିବ । ତାର କାରଣ ହେଉଛି ଏହି ସେଣ୍ଟରକୁ ଥଣ୍ଡା ରଖିବା ପାଇଁ ପାଣିର ଆବଶ୍ୟକତା ପଡିବ । ଏହି ରିପୋର୍ଟ କ୍ରାଭିସ୍ (କ୍ଲାଇମେଣ୍ଟ ଆନାଲିଟିକ୍ସ ଆଣ୍ଡ ଭିଜୁଆଲାଇଜେସନ ଇଣ୍ଟେଲିଜେନ୍ସ ସିଷ୍ଟମ)ର ତଥ୍ୟ ଉପରେ ଆଧାରିତ । ଏହି ସଂସ୍ଥା ହେଉଛି ଏଆଇ ପରିଚାଳିତ ଏକ ପ୍ଲାଟଫର୍ମ । ଭାରତୀୟ ପାଣିପାଗ ବିଭାଗ ସମେତ ୪୦ଟି ସଂସ୍ଥାର ଡାଟା ସମୀକ୍ଷା କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ସିଇଇଡବ୍ଲୁ ରିପୋର୍ଟ ଅନୁସାରେ କେବଳ ଦିନରେ ନୁହେଁ, ରାତିରେ ବି ଗରମ ଦିନ ସଂଖ୍ୟା ବଢିବ । ଦେଶର ଅନେକ ଅଞ୍ଚଳରେ ରାତିର ଗରମ ଦିନ ସଂଖ୍ୟା ୨୦ରୁ ୪୦ ଦିନ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟାସେବାରେ ପଡିବ । ଆଗାମୀ ଦିନରେ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ଗରମ କିମ୍ବା ବର୍ଷା ହେବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ...Weather Update : ଅସହ୍ୟ ତାତିରୁ ଆଶ୍ଵସ୍ତି ଦେଲା କାଳବୈଶାଖୀ, ଆହୁରି ୩ ଡିଗ୍ରୀ ଖସିବ ପାରଦ
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲଗାତାର ଗରମ ପଡିବା ଯୋଗୁଁ ଶରୀର ଥଣ୍ଡା ହେବାର ସୁଯୋଗ ପାଇବ ନାହିଁ । ଏହାଫଳରେ ଅଂଶାଘାତ ଓ ଅନ୍ୟ ସ୍ୱାସ୍ଥ୍ୟ ସଙ୍କଟ ଅଧିକ ଦେଖାଦେବ । ଏହାର ପ୍ରଭାବ କେବଳ ସାଧାରଣ ଲୋକଙ୍କ ଉପରେ ନୁହେଁ, ବରଂ ଦେଶର ଅର୍ଥନୀତି ଉପରେ ପଡିବାର ସମ୍ଭାବନା ରହିଛି ।

