Dailyhunt
ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ, ୭।୪ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେନେଇ ବୈଠକରେ ଆଲୋଚନା କରାଯାଇଛି।

ଏପ୍ରିଲ ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ଏଥି ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଅପରାହ୍ନ ୩ଟା ରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ତେବେ ସମସ୍ତ ନୀତି କାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ମୁଖ୍ୟ ପ୍ରଶାସକ ଲୋଡିଥିଲେ।

ସେହିପରି ଆସନ୍ତା ୧୪ ତାରିଖ ଓଡ଼ିଆ ନବବର୍ଷରେ ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ବ୍ୟବହାର ହେବ। ନୂତନ ରତ୍ନ ପଲଙ୍କର ସଂସ୍କାର କରାଯିବା ପରେ ଏହା ବ୍ୟବହାର କରାଯିବ। ତିନୋଟି ନୂତନ ରତ୍ନ ପଲଙ୍କ ନିର୍ମାଣ କରାଯାଇଥିବା ବେଳେ ଏଥିରେ ରୂପା ଆଚ୍ଛାଦିତ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia