ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ଦୁନିଆରେ ବୟସର କୌଣସି ସୀମା ନଜର ଆସୁ ନାହିଁ, କିନ୍ତୁ ଆଇନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଏହି ଡିଜିଟାଲ୍ ଦୁନିଆରେ ପିଲାମାନଙ୍କୁ କେତେ ସ୍ୱାଧୀନତା ଦିଆଯିବା ଉଚିତ୍ ? ଯେଉଁ ବୟସରେ ପିଲାମାନେ ଖେଳକୁଦ ଏବଂ ପାଠପଢ଼ାରେ ମନ ଦେବା କଥା, ସେହି ବୟସରେ ବହୁ ସଂଖ୍ୟାରେ ପିଲା ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜର ଆକାଉଣ୍ଟ ଖୋଲୁଛନ୍ତି।
ତେବେ କମ୍ ବୟସରୁ ସୋସିଆଲ୍ ମିଡିଆ ବ୍ୟବହାର କରିବା ଯୋଗୁଁ ପିଲାଙ୍କ ଉପରେ କୁପ୍ରଭାବ ପଡ଼ିବାର ସମ୍ଭାବନା ଅଧିକ ରହିଛି। ଏବେ ଏହି ଚିନ୍ତାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିବା ଏକ ପିଟିସନ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରି ଦେଇଛି।
ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ନେଇ ଦାଖଲ ହୋଇଥିବା ପିଟିସନ ଉପରେ ବିଚାର କରି କାରଣ ସହ ନିଷ୍ପତ୍ତି ନେବାକୁ କହିଛନ୍ତି। ଏହି ପିଟିସନରେ ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ରୋକ୍ ଲଗାଇବା ଏବଂ ୧୩ ରୁ ୧୬ ବର୍ଷ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଗାଇଡଲାଇନ୍ସ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା ମୁଖ୍ୟତଃ ସରକାରଙ୍କ ନୀତି ଏବଂ ଆଇନ ପ୍ରଣୟନ ସହ ଜଡ଼ିତ।
କେତେ ପିଲା କରୁଛନ୍ତି ସୋସିଆଲ୍ ମିଡିଆ ବ୍ୟବହାର ?
ଏହି ଦାବିର ଗୁତୁତ୍ତ୍ୱକୁ ବୁଝିବା ପାଇଁ ଗୋଟିଏ ପୁରୁଣା ତଥ୍ୟ ମଧ୍ୟ ଧ୍ୟାନ ଆକର୍ଷଣ କରେ। ୨୦୧୫ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଭାରତରେ ସର୍ଭେରେ ସାମିଲ ୭୭ ପ୍ରତିଶତ ପିଲା ଜଣାଇ ଥିଲେ ଯେ, ସେମାନେ ୧୩ ବର୍ଷ ବୟସ ପୂର୍ବରୁ ଫେସବୁକ୍ ଆକାଉଣ୍ଟ ଖୋଲି ସାରି ଥିଲେ। କେବଳ ସେତିକି ନୁହେଁ, ୮ ରୁ ୧୬ ବର୍ଷ ବୟସର ୮୧ ପ୍ରତିଶତ ପିଲା ସୋସିଆଲ୍ ମିଡିଆରେ ସକ୍ରିୟ ଥିବା ସ୍ୱୀକାର କରିଥିଲେ। ଅଧ୍ୟୟନରୁ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଅନେକ ପିଲା ସୋସିଆଲ୍ ମିଡିଆରେ ନିଜ ଫଟୋ, ଇମେଲ୍, ସ୍କୁଲ୍ ନାମ, ଜନ୍ମ ତାରିଖ ଏବଂ ଫୋନ୍ ନମ୍ବର ଭଳି ବ୍ୟକ୍ତିଗତ ତଥ୍ୟ ସେୟାର କରୁଥିଲେ।
ଅନଲାଇନ୍ ବିପଦରେ ପିଲା
ଅର୍ଥାତ୍ ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବରୁ ସାମ୍ନାକୁ ଆସିଥିବା ଏହି ଚିନ୍ତା ଆଜି ବି ଆଲୋଚନାରେ ରହିଛି, ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟର ବୃଦ୍ଧି ପାଉଥିବା ନିଶା ଯୋଗୁଁ ଏହି ଆହ୍ୱାନ ଆହୁରି ବଡ଼ ହୋଇ ଯାଇଛି। ପିଲାଙ୍କ ଅନଲାଇନ୍ କାର୍ଯ୍ୟକଳାପରେ ବ୍ୟକ୍ତିଗତ ତଥ୍ୟ ସେୟାର କରିବା, ଅଜଣା ଲୋକଙ୍କ ସହ ସମ୍ପର୍କ ସ୍ଥାପନ ଏବଂ ଅନୁଚିତ କଣ୍ଟେଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା ଭଳି ବିପଦ ସାମିଲ ଅଛି। ୨୦୧୫ର ଅଧ୍ୟୟନରେ ୪୪ ପ୍ରତିଶତ ପିଲା କହିଥିଲେ ଯେ ସେମାନେ ଏପରି ବ୍ୟକ୍ତିଙ୍କୁ ଭେଟି ସାରିଛନ୍ତି କିମ୍ବା ଭେଟିବାକୁ ଚାହାଁନ୍ତି, ଯାହାଙ୍କ ସହ ସେମାନଙ୍କର ପ୍ରଥମେ ଅନଲାଇନରେ ଦେଖା ହୋଇଥିଲା।
NCPCR ର ରିପୋର୍ଟରୁ ସାମ୍ନାକୁ ଆସିଲା ସତ
ରାଷ୍ଟ୍ରୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ର ଏକ ଷ୍ଟଡି ଉପରେ ଆଧାରିତ ରିପୋର୍ଟକୁ ଦେଖିଲେ ଏହି ଚିତ୍ର ଆହୁରି ସ୍ପଷ୍ଟ ହୋଇଯାଏ। ଷ୍ଟଡି ଅନୁସାରେ, ୧୦ ବର୍ଷ ବୟସର ପ୍ରାୟ ୩୭.୮ ପ୍ରତିଶତ ପିଲାଙ୍କର ଫେସବୁକ୍ ଆକାଉଣ୍ଟ ଏବଂ ୨୪.୩ ପ୍ରତିଶତ ପିଲା ଇନଷ୍ଟାଗ୍ରାମରେ ଆକ୍ଟିଭ୍ ଅଛନ୍ତି। ଯେତେବେଳେ କି ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଆକାଉଣ୍ଟ ଖୋଲିବାର ସର୍ବନିମ୍ନ ବୟସ ୧୩ ବର୍ଷ। ଅର୍ଥାତ୍ ଅନେକ ଛୋଟ ପିଲା ନିର୍ଦ୍ଧାରିତ ବୟସ ପୂର୍ବରୁ ସୋସିଆଲ୍ ମିଡିଆ ବ୍ୟବହାର କରୁଛନ୍ତି। ଷ୍ଟଡିରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଅଧିକାଂଶ ପିଲା ନିଜ ବାପା-ମା'ଙ୍କ ମୋବାଇଲ୍ ଫୋନରୁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଚଲାଉଛନ୍ତି। ଏହି ଷ୍ଟଡିରେ ୩,୪୯୧ ଜଣ ପିଲା, ୧,୫୩୪ ଜଣ ଅଭିଭାବକ, ୭୮୬ ଜଣ ଶିକ୍ଷକ ଏବଂ ୬୦ଟି ସ୍କୁଲ୍ ସମେତ ମୋଟ ୫,୮୧୧ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା।
ପିଲାଙ୍କୁ ନେଇ ହାଇକୋର୍ଟରେ କ'ଣ ଦାବି କରାଯାଇଛି ?
ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ କେବଳ ବୟସ ସୀମା ନିର୍ଦ୍ଧାରଣ କରିବାକୁ ଦାବି କରାଯାଇ ନାହିଁ, ଏଥିରେ ୧୩ ରୁ ୧୬ ବର୍ଷର ପିଲାଙ୍କ ପାଇଁ ରାତିରେ ସୋସିଆଲ୍ ମିଡିଆ ବ୍ୟବହାର ଉପରେ 'ଓଭରନାଇଟ୍ କର୍ଫ୍ୟୁ', ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ଅନୁଚିତ୍ ଏବଂ ଶୋଷଣକାରୀ କଣ୍ଟେଣ୍ଟ ଉପରେ ରୋକ୍ ପ୍ରତିବନ୍ଧକ ଏବଂ ପ୍ରଚଳିତ ଆଇନଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି କରାଯାଇଛି। ଏଥିମଧ୍ୟରେ IT ଆକ୍ଟ ୨୦୦୦, ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ ଆକ୍ଟ ୨୦୨୩ ଏବଂ POCSO ଆକ୍ଟ ୨୦୧୨ ସାମିଲ ରହିଛି।
ଆହୁରି ମଧ୍ୟ ପଢନ୍ତୁ - ୨୬ତମ SCO ଶିଖର ସମ୍ମିଳନୀ , ଆତଙ୍କବାଦ ଓ ବାଣିଜ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବାର୍ତ୍ତା

