Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଚୀନରେ ରାଷ୍ଟ୍ରପତି ନେଇପାରିବେନି ଯୁଦ୍ଧ ନିଷ୍ପତ୍ତି: ଆମେରିକାରୁ ଭାରତ ପର୍ଯ୍ୟନ୍ତ.କାହାର ଅନୁମତିରେ ଆରମ୍ଭ ହୁଏ ଯୁଦ୍ଧ?

ଚୀନରେ ରାଷ୍ଟ୍ରପତି ନେଇପାରିବେନି ଯୁଦ୍ଧ ନିଷ୍ପତ୍ତି: ଆମେରିକାରୁ ଭାରତ ପର୍ଯ୍ୟନ୍ତ.କାହାର ଅନୁମତିରେ ଆରମ୍ଭ ହୁଏ ଯୁଦ୍ଧ?

ନୂଆଦିଲ୍ଲୀ,୦୧/୦୯: ଫେବୃଆରୀ ୨୪, ୨୦୨୨ ରେ ଋଷ ଏବଂ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ବିଶ୍ବ ଅନେକ ଯୁଦ୍ଧକୁ ସାମ୍ନା କରିସାରିଲାଣି। ଏବେବି ମଧ୍ୟପ୍ରାଚ୍ୟ ଅଶାନ୍ତ ପରିସ୍ଥିତି ଭିତରେ ଗତି କରୁଛି। ଏହାରି ମଧ୍ୟରେ ଚୀନ୍କୁ ତାଇୱାନ, ଜାପାନ ଓ ଫିଲିପାଇନ୍ସ ସହ ସାମରିକ ସଂଘର୍ଷର ଆଶଙ୍କା ରହିଛି। ଏହି ପରିସ୍ଥିତି ମଧ୍ୟରେ ଚୀନ୍ ଏକ ନୂଆ ଆଇନ ଲାଗୁ କରିଛି।

ନୂଆ ଆଇନ ଅନୁସାରେ, ଯୁଦ୍ଧ ଭଳି ପରିସ୍ଥିତିରେ କେତେକ କ୍ଷେତ୍ରରେ ସେନାର ଅଧିକାରୀମାନେ ନିଜ ସ୍ତରରେ ସାମରିକ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଇପାରିବେ। ପରେ ଏହାର ସୂଚନା ରାଷ୍ଟ୍ରପତିଙ୍କୁ ଦେବାକୁ ପଡ଼ିବ। ବଡ଼ କିମ୍ବା ସମ୍ବେଦନଶୀଳ ମାମଲାରେ କେନ୍ଦ୍ରୀୟ ସାମରିକ କମିଶନକୁ ମଧ୍ୟ ବିଶ୍ୱାସରେ ନେବାର ବ୍ୟବସ୍ଥା ରହିଛି। ତେବେ ଚୀନର ଏପରି ପଦକ୍ଷେପ ପରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ, ବାସ୍ତବିକ ବିଶ୍ୱର ବିଭିନ୍ନ ଦେଶରେ ଯେତେବେଳେ ଯୁଦ୍ଧ ଭଳି ପରିସ୍ଥିତି ଆସେ, ସେତେବେଳେ ଶେଷ ନିଷ୍ପତ୍ତି କିଏ ନିଅନ୍ତି?

ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ଦେଶରେ ଏହାର ଉତ୍ତର ଅଲଗା। କେଉଁଠି ସେନା ଉପରେ ନାଗରିକ ସରକାରର ନିୟନ୍ତ୍ରଣ ରହିଛି, କେଉଁଠି ସଂସଦର ଭୂମିକା ଅଧିକ ରହିଛି ଏବଂ କେଉଁଠି ସରକାରଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନ ନେବାର ଅଧିକ କ୍ଷମତା ଦିଆଯାଇଛି।

ଯୁଦ୍ଧର ନିଷ୍ପତ୍ତି କେବଳ ଆକ୍ରମଣ ନୁହେଁ:

ଯୁଦ୍ଧ ନିଷ୍ପତ୍ତିର ଅର୍ଥ କେବଳ ସେନାକୁ ଆକ୍ରମଣ ପାଇଁ ଆଦେଶ ଦେବା ନୁହେଁ। ଏହା ପଛରେ ଦେଶର ସୁରକ୍ଷା, ବୈଦେଶିକ ନୀତି, ସଂସଦ, ଆଇନ, ସେନା ଏବଂ ରାଜନୈତିକ ନେତୃତ୍ୱର ବଡ଼ ଭୂମିକା ରହିଥାଏ। ଅନେକ ଦେଶରେ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିବାର ଅଧିକାର ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଅଧିକାର ଅଲଗା ହୋଇପାରେ। ଚୀନ୍, ଆମେରିକା, ଭାରତ, ବ୍ରିଟେନ୍ ଓ ଇସ୍ରାଏଲର ବ୍ୟବସ୍ଥାକୁ ଦେଖିଲେ ଏହା ସ୍ପଷ୍ଟ ହୁଏ।

ଅଧିକ ପଢ଼ନ୍ତୁ:ମହାରାଷ୍ଟ ସରକାରଙ୍କ ବଡ଼ ପଦକ୍ଷେପ, ରେଶରେ ବିଜୟୀ ମହିଳାଙ୍କୁ କରିବେ ସାହାଯ୍ୟ

ଚୀନ୍: ଏଣିକି ସେନା ନେଇପାରିବ ନିଜ ସ୍ତରରେ ନିଷ୍ପତ୍ତି...

ଚୀନର ପୁରୁଣା ଆଇନ ଅନୁସାରେ, ଯୁଦ୍ଧ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଥମେ ଏକ ଯୋଜନା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଉଥିଲା। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଗକୁ ବଢ଼ୁଥିଲା। କିନ୍ତୁ ନୂଆ ଆଇନ ପରେ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। କେତେକ ପରିସ୍ଥିତିରେ ଏଣିକି ସେନାକୁ ପ୍ରଥମେ ରାଷ୍ଟ୍ରପତିଙ୍କ ଅନୁମତି ନେବା ଆବଶ୍ୟକ ହେବ ନାହିଁ। ସେନା ନିଜ ସ୍ତରରେ ସାମରିକ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ନେଇପାରିବ ଏବଂ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ କରିବ। ତେବେ ବଡ଼ କିମ୍ବା ସମ୍ବେଦନଶୀଳ ମାମଲାରେ କେନ୍ଦ୍ରୀୟ ସାମରିକ କମିଶନକୁ ଏ ବିଷୟରେ ଅବଗତ କରାଇବାର ଗୁରୁତ୍ବ ରହିଛି। ଅର୍ଥାତ୍, ସାମରିକ ନିଷ୍ପତ୍ତିରେ ରାଷ୍ଟ୍ରପତିଙ୍କ ପୂର୍ବ ଅନୁମୋଦନର ଆବଶ୍ୟକତା କେତେକ କ୍ଷେତ୍ରରେ ହଟାଇ ସେନାକୁ ଅଧିକ ସ୍ୱାଧୀନତା ଦିଆଯାଇଛି।

ଆମେରିକା: ରାଷ୍ଟ୍ରପତିଙ୍କ ସହ କଂଗ୍ରେସର ମଧ୍ୟ ବଡ଼ ଭୂମିକା

ଆମେରିକାରେ ରାଷ୍ଟ୍ରପତି ଦେଶର ସେନାର ସର୍ବୋଚ୍ଚ କମାଣ୍ଡର। କିନ୍ତୁ ଆମେରିକୀୟ ସମ୍ବିଧାନ ଅନୁସାରେ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିବାର ଅଧିକାର କଂଗ୍ରେସ ପାଖରେ ରହିଛି। ଅର୍ଥାତ୍, ଆମେରିକାରେ ଯୁଦ୍ଧ ସମ୍ପର୍କିତ ଅଧିକାର ରାଷ୍ଟ୍ରପତି ଏବଂ କଂଗ୍ରେସ ମଧ୍ୟରେ ବଣ୍ଟାଯାଇଛି। ତେବେ ହଠାତ୍ ବିପଦ କିମ୍ବା ଜରୁରୀ ପରିସ୍ଥିତିରେ ରାଷ୍ଟ୍ରପତି କଂଗ୍ରେସର ଆନୁଷ୍ଠାନିକ ଯୁଦ୍ଧ ଘୋଷଣା ବିନା ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ଆଦେଶ ଦେଇପାରନ୍ତି। ତେଣୁ ଆମେରିକାରେ ଯୁଦ୍ଧର ନିଷ୍ପତ୍ତି କେବଳ ରାଷ୍ଟ୍ରପତି ଏକା ନିଅନ୍ତି ବୋଲି କହିବା ଠିକ୍ ହେବ ନାହିଁ। ରାଷ୍ଟ୍ରପତିଙ୍କ ପାଖରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ଗୁରୁତ୍ୱପୂର୍ଣ୍ଣ କ୍ଷମତା ରହିଥିବା ବେଳେ କଂଗ୍ରେସ ପାଖରେ ଯୁଦ୍ଧ ଘୋଷଣା ଏବଂ ସେନା ପାଇଁ ଅର୍ଥ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷମତା ରହିଛି।

ଭାରତ: ରାଷ୍ଟ୍ରପତି ସର୍ବୋଚ୍ଚ କମାଣ୍ଡର, କିନ୍ତୁ ନିଷ୍ପତ୍ତି ନିଅନ୍ତି ସରକାର:

ଭାରତରେ ରାଷ୍ଟ୍ରପତି ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର। ସମ୍ବିଧାନ ଅନୁସାରେ ଯୁଦ୍ଧ ଘୋଷଣା, ଶାନ୍ତି କିମ୍ବା ସନ୍ଧି ସମ୍ପର୍କିତ କ୍ଷମତା ରାଷ୍ଟ୍ରପତିଙ୍କ ନାଁ ସହ ଜଡ଼ିତ। କିନ୍ତୁ ଭାରତର ସଂସଦୀୟ ବ୍ୟବସ୍ଥାରେ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେବା ସମୟରେ ମନ୍ତ୍ରିପରିଷଦର ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି। ଏହି କାରଣରୁ ବଡ଼ ଯୁଦ୍ଧ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନର ବାସ୍ତବ ରାଜନୈତିକ ନିଷ୍ପତ୍ତି କେନ୍ଦ୍ରର ନିର୍ବାଚିତ ସରକାର ନେଇଥାଏ। ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ସୁରକ୍ଷା ପରିସ୍ଥିତି, ସେନାର ପରାମର୍ଶ, ବୈଦେଶିକ ନୀତି ଏବଂ ଜାତୀୟ ସ୍ୱାର୍ଥକୁ ବିଚାର କରି ନିଷ୍ପତ୍ତି ନିଅନ୍ତି।

ବ୍ରିଟେନ୍: ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ହାତରେ ମୁଖ୍ୟ କ୍ଷମତା:

ବ୍ରିଟେନରେ ଯୁଦ୍ଧ କିମ୍ବା ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ବ୍ୟବସ୍ଥା ଅନ୍ୟ ଦେଶଠାରୁ କିଛି ଭିନ୍ନ। ସରକାର ପାଖରେ ସେନାକୁ ବିଦେଶକୁ ପଠାଇବା ଏବଂ ସଂଘର୍ଷରେ ସାମିଲ କରିବାର କ୍ଷମତା ରହିଛି। ପ୍ରତ୍ୟେକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ସଂସଦର ଆନୁଷ୍ଠାନିକ ଅନୁମତି ନେବା ଆଇନଗତ ଭାବେ ଅନିବାର୍ଯ୍ୟ ନୁହେଁ। ତଥାପି ବଡ଼ ସାମରିକ ଅଭିଯାନରେ ସଂସଦର ରାଜନୈତିକ ଭୂମିକା ଗୁରୁତ୍ୱପୂର୍ଣ୍ଣ। ୨୦୦୩ ମସିହାରେ ଇରାକ ଯୁଦ୍ଧ ପୂର୍ବରୁ ବ୍ରିଟେନ୍ ସଂସଦରେ ଭୋଟ୍ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ସାମରିକ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ପ୍ରସ୍ତାବ ରଖିଥିଲେ। ଏହା ୧୪୯ ବିରୋଧରେ ୪୧୨ ଭୋଟରେ ପାରିତ ହୋଇଥିଲା।

ଇସ୍ରାଏଲ: ପ୍ରଧାନମନ୍ତ୍ରୀ ନୁହନ୍ତି, ସରକାର ନିଅନ୍ତି ବଡ଼ ନିଷ୍ପତ୍ତି:

ଇସ୍ରାଏଲରେ ଯୁଦ୍ଧ କିମ୍ବା ବଡ଼ ସାମରିକ ଅଭିଯାନର ନିଷ୍ପତ୍ତି ସରକାରର ସର୍ବୋଚ୍ଚ ସ୍ତରରେ ନିଆଯାଏ। ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ ଏଥିରେ ମୁଖ୍ୟ ଭୂମିକା ନିଅନ୍ତି। ଇସ୍ରାଏଲର ବେସିକ୍ ଲ'ର ଧାରା ୪୦ ଅନୁସାରେ ଦେଶର ସରକାରଙ୍କୁ ଯୁଦ୍ଧ ଘୋଷଣା କରିବାର ଅଧିକାର ରହିଛି। ପରେ ଏ ସମ୍ପର୍କରେ ସଂସଦ ଅର୍ଥାତ୍ କ୍ନେସେଟ୍ର ସମ୍ପୃକ୍ତ କମିଟିକୁ ସୂଚନା ଦିଆଯାଏ। ଅର୍ଥାତ୍, ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ଏକା ଯୁଦ୍ଧର ନିଷ୍ପତ୍ତି ନିଅନ୍ତି ନାହିଁ। ସରକାର ମଧ୍ୟରେ ଆଲୋଚନା ଓ ଅନୁମୋଦନ ପରେ ବଡ଼ ସାମରିକ ନିଷ୍ପତ୍ତି ନିଆଯାଏ। ତେବେ ଜରୁରୀ ପରିସ୍ଥିତିରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ଦ୍ରୁତ କରାଯାଇପାରେ।

ପାଞ୍ଚ ଦେଶରେ ଯୁଦ୍ଧ ନିଷ୍ପତ୍ତିର ନିୟମ ଅଲଗା:

ସଂକ୍ଷେପରେ କହିଲେ, ଚୀନର ନୂଆ ବ୍ୟବସ୍ଥାରେ କେତେକ ପରିସ୍ଥିତିରେ ସେନାକୁ ନିଜ ସ୍ତରରେ ସାମରିକ ନିଷ୍ପତ୍ତି ନେବାର ଅଧିକ ସ୍ୱାଧୀନତା ମିଳିଛି। ଆମେରିକାରେ ରାଷ୍ଟ୍ରପତି ଓ କଂଗ୍ରେସ ଉଭୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତରେ ରାଷ୍ଟ୍ରପତି ସର୍ବୋଚ୍ଚ କମାଣ୍ଡର ହୋଇଥିଲେ ମଧ୍ୟ ବାସ୍ତବ ରାଜନୈତିକ ନିଷ୍ପତ୍ତି ମନ୍ତ୍ରିପରିଷଦ ନେଇଥାଏ। ବ୍ରିଟେନରେ ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ଭୂମିକା ମୁଖ୍ୟ ଥିବା ବେଳେ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ ମିଳିତ ଭାବେ ବଡ଼ ସାମରିକ ନିଷ୍ପତ୍ତି ନେଇଥାନ୍ତି। ତେଣୁ ବିଶ୍ୱରେ ଯୁଦ୍ଧର ନିଷ୍ପତ୍ତି ନେବାର କୌଣସି ଗୋଟିଏ ନିୟମ ନାହିଁ। ପ୍ରତ୍ୟେକ ଦେଶର ସମ୍ବିଧାନ, ଆଇନ, ସରକାରୀ ବ୍ୟବସ୍ଥା ଓ ସେନା ଉପରେ ନିୟନ୍ତ୍ରଣର ଢାଞ୍ଚା ହିଁ ନିର୍ଦ୍ଧାରଣ କରେ, କିଏ ଏବଂ କେମିତି ଯୁଦ୍ଧର ନିଷ୍ପତ୍ତି ନେବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ପ୍ରତିଶ୍ରୁତି ପୂରଣ କଲେ ସରକାର, ୧୨୯ ଏତଲା ରଦ୍ଦ କଲେ ସୁପ୍ରିମକୋର୍ଟ; ୫ ସେପ୍ଟେମ୍ବର ରାଲି ବାତିଲ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia