ନୂଆଦିଲ୍ଲୀ,୨୬/୦୮: ସରକାରଙ୍କ କଡ଼ା ପଦକ୍ଷେପ ପରେ ଚିନି ଓ ପିଆଜ ଦରରେ ହ୍ରାସ ଦେଖିବାକୁ ମିଳିଛି। ସପ୍ତାହେ ପୂର୍ବରୁ ଚିନିର ଏକ୍ସ-ମିଲ୍ ଦର କିଲୋ ପିଛା ୬୮ ଟଙ୍କାରେ ପହଞ୍ଚିଥିବା ବେଳେ ଏବେ ଏହା ୫୩ ରୁ ୫୫ ଟଙ୍କାକୁ ଖସିଛି। ମହାରାଷ୍ଟ୍ରରେ ଚିନି ଦର ୫୧ ରୁ ୫୨ ଟଙ୍କା ଏବଂ କୋଲକାତାରେ ହୋଲସେଲ୍ ଦର ପ୍ରାୟ ୫୩ ଟଙ୍କା ପ୍ରତି କିଲୋରେ ପହଞ୍ଚିଛି।
ତେବେ ଚିନି ଦର କମିଥିଲେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଲାଭ ଏପର୍ଯ୍ୟନ୍ତ ଖାଉଟିଙ୍କ ପାଖରେ ପହଞ୍ଚିନାହିଁ। ଆଗାମୀ ଦିନରେ ଆମଦାନୀ ହୋଇଥିବା ଚିନି ବଜାରକୁ ଆସିବା, ବନ୍ଦରରେ ମହଜୁଦ ଥିବା ଚିନିର ଯୋଗାଣ ବଢ଼ିବା ଏବଂ ଘରୋଇ କୋଟାର ବିକ୍ରି ହୋଇନଥିବା ଚିନି ବଜାରକୁ ଆସିବା ପରେ ଦର ଆହୁରି କମିବା ଆଶା କରାଯାଉଛି।
୧୦ ଲକ୍ଷ ଟନ୍ ଚିନି ଆମଦାନୀ ପ୍ରସ୍ତୁତି:
ଖରାପ ପାଣିପାଗ କାରଣରୁ ଚିନି ଉତ୍ପାଦନ କମିବାର ଆଶଙ୍କା ଦେଖାଦେବା ପରେ କିଛି ମହଜୁଦକାରୀ କୃତ୍ରିମ ଅଭାବ ସୃଷ୍ଟି କରି ଦର ବଢ଼ାଇଥିବା ସରକାର ଅନୁମାନ କରୁଛନ୍ତି। ଏହାକୁ ରୋକିବା ପାଇଁ ସରକାର ୧୦ ଲକ୍ଷ ଟନ୍ ଚିନି ଶୁଳ୍କମୁକ୍ତ ଆମଦାନୀ କରିବାକୁ ପ୍ରସ୍ତୁତି ନେଇଛନ୍ତି। ପ୍ରାୟ ୮୦ ହଜାର ଟନ୍ର ଚାରିଟି ଚିନି ଚାଲାଣ ରପ୍ତାନିକାରୀ ଦେଶର ବନ୍ଦରରୁ ବାହାରିସାରିଛି। ଏହି ଚିନିକୁ ରିଫାଇନ୍ କରି ଘରୋଇ ବଜାରକୁ ଯୋଗାଇ ଦିଆଯିବ। ଏହାବ୍ୟତୀତ ଦେଶର ବିଭିନ୍ନ ବନ୍ଦରରେ ପୂର୍ବରୁ ପ୍ରାୟ ୩-୪ ଲକ୍ଷ ଟନ୍ ଚିନି ମହଜୁଦ ରହିଛି। ଏହାର ରିଫାଇନିଂ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି।

ସରକାରଙ୍କ କଡ଼ା ନିୟମ ପରେ ଖସିଲା ଚିନି ଦର:
ଅଗଷ୍ଟ ମାସ ପାଇଁ ଆବଣ୍ଟିତ ହୋଇଥିଲେ ମଧ୍ୟ ବଜାରକୁ ଆସିନଥିବା ଚିନି କୋଟାକୁ ମଧ୍ୟ ଜାରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ବଜାରରେ ଚିନି ଯୋଗାଣ ବଢ଼ିବ। ଚିନି ଡିଲରମାନଙ୍କ ପାଇଁ ମଧ୍ୟ ଷ୍ଟକ୍ ରଖିବା ଉପରେ ସୀମା ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଜଣେ ଡିଲର ସର୍ବାଧିକ ୪୦୦ ଟନ୍ ଚିନି ଷ୍ଟକ୍ ରଖିପାରିବେ। ସେହିପରି ସେପ୍ଟେମ୍ବର ୧ରୁ ଖାଉଟିମାନେ ୧୫ ଦିନର ଆବଶ୍ୟକତାଠାରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ଷ୍ଟକ୍ ଯାଞ୍ଚ ପାଇଁ କେନ୍ଦ୍ର ଓ ରାଜ୍ୟର ମିଳିତ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏପର୍ଯ୍ୟନ୍ତ ୧,୦୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିସାରିଛି। ଏହି ପଦକ୍ଷେପର ପ୍ରଭାବ ବଜାର ଉପରେ ପଡ଼ିଛି। ଅଧିକ ଲାଭ ଆଶାରେ ଚିନି ମହଜୁଦ ରଖିଥିବା ବ୍ୟବସାୟୀମାନେ ଏବେ ଷ୍ଟକ୍ ବଜାରକୁ ଛାଡ଼ିବାକୁ ଅଧିକ ଉପଯୁକ୍ତ ମଣିଛନ୍ତି।
ପିଆଜ ଦରରେ ବି ଲାଗିଲା ବ୍ରେକ୍:
ଚିନି ଭଳି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହାର ପ୍ରଭାବ ମାତ୍ର ତିନି ଦିନ ମଧ୍ୟରେ ଦେଖାଦେଇଛି। ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ନାସିକରେ ସୋମବାର ପିଆଜ ଦର କିଲୋ ପିଛା ୫୦ ଟଙ୍କା ଥିଲା। ବୁଧବାର ଏହା ହ୍ରାସ ପାଇ ୪୨ ଟଙ୍କା ହୋଇଛି। ଅର୍ଥାତ୍ ମାତ୍ର ତିନି ଦିନରେ ପିଆଜ ଦରରେ କିଲୋ ପିଛା ୮ ଟଙ୍କା ହ୍ରାସ ଘଟିଛି। ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ନିଧି ଖରେ କହିଛନ୍ତି ଯେ ଦେଶରେ ପିଆଜର ଅଭାବ ନାହିଁ। ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ରହିଛି।
ବଢ଼ିବ ସରକାରୀ ବଫର ଷ୍ଟକ୍ରୁ ପିଆଜ ଯୋଗାଣ:
ଚଳିତ ବର୍ଷ ଦେଶରେ ପିଆଜ ଉତ୍ପାଦନ ପ୍ରାୟ ୩୦୭.୩୭ ଲକ୍ଷ ଟନ୍ ହେବା ଅନୁମାନ କରାଯାଉଛି। ଗତବର୍ଷ ଏହା ୩୦୭.୬୭ ଲକ୍ଷ ଟନ୍ ଥିଲା। ଅର୍ଥାତ୍ ଉତ୍ପାଦନ ପ୍ରାୟ ସମାନ ସ୍ତରରେ ରହିଛି। ଏହା ସହ ସରକାର ନିଜର ବଫର ଷ୍ଟକ୍ରୁ ପିଆଜ ବଜାରକୁ ଛାଡ଼ୁଛନ୍ତି। ଦିଲ୍ଲୀ ସମେତ ଦେଶର ବଡ଼ ସହରଗୁଡ଼ିକରେ ସରକାର କିଲୋ ପିଛା ୩୫ ଟଙ୍କା ଦରରେ ପିଆଜ ଉପଲବ୍ଧ କରାଇବାକୁ ଯୋଜନା କରିଛନ୍ତି। ଏହି ବଫର ଷ୍ଟକ୍ରେ ପ୍ରାୟ ୧.୨୦ ଲକ୍ଷ ଟନ୍ ପିଆଜ ରହିଛି। ବଜାରରେ ଯୋଗାଣ ବଢ଼ିଲେ ଆଗାମୀ ଦିନରେ ଖାଉଟିଙ୍କୁ ଚିନି ଓ ପିଆଜ ଦରରୁ ଆହୁରି ଆଶ୍ୱସ୍ତି ମିଳିପାରେ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଭାରତୀୟ ଫାଇଟର ଜେଟ୍ ଇଞ୍ଜିନ୍ ପାଇଁ ଫ୍ରାନ୍ସ-ବ୍ରିଟେନ୍ ମଧ୍ୟରେ ଟକ୍କର, 'ଆତ୍ମନିର୍ଭର ଭାରତ' ଉପରେ ବଡ଼ ବାଜି

