ପୁରୀ,୦୧/୦୯ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ବହୁଚର୍ଚ୍ଚିତ ମା'କୁ ମାରି ପୁଅ ସିମେଣ୍ଟରେ ପ୍ଲାଷ୍ଟର ଘଟଣାରେ ପୁଲିସକୁ ମିଳିଛି ସଫଳତା । ୭ ଦିନ ପରେ ମିଳିଛି ବୃଦ୍ଧାଙ୍କ ପରିଚୟ । ବୃଦ୍ଧା ହେଲେ ଗଜପତି ଜିଲ୍ଲା କାଶୀନଗର ଥାନା ଅଧୀନ ଖରଡ଼ା ଗ୍ରାମର ଅନ୍ନପୂର୍ଣ୍ଣା ଦଳେଇ । ସୋମବାର ସ୍ୱର୍ଗଦ୍ୱାରରେ ଅନ୍ନପୂର୍ଣ୍ଣାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ଗ୍ରାମରୁ ଆସିଥିବା ପୁତୁରା ଅନ୍ନପୂର୍ଣ୍ଣାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ କାର୍ଯ୍ୟ ଶେଷ ହେବା ପରେ ପୁତୁରା ନିଜ ଗ୍ରାମକୁ ଫେରିଯାଇଛନ୍ତି ।
ହତ୍ୟାକାଣ୍ଡ ଜଣାପଡିବା ପରେ ପୁରୀ ପୁଲିସ ଗଜପତି ଜିଲ୍ଲାର ବିଭିନ୍ନ ଥାନାକୁ ସିସିଟିଭିରୁ ସଂଗୃହୀତ ଫଟୋ ପଠାଇଥିଲା । କାଶୀନଗର ଥାନା ପୁଲିସ ଉକ୍ତ ଫଟୋକୁ ନେଇ ବିଭିନ୍ନ ଗ୍ରାମକୁ ଯାଇଥିଲା । ଖରଡ଼ା ଗାଁରେ ପଚରାଉଚରା ସମୟରେ ଜଣେ ସମ୍ପର୍କୀୟ ଫଟୋକୁ ଚିହ୍ନି ଥିଲେ । ପରେ କାଶୀନଗର ପୁଲିସ ସହାୟତାରେ ପୁରୀ ପୁଲିସ ସଂପୃକ୍ତ ସମ୍ପର୍କୀୟଙ୍କ ଜରିଆରେ ବୃଦ୍ଧାଙ୍କ ପରିଚୟ ପାଇଛି । ଅନ୍ନପୂର୍ଣ୍ଣାଙ୍କ ଦୁଇ ପୁଅ । ସାନ ପୁଅ ମଦନ ଦଳେଇ । ମଦନର ବଡ଼ଭାଇ ସହ ଭଲ ସମ୍ପର୍କ ନଥିଲା । ସବୁବେଳେ ବାହାରେ ରୁହେ । ମଦନ ବିବାହିତ । ସ୍ତ୍ରୀ ଓ ପିଲା ଅଛନ୍ତି । ସେ ମା'କୁ ସ୍ତ୍ରୀ ଓ ପିଲାମାନଙ୍କ ପାଖରେ ନ ରଖି ନିଜ ପାଖରେ ରଖିଥିଲା ଯାହାକୁ ନେଇ ମଦନ ଉପରେ ପୁଲିସର ସନ୍ଦେହ ବଢ଼ିଛି । ମାତ୍ର ମଦନ ଗିରଫ ଭୟରେ ଏବେ ବି ଫେରାର ଅଛି । ମଦନ ସବୁବେଳେ ବାହାରେ ରହୁଥିବାରୁ ସ୍ଥାନୀୟ ଅଞ୍ଚଳ ଓ ପରିବାର ଲୋକଙ୍କ ସହ କମ୍ କଥାବାର୍ତ୍ତା ହୁଏ।
୬ ମାସ ତଳୁ ପୁରୀ ଆସିଥିଲେ ମା'-ପୁଅ
ମା' ଓ ପୁଅ ୨ ମାସ ତଳେ ନୁହେଁ ପୁରୀକୁ ସେମାନେ ପାଖାପାଖି ୬ ମାସ ତଳରୁ ଆସିଥିଲେ । ସେମାନେ ପ୍ରଥମେ ସର୍ବୋଦୟନଗରରେ ରହୁଥିଲେ । ଆଶ୍ରମ ଛକରୁ ମା'କୁ ସାଥିରେ ଧରି ପୁଅ ମଦନ ଶ୍ରୀଜଗନ୍ନାଥ ବସ୍ରେ ସିଂହଦ୍ୱାରକୁ ଯାଇଥାଏ । ପୁଣି ସେହି ବସ୍ରେ ଘରକୁ ଫେରିଥାଏ । ସେଠାରୁ ଘରଛାଡ଼ି ଜାଇଗଡ଼ ଜାଗା ପତିତପାବନ ଲେନ୍ ନିକଟ ଭଗବାନ ସାହୁଙ୍କ ଘରେ ଭଡ଼ା ରହୁଥିଲା । ଏଠାରୁ ମଧ୍ୟ ଡାକ୍ତରଖାନା ଛକରୁ ସେହି ଶ୍ରୀଜଗନ୍ନାଥ ବସ୍ରେ ଯାତାୟାତ କରୁଥିଲା । ଏପରିକି ବସ୍କୁ ଉଠିଲା ମାତ୍ରେ କର୍ମଚାରୀମାନଙ୍କୁ ଜୟ ଜଗନ୍ନାଥ ବୋଲି କହୁଥିଲା ।
ୱାଟ୍କୋ ଖୋଳିଲା ରାସ୍ତା, ଜାମ୍ରେ ଫସିଲେ ଲୋକେ...ପ୍ରମେୟ ଛକରୁ ଖଣ୍ଡଗିରି ରୁଟ୍ରେ ଭାରୀ ଗାଡ଼ି ଚଳାଚଳ ବନ୍ଦ
ଅନ୍ୟପକ୍ଷରେ ପୁଅ ଡେଙ୍ଗା ହୋଇଥିବା ବେଳେ ବେକରେ ଏକ ବ୍ୟାଗ୍ ପକାଇଥାଏ । ମା' କଳାରଙ୍ଗର ଏବଂ ବେଶ୍ ମୋଟା ଥିଲେ । ସିଂହଦ୍ୱାର ସମ୍ମୁଖରେ ମୋବାଇଲରେ ଭିଡିଓ କରିବା ସହ ପାଣି ବୋତଲ ବେପାର କରୁଥିଲା ମଦନ । ସେଠାରୁ ଶ୍ୱେତଗଙ୍ଗାରେ ଦୋକାନ କରିଥିବା ତାର ଜଣେ ସମ୍ପର୍କୀୟ ଭାଇଙ୍କ ଘରକୁ ଯାତାୟାତ କରୁଥିଲା ବୋଲି ଜଣେ ବସ୍ କର୍ମଚାରୀ ସୂଚନା ଦେଇଛନ୍ତି ।
ସମ୍ପର୍କୀୟ ଭାଇ କେଉଁ ଦୋକାନ କରିଛି ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ମା'କୁ କାହା ସହ କଥାବାର୍ତ୍ତା କରାଇ ଦେଉନଥିଲା କି ନିଜେ କାହା ସହ ଖୋଲାରେ ଦୁଇ ପଦ କଥା ହେଉନଥିଲା । ପୁଅର ଏହା ଏକ ବଡ଼ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରିଛି ।

