Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Crime News: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଗ୍ୟାରେଜ ଛକରେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକୁ ପଥରରେ ଛେଚିଦେଲେ, ଦୁଇ ଜଣ ଗିରଫ

Crime News: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଗ୍ୟାରେଜ ଛକରେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକୁ ପଥରରେ ଛେଚିଦେଲେ, ଦୁଇ ଜଣ ଗିରଫ

ଭୁବନେଶ୍ୱର, ୦୧/୦୮: ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ପୁରୁଣା ଭୁବନେଶ୍ୱର ଗ୍ୟାରେଜ ଛକ ନିକଟ ଗାୟତ୍ରୀ ବସ୍ତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାଁ ଜିତୁ ଓରଫ ଜିତେନ୍ଦ୍ର କାଣ୍ଡି(୩୧) । ଜିତୁଙ୍କ ଘର ପୁରୁଣା ଭୁବନେଶ୍ୱରର ମଠ ସାହିରେ । କିଛି ଦୁର୍ବୃତ୍ତ ଜିତୁଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି ।

ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାର ତଦନ୍ତ ଚଳାଇଛି । ହତ୍ୟାରେ ସମ୍ପୃକ୍ତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଗାୟତ୍ରୀ ବସ୍ତିର ବାବୁନା ଓରଫ ବିଶ୍ୱନାଥ ବେହେରା ଏବଂ ବଶିଷ୍ଠ ନଗରର ଶୁଭମ ଦାସ । ପୁଲିସ ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଏକ ଖଣ୍ଡା ଓ ରକ୍ତଭିଜା ପଥର ଜବତ କରିଛି ।

ପୁଲିସ ସୂଚନା ଅନୁଯାୟୀ, ଦାଦାବଟିଠାରୁ ଆରମ୍ଭ କରି ରାହାଜାନୀ ପ୍ରଭୃତି ମାମଲାରେ ଜଡ଼ିତ ଦୁର୍ଦ୍ଦାନ୍ତ ଜିତୁ ଗ୍ୟାରେଜ ଛକ ମଦ କାଉଣ୍ଟରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼କୁ ଲମ୍ବିଥିବା ରାସ୍ତାକଡ଼ ଏକ ଆଜବେଷ୍ଟସ ଘରେ ଏକ ଚାଖଣା ଦୋକାନ ଖୋଲିଥିଲା । ତା ନାମରେ ଶ୍ରୀଲିଙ୍ଗରାଜ ଥାନାରେ ୨ଟି ଓ ବଡ଼ଗଡ଼ ଥାନାରେ ୩ଟି ଅପରାଧିକ ମାମଲା ରହିଛି । ଶୁକ୍ରବାର ସକାଳୁ ଉକ୍ତ ଦୋକାନ କବାଟ ଖୋଲା ଥିଲା । ଦୋକାନ ଭିତରେ କିଛି ଲୁହା ବେଲଚା ପଡିଥିଲା । ଚାଖଣା ଦୋକାନ କବାଟ କଡ଼ରେ ଜିତୁର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା । ରକ୍ତର ଛିଟା ଘର କାନ୍ଥରେ ପଡ଼ିବା ସହ ବାହାରକୁ ଧାର ହୋଇ ଲମ୍ବିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଶ୍ରୀଲିଙ୍ଗରାଜ ଥାନା ପୁଲିସକୁ ଖବର କରିଥିଲେ । ପୁଲିସ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଥିଲା । ମୃତଦେହକୁ ପୁଲିସ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।

​​​​​​​ଅଧିକ ପଢ଼ନ୍ତୁ :- କ୍ଲାସରୁମରୁ ଡାକିଆଣି ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କଲେ ଅଣଛାତ୍ର

ଜିତୁଙ୍କ ମୃତ୍ୟୁ ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ତାଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବାକୁ ବସ୍ତିଲୋକେ ସହଜରେ ଗ୍ରହଣ କରି ପାରି ନଥିଲେ।ଶବ ବ୍ୟବଚ୍ଛେଦ ପରେ ଜିତୁଙ୍କ ମୃତଦେହକୁ ଗ୍ୟାରେଜ ଛକ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ । ଲୋକମାନେ ଦୀର୍ଘ ୨ ଘଣ୍ଟା ଧରି ଗ୍ୟାରେଜ ଛକ-ସାମନ୍ତରାପୁର ରାସ୍ତାକୁ ଅବରୋଧ କରିଥିଲେ । ଡିସିପି ଜଗମୋହନ ମୀନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା ।

ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ଜିତୁଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସାଇଣ୍ଟିଫିକ୍‌ ଟିମ୍‌ ହତ୍ୟାସ୍ଥଳରୁ ରକ୍ତ ନମୁନା ସହ କିଛି ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲା । ଉକ୍ତ ରାସ୍ତରେ ଲାଗିଥିବା ସିସିଟିଭି ଫୁଟେଜ ଓ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ବିଶ୍ୱନାଥ ଓ ଶୁଭମକୁ ଧରି ପଚରାଉଚରା ବେଳେ ସେମାନେ ସତ ମାନି ଯାଇଥିଲେ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସେମାନଙ୍କଠାରୁ ଜବତ ହୋଇଥିଲା । ଉଭୟଙ୍କ ନାମରେ ଏକାଧିକ ମାମଲା ରହିଥିବା ମଧ୍ୟ ପୁଲିସ ତଦନ୍ତରୁ ଜଣାପଡ଼ିଛି । ଉଭୟେ ଜିତୁର ସାଙ୍ଗ ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ ତଦନ୍ତରୁ ଜଣାପଡ଼ିଛି, ଗତକାଲି ବିଳମ୍ବିତ ରାତି ଯାଏଁ ଜିତୁ ଏବଂ ଏହି ଦୁଇ ଅଭିଯୁକ୍ତ ଏକାଠି ମଦ ପିଉଥିଲେ । କୌଣସି କାରଣକୁ ନେଇ ଜିତୁ ସହ ସେମାନଙ୍କର ଝଗଡ଼ା ହୋଇଥିଲା । ଧୀରେ ଧୀରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ଶେଷରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ଜିତୁଙ୍କୁ ପ୍ରଥମେ ଖଣ୍ଡାରେ ହାଣିବା ସହ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସକୁ କହିଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia