ନୂଆଦିଲ୍ଲୀ ୦୨/୦୮: ବିହାର, ସୁପୌଲ ଜିଲ୍ଲାର ଏକ ଅଜବ ଦୃଶ୍ୟ ଦେଶର ଧ୍ୟାନ ଆକର୍ଷଣ କରିଛି । ଏଠାରେ ଜଣେ ଚାଷୀ ଏକ ଜୀବନ୍ତ କୁମ୍ଭୀରକୁ କାନ୍ଧରେ ପକାଇ ଭୀମନଗର ଥାନାରେ ପହଞ୍ଚିଛନ୍ତି । ଏକ ଧାନ କ୍ଷେତରେ ହଠାତ୍ କୁମ୍ଭୀରକୁ ଦେଖି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ସୁରକ୍ଷା ଦୃଷ୍ଟିରୁ ସେମାନେ ତାକୁ କାବୁ କଲେ ଏବଂ ତା'ର ଥଣ୍ଟକୁ ଦଉଡ଼ିରେ ବାନ୍ଧିଲେ ।
ତା'ପରେ ଅମିତ କୁମାର ନାମକ ଚାଷୀ କୁମ୍ଭୀରକୁ କାନ୍ଧରେ ପକାଇ ଥାନାକୁ ଚାଲିଲେ ।

ଏହି ଦୃଶ୍ୟ ଯିଏ ଦେଖିଲା, ଚକିତ ହେଲା । ଅନେକ ତାଙ୍କର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଶେୟାର କଲେ । ଅମିତ କହିଛନ୍ତି, ସେ ପ୍ରଥମେ କୁମ୍ଭୀରକୁ କଟୈୟା ସ୍ଥିତ ଜଙ୍ଗଲ ବିଭାଗକୁ ନେଲେ । କିନ୍ତୁ ସେଠାରେ କୌଣସି କର୍ମଚାରୀ ନ ଥିବାରୁ ତାକୁ କାନେ୍ଧଇ ଚାଲି ଚାଲି ଥାନାରେ ପହଞ୍ଚିଲେ । ପୁଲିସ ଜଙ୍ଗଲ ବିଭାଗକୁ ଏ ବିଷୟରେ ସୂଚନା ଦେଲା । ଜଙ୍ଗଲ ବିଭାଗ ପ୍ରଥମେ କୁମ୍ଭୀରକୁ ନିଜ ହେପାଜତକୁ ନେଲା ଏବଂ ପରେ ତାକୁ କୋଷୀ ନଦୀରେ ଛାଡ଼ିଦେଲା । ଜଙ୍ଗଲ ବିଭାଗ ଅଧିକାରୀ ରବି ରଞ୍ଜନ କହିଛନ୍ତି, ୫ ଫୁଟର ଏହି କୁମ୍ଭୀର ସୁସ୍ଥ ଥିଲା । ବର୍ଷାଦିନେ ଜଳ ସ୍ତର ବୃଦ୍ଧି ଯୋଗୁ ଏହା ଉକ୍ତ ଅଞ୍ଚଳକୁ ଚାଲି ଆସିଥିଲା ।

