ରଗଡ଼ି,୧/୦୯: ଗ୍ରାମାଞ୍ଚଳରେ ଦିନକୁ ଦିନ ପାରମ୍ପରିକ "ଦେଶୀ ସାରୁ'ର ଚାଷ କମିବାରେ ଲାଗିଛି । ପୂର୍ବରୁ ଗାଁ ଗହଳିର ବାଡ଼ି ପଛପଟେ, ନାଳ କୂଳରେ କିମ୍ବା ଓଦାଳିଆ ଜମିରେ ପ୍ରଚୁର ପରିମାଣରେ ଦେଶୀ ସାରୁ ଚାଷ ହେଉଥିଲା । ମାତ୍ର ବର୍ତ୍ତମାନ ଗୁଣାତ୍ମକ ସାରୁ ବିହନ ମିଳିବା କଷ୍ଟକର ହୋଇପଡ଼ିଛି, ଯାହା ଚାଷୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।
ବଜାରରେ ହାଇବ୍ରିଡ୍(ସଙ୍କର) ବିହନର ପ୍ରଭାବ ବୃଦ୍ଧି ପାଇବା ଯୋଗୁ ପାରମ୍ପରିକ ଦେଶୀ ସାରୁ ବିହନର ସଂରକ୍ଷଣ କମିଛି । ଖାଲି ସେତିକି ନୁହେଁ ଚାଷଜମି କମିବା ସହ ଦେଶୀ ସାରୁ ଚାଷରୁ ଏତେଟା ଲାଭ ମିଳୁନାହିଁ । ସାରୁ ଲଗାଇବା, ଖୁସାଇବା ଓ କନ୍ଦା ଖୋଳିବା ପାଇଁ ଅଧିକ ଶ୍ରମିକଙ୍କ ଆବଶ୍ୟକତା ପଡ଼ିଥାଏ । ମଜୁରୀ ବୃଦ୍ଧି ହେତୁ ସାଧାରଣ ଚାଷୀ ଏଥିରୁ ଓହରି ଯାଉଛନ୍ତି ।
Ambulance Service : ଆସି ପାରିଲାନି ଆମ୍ବୁଲାନ୍ସ , ଛୁଆକୁ କାନ୍ଧରେ ଧରି ଦୌଡ଼ିଲେ ମା'..
କୃଷି ଓ ଉଦ୍ୟାନ ବିଭାଗର ସୂଚନା ମୁତାବକ, କୋରେଇ ବ୍ଲକରେ ସାରୁ ଚାଷ ପ୍ରାୟତଃ କମିଗଲାଣି । ପୂର୍ବରୁ ଧାନ ହେଉନଥିବା ଜମିରେ ଚାଷୀମାନେ ସାରୁ ଲଗାଉଥିଲେ । ବିନା ସାର ଓ ଔଷଧରେ ସାରୁ ଅମଳ କରୁଥିଲେ । ପୂର୍ବରୁ ୨ହଜାର ହେକ୍ଟରରୁ ଅଧିକ ଜମିରେ ସାରୁ ଚାଷ ହେଉଥିବା ବେଳେ ଏବେ ୫ଶହ ହେକ୍ଟରରୁ କମ୍ ଜମିରେ ଏହି ଚାଷ ହେଉଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ସାରୁ ଚାଷ ପାଇଁ ସରକାରୀସ୍ତରରେ ମଧ୍ୟ କୌଣସି ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ । ବିଭାଗ ପକ୍ଷରୁ ସାରୁ ବିହନ ମଧ୍ୟ ଯୋଗାଇ ଦିଆଯାଉନାହିଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ହାଇବ୍ରିଡ୍ ବିହନ ବଜାରରେ ସୁବିଧାରେ ମିଳିଯାଉଥିବା ବେଳେ ଅଧିକ ଅମଳ ମଧ୍ୟ ହେଉଛି । ଯେଉଁଥି ପାଇଁ ସାରୁ ଚାଷ କରିବାକୁ ମନ ବଳାଉଥିବା ଚାଷୀ ଏହି ବିହନ ବ୍ୟବହାର କରୁଛନ୍ତି ।
ଅନ୍ୟପକ୍ଷରେ ଦେଶୀ ସାରୁ ବିହନ ଏବେ ଆଦୌ ମିଳୁନାହିଁ । ଦେଶୀ ସାରୁର ସ୍ୱାଦ ହାଇବ୍ରିଡ୍ ସାରୁ ତୁଳନାରେ ଯଥେଷ୍ଟ ଭଲପ । ଏଥିରେ ପ୍ରଚୁର ପରିମାଣରେ ଫାଇବର(ତନ୍ତୁ), ପୋଟାସିଅମ୍ ଏବଂ ଆଇରନ୍ ଥାଏ । ମଧୁମେହ ରୋଗୀଙ୍କ ପାଇଁ ସାରୁ କ୍ଷତିକାରକ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି । ସାରୁ ଚାଷ କମୁଥିବାରୁ ବଜାରରେ ଏହାର ଦର ମଧ୍ୟ ଉଚ୍ଚା ରହୁଛି । ବର୍ତ୍ତମାନ ସାରୁ କେଜି ପିଛା ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଛି । କୃଷି ବିଶ୍ୱବିଦ୍ୟାଳୟ ଓ ଜୈବିକ କୃଷି ପ୍ରୋତ୍ସାହକମାନେ ଦେଶୀ ସାରୁ ବିହନ ସଂରକ୍ଷଣ କରି ଚାଷୀଙ୍କୁ ଯୋଗାଇବା ଆବଶ୍ୟକ । ଜୈବିକ ବଜାରରେ ଦେଶୀ ସାରୁର ଚାହିଦା ଅଧିକ ଥିବାରୁ ଚାଷୀଙ୍କୁ ସିଧାସଳଖ ଗ୍ରାହକଙ୍କ ସହ ଯୋଡ଼ିଲେ ଭଲ ଲାଭ ମିଳିପାରିବ ବୋଲି ମତପ୍ରକାଶ ପାଇଛି । କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଏହି ଚାଷକୁ ଅଧିକ ପ୍ରୋତ୍ସାହନ ଯୋଗାଇବା ଉପରେ ଦାବି ହୋଇଛି।

