ଢେଙ୍କାନାଳ,୧୩/୧୦: ଉଚ୍ଚଶବ୍ଦ କରି କାନ ତାବ୍ଦା କରୁଥିବା ବାଇକ୍ ଚାଳକଙ୍କ ଭିତରେ ଛନକା ପଶିଛି । ଏଭଳି ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ପୁଲିସ୍ ଧରିବା ପରେ ସେଥିରୁ ମଡିଫାଏଡ୍ ସାଇଲେନ୍ସର ଖୋଲାଯାଉଛି । ରାସ୍ତା ଉପରେ ଏସ୍ପିଙ୍କ ଉପସ୍ଥିତିରେ ରୋଲର ଚଢ଼ାଇ ସାଇଲେନ୍ସରକୁ ନଷ୍ଟ କରାଯାଇଛି । ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦୂଷଣ କଲେ ଏଭଳି ପରିଣାମ ହେବ ବୋଲି ଢେଙ୍କାନାଳ ପୁଲିସ୍ ଚେତାଇ ଦେଇଛି ।
ଢେଙ୍କାନାଳ ଟାଉନ ଥାନା ପକ୍ଷରୁ ସୋମବାର ଅପରାହ୍ଣରେ ଟାଉନ ଥାନା ସମ୍ମୁଖ ରାସ୍ତାରେ ଏଭଳି ୫୦ଟି ମୋଡିଫାଏଡ୍ ସାଇଲେନ୍ସରକୁ ରୋଲ୍ ଚପାଇ ନଷ୍ଟ କରିଦିଆଯାଇଛି ।
ଉଶୃଙ୍ଖଳିତ ଯୁବକ ତଥା ରୋଡ୍ ରୋମିଓ ଦାମି ବାଇକ୍ରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଦ୍ରୁତଗତିରେ ଗାଡ଼ି ଚଳାଇବା ସହ ଉଚ୍ଚଶବ୍ଦ କରି କାନ ତାବ୍ଦା କରୁଥିଲେ । ସାଇଲେନ୍ସରରୁ ବାଣ ଫୁଟିବା ଭଳି ଶବ୍ଦ ମଧ୍ୟ ବାହାର କରିବା ସହ ସହରରେ ଭିତରେ ଜନ ଗହଳି ସ୍ଥାନରେ ବି ଫଡ୍ଫ୍ଡ଼ କରି ଉଚ୍ଚ ଶବ୍ଦରେ ଚକର କାଟୁଥିଲେ । ବିଶେଷ କରି ଅପରାହ୍ଣରୁ ରାତି ଯାଏ ଅଧିକ ଉତ୍ପାତ ହେଉଥିଲେ । ମହିଳା, ଯୁବତୀ ଅସୁରକ୍ଷିତ ମଣିବା ସହ ହୃଦ୍ରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲା । ଏକ ପ୍ରକାର ଆତଙ୍କ ଖେଳାଇବା ସହ ଦ୍ରୁତଗତିରେ ଉଚ୍ଚ ଶବ୍ଦ କରି ମାଡ଼ି ଆସୁଥିବାରୁ ଦୁର୍ଘଟଣା ଘଟୁଥିଲା । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଦର ଏସ୍ଡିପିଓ ରମେଶ ଚନ୍ଦ୍ର ଦୋରା ଓ ଟାଉନ ଥାନା ଅଧିକାରୀ ଧିରେନ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା ।
Conjoined Head Baby: ବ୍ରହ୍ମପୁର MKCG ମେଡିକାଲରେ ବିରଳ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ, ନବଜାତର ଅବସ୍ଥା ଗୁରୁତର
ଏଭଳି ଶବ୍ଦ କରି ଆତଙ୍କ ଖେଳାଉଥିବା ଗାଡି଼ଗୁଡ଼ିକୁ ଧରିବା ପରେ ସାଇଲେନ୍ସର ଖୋଲା ଯିବା ସହ ତାଗିଦ୍ କରାଯାଇଥିଲା । ଏହିଭଳି ଟାଉନ୍ ଭିତରେ ଚାଲୁଥିବା ୫୦ଟି ଗାଡି଼ରୁ ସାଇଲେନ୍ସର ଖୋଲିବା ପରେ ଆଜି ଏହାକୁ ନଷ୍ଟ କରାଯାଇଛି । ସମସ୍ତଙ୍କୁ ଜଣାଇ ସଚେତନ କରିବା ଉଦ୍ଦେଶ୍ୟରେ ଟାଉନ ଥାନା ସମ୍ମୁଖ ରାସ୍ତାଉପରେ ରଖି ରୋଲର ଚଢ଼ା ଯାଇଥିଲା । ଏସ୍ପି ଆଜିଙ୍କ୍ୟ ମାନେ ଉପସ୍ଥିତ ରହିଥିଲେ । ବର୍ଷ ତମାମ୍ ଏସବୁ ଗାଡି ଆତଙ୍କ ଖେଳାଇବା ସହ ଶବ୍ଦ ପ୍ରଦୂଷଣ କରୁଥିଲେ । ଆଗକୁ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ଥିବାରୁ ଏହା ପୂର୍ବରୁ ପୁଲିସ୍ ଏଭଳି ପଦକ୍ଷେପ ନେଇଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଏଭଳି ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସର ଲଗାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।

