ନୂଆଦିଲ୍ଲୀ,୪।୪: ଆମ୍ ଆଦମୀ ପାର୍ଟି ରାଘବ ଚଢାଙ୍କୁ ରାଜ୍ୟସଭାରେ ଦଳର ଡେପୁଟି ଲିଡର ପଦରୁ ହଟାଇ ଦେଇଛନ୍ତି। ଏହାପରେ ପାର୍ଟି ଓ ବହୁ ନେତା ରାଘବ ଚଢାଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି। ରାଘବ 'ଧୁରନ୍ଧର' ଷ୍ଟାଇଲରେ ଏବେ ଏକ ଡାଇଲଗ୍ କହିଛନ୍ତି। ସେ କହିଛନ୍ତି 'ଘାୟଲ ହୁଁ, ଇସିଲିୟେ ଘାତକ ହୁଁ... ଅର୍ଥାତ ଆଘାତ ପାଇଥିବାରୁ ଏବେ ଘାତକ ହୋଇଯାଇଛି।
ଏହା ସହ ସେ ଆପ୍ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ କରିଛନ୍ତି। ରାଘବ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ନିଜର ଏକ ଭିଡିଓ ସେୟାର କରିଚନ୍ତି। ଏଥିରେ ସେ ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ମିଛ ବୋଲି ଘୋଷଣା କରିଛନ୍ତି। ଏହା ସହ ସେ ଦାବି କରିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ରାଘବ କହିଛନ୍ତି, ପ୍ରଥମେ ସେ ଭାବିଥିଳେ, ତାଙ୍କୁ ଏହାର ଜବାବ୍ ଦେବାକୁ ପଡିବନି, କିନ୍ତୁ ପରେ ଳାଗିଥିଲା ଗୋଟିଏ ମିଛକୁ ଶହେଥର କୁହାଗଲେ କିଛି ଲୋକ ଏହାକୁ ସତ ମାନି ନିଅନ୍ତି, ତେଣୁ ସେ ଜବାବ ଦେବାର ନିଷ୍ପତ୍ତି ନେଇଛନ୍ତି।
ଭିଡିଓରେ ଆପ ସାଂସଦ କହିଛନ୍ତି, "ଆମ ଆଦମୀ ପାର୍ଟି ତିନୋଟି ଅଭିଯୋଗ ଆଣିଛି ଏବଂ କହିଛି ଯେ ଏହି ତିନୋଟି ଅଭିଯୋଗ ଯୋଗୁଁ ସେମାନେ ରାଘବ ଚଢାଙ୍କୁ ସଂସଦରେ କହିବାକୁ ଦେବେ ନାହିଁ। ରାଘବ ଚଢା ଏହି ତିନୋଟି ଭୁଲ କରିଥିବାରୁ ତାଙ୍କୁ ସଂସଦରେ କହିବାରୁ ବାରଣ କରାଯାଇଥିଲା। ମୁଁ ଆପଣଙ୍କ ସହିତ ଏହି ତିନୋଟି ବିଷୟରେ ଗୋଟିଏ ଗୋଟିଏ ଆଲୋଚନା କରିବାକୁ ଚାହେଁ।' ରାଘବ କହିଛନ୍ତି, ତାଙ୍କ ଉପରେ ଅଭିଯୋଗ ଅଛି ଯେତେବେଳେ ବିରୋଧି ସଂସଦରେ ଓ୍ବାକଆଉଟ୍ କରନ୍ତି, ସେ ବସି ରୁହନ୍ତି। ରାଘବ କହିଛନ୍ତି 'ଏହା ସମ୍ପୂର୍ଣ୍ଣ ମିଛ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ଏଭଳି ଗୋଟିଏ ଦିନ କୁହନ୍ତୁ, ଯେତେବେଳେ ବିରୋଧୀମାନେ ଓ୍ବାକଆଉଟ୍ ବେଳେ ମୁଁ ସେମାନଙ୍କ ସହିତ ଯୋଗ ଦେଇ ନଥିଲି। ମୁଁ ସେମାନଙ୍କ ସାଥ୍ ଦେଇ ନଥିଲି। ସଂସଦରେ ସବୁଠି ସିସି ଟିଭି କ୍ୟାମେରା ଅଛି। କେବଳ ଗୋଟିଏ ସିସି କ୍ୟାମେରା ବାହାର କରି ଦେଖାନ୍ତୁ, ସବୁକିଛି ସ୍ପଷ୍ଟ ହୋଇଯିବ।'
ସେ ଆହୁରି କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନରଙ୍କ ମହାଭିଯୋଗ ପ୍ରସ୍ତାବରେ ଦସ୍ତଖତ କରିବାକୁ ସେ ମନା କରିଥିବା ଅଭିଯୋଗ ମିଥ୍ୟା। ରାଘବ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ କୌଣସି ଜଣେ ବି ଆମ ଆଦମୀ ପାର୍ଟି ନେତା ତାଙ୍କୁ ପ୍ରସ୍ତାବରେ ଦସ୍ତଖତ କରିବାକୁ କହି ନାହାଁନ୍ତି। ଆମ ଆଦମୀ ପାର୍ଟିର ରାଜ୍ୟସଭାରେ ମୋଟ ୧୦ ଜଣ ସାଂସଦ ଅଛନ୍ତି, ଯେଉଁଥିରୁ ୬ କିମ୍ବା ୭ ଜଣ ନିଜେ ଏହି ପ୍ରସ୍ତାବରେ ଦସ୍ତଖତ କରିନାହାଁନ୍ତି। ତେବେ ମୋର ଦୋଷ କ'ଣ? କାହିଁକି ସମସ୍ତ ଦୋଷ ମୋ ଉପରେ ଲଗାଯାଉଛି? ଏବଂ ଏହି ପ୍ରସ୍ତାବ ପାଇଁ ରାଜ୍ୟସଭାରେ ମୋଟ ୫୦ ଦସ୍ତଖତ ଆବଶ୍ୟକ। ଏହାର ଅର୍ଥ ହେଉଛି ୧୦୫ ଜଣ ବିରୋଧୀ ସାଂସଦଙ୍କ ଭିତରୁ ମାତ୍ର ୫୦ ଜଣଙ୍କ ଦସ୍ତଖତରେ ଏହି ଆବେଦନ ପୁରା ହୋଇଯାଇଥାନ୍ତା । ତେବେ ଏତେ ହଙ୍ଗାମା କାହିଁକି?"
ରାଘବ କହିଛନ୍ତି, ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି ସେ ଭୟଭୀତ ସେଥିବାଇଁ ବେକାର ହାଲୁକା ପ୍ରସଙ୍ଗ ଉଠାନ୍ତି। ସେ କହିଛନ୍ତି, ପ୍ରଥମେ, ମୁଁ କହିବାକୁ ଚାହୁଁଛି ଯେ ମୁଁ ସଂସଦକୁ ଚିତ୍କାର କରିବାକୁ, ମାଇକ୍ରୋଫୋନ୍ ଭାଙ୍ଗିବାକୁ କିମ୍ବା ଅପମାନଜନକ ଭାଷା ବ୍ୟବହାର କରିବାକୁ ଯାଇ ନଥିଲି। ମୁଁ ସେଠାକୁ ଜନସାଧାରଣଙ୍କ ସମସ୍ୟା ଉଠାଇବାକୁ, ଲୋକଙ୍କ ପାଇଁ କହିବାକୁ ଯାଇଥିଲି। ମୁଁ ଜିଏସଟି ଠାରୁ ଆୟକର, ପଞ୍ଜାବର ପାଣି ଠାରୁ ଦିଲ୍ଲୀର ବାୟୁ, ଆମର ସରକାରୀ ସ୍କୁଲର ଅବସ୍ଥା ଠାରୁ ଆରମ୍ଭ କରି ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ କିପରି ମଜବୁତ କରାଯିବ ସେ ବିଷୟରେ ଆଲୋଚନା କରିଥିଲି, ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମସ୍ୟା ଉଠାଇଥିଲି, ଏବଂ ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଆଲୋଚନା କରିଥିଲି । ମୁଁ ବେକାରୀ ଠାରୁ ମୁଦ୍ରାସ୍ଫୀତି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲି। କେହି ବି ସଂସଦରେ ମୋର ଚାରି ବର୍ଷର ଟ୍ରାକ୍ ରେକର୍ଡ ଯାଞ୍ଚ କରିପାରିବେ। ଏହି ସଂସଦ କରଦାତାଙ୍କ ଟଙ୍କାରେ ପରିଚାଳିତ ହେଉଛି, ଏବଂ ମୁଁ କରଦାତାଙ୍କ ସମସ୍ୟା ଉଠାଇବା ପାଇଁ ସଂସଦକୁ ଯାଇଥିଲି। ଶେଷରେ, ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେଉଁମାନେ ଆଜି ମୋ ଉପରେ ଅଭିଯୋଗ କରୁଛନ୍ତି ସେମାନେ ମିଥ୍ୟା ଅଭିଯୋଗ କରୁଛନ୍ତି, ପ୍ରତ୍ୟେକ ମିଛ ଧରାପଡିବ ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଆଯିବ। '

