ଭୁବନେଶ୍ୱର,୨୮/୦୮: ଏଣିକି କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଆହତଙ୍କୁ ମିଳିବ ସ୍ୱତନ୍ତ୍ର ଚିକିତ୍ସା ସୁବିଧା । ଗୋଟିଏ ଛାତ ତଳେ ସବୁ ସୁବିଧା ମିଳିବ । ହସ୍ପିଟାଲରେ ଆଉ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଧାଇଁବାକୁ ପଡ଼ିବ ନାହିଁ । ସେଥିପାଇଁ ହସ୍ପିଟାଲରେ ନିର୍ମାଣ ଚାଲିଛି ସ୍ୱତନ୍ତ୍ର କ୍ଲିନିକ୍ । ଏହି କ୍ଲିନିକ୍ରେ ଡାକ୍ତର ବସିବେ ।
ଇଞ୍ଜେକ୍ସନ ଦେବା ପାଇଁ ନର୍ସ ବି ରହିବେ । ଆଉ ଡ୍ରେସିଂ କରିବା ପାଇଁ ମଧ୍ୟ ଡ୍ରେସର ରହିବେ । ଏହାଛଡ଼ା ସେଠାରେ ପଞ୍ଜିକରଣ ବ୍ୟବସ୍ଥା ସହ ସମସ୍ତ ଔଷଧ ଦିଆଯିବ । ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଅଣ୍ଟା ଭିଡ଼ିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ।
ସାଧାରଣତଃ କୁକୁର କାମୁଡ଼ା ଆହତଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମଣର ଆଶଙ୍କା ଥାଏ । ତେଣୁ ଅନ୍ୟମାନଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଏପରି ବ୍ୟବସ୍ଥା ଗ୍ରହଣ କରାଯାଉଛି । ପୂର୍ବରୁ କୁକୁର କାମୁଡ଼ା ଆହତ ହସ୍ପିଟାଲକୁ ଆସି ପ୍ରଥମେ କାଉଣ୍ଟରରେ ପଞ୍ଜୀକରଣ କରୁଥିଲେ । ତା'ପରେ ଓପିଡିରେ ଯାଇ ଡାକ୍ତରଙ୍କ ପରାମର୍ଶ ନେଉଥିଲେ । ଏହାପରେ ଡାକ୍ତର ଲେଖିଥିବା ଇଞ୍ଜେକ୍ସନ୍ ନେବା ପାଇଁ ନର୍ସଙ୍କ ପାଖକୁ ଯାଉଥିଲେ । ବିଭିନ୍ନ ସ୍ଥାନରେ ଆହତଙ୍କୁ ଅପେକ୍ଷା କରିବାକୁ ପଡ଼ୁ୍ଥିଲା । ଯାହାକି ସଂକ୍ରମଣର ଆଶଙ୍କା ବୃଦ୍ଧି କରୁଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ୍କୁ ଦୈନିକ ୬୦ ପାଖାପାଖି ଆହତ ଆସୁଛନ୍ତି । ଏଥିରେ କେବଳ କୁକୁର କାମୁଡ଼ାଠାରୁ ଆରମ୍ଭ କରି ବିଲେଇ ଓ ମାଙ୍କଡ଼ କାମୁଡ଼ା ଆହତ ମଧ୍ୟ ଅଛନ୍ତି । ପୂର୍ବ ମାସ ଅପେକ୍ଷା ଚଳିତ ମାସରେ କୁକୁର କାମୁଡ଼ା ଆହତଙ୍କ ସଂଖ୍ୟା ଅଧିକ ରହିଛି ।

