ନୂଆଦିଲ୍ଲୀ, ୩୦/୦୪ : ହୋର୍ମୁଜ୍ ର ନାଁ ବଦଳାଇଲେ ଡୋନାଲ୍ଡ ଟ୍ରମ୍ପ। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍ ବଦଳରେ ରଖିଲେ ଷ୍ଟ୍ରେଟ୍ ଅଫ୍ ଟ୍ରମ୍ପ। ଟ୍ରୁଥ୍ ସୋସିଆଲ୍ ରେ ଏକ ପୋଷ୍ଟକୁ ଟ୍ରମ୍ପ ରି-ପୋଷ୍ଟ କରିଛନ୍ତି। ଟ୍ରମ୍ପଙ୍କ ଏହି ପୋଷ୍ଟଟି ଭାଇରାଲ୍ ହେବାକୁ ଲାଗିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହୋର୍ମୁଜ୍ ପ୍ରଣାଳୀକୁ ନେଇ ଉତ୍ତେଜନା ଲାଗି ରହିଛି।
ଜଳଡମ୍ଵୁରୁରେ ନାକାବନ୍ଦୀ ପରେ ଏବେ ଟ୍ରମ୍ପ ଏହାର ନାମ ବଦଳାଇଛନ୍ତି। ଯାହାକୁ ନେଇ ବିବାଦ ଉପୁଯିପାରେ ବୋଲି ଆଶଙ୍କା ବଢିଛି।
ହୋର୍ମୁଜ୍ ପ୍ରଣାଳୀ ଇରାନ ଏବଂ ଓମାନ ଉପସାଗର ମଧ୍ୟରେ ହୋର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏ। ଏହାକୁ ବିଶ୍ୱ ଶକ୍ତି ଯୋଗାଣର ଜୀବନରେଖା ଭାବରେ ବିବେଚନା କରାଯାଏ। ବିଶ୍ଵର ପ୍ରାୟ ୨୦ ରୁ ୩୦ ପ୍ରତିଶତ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ଏହି ସାମୁଦ୍ରିକ ରାସ୍ତା ଦେଇ ଆସେ। ଇରାନ-ଆମେରିକା ଏବଂ ଇସ୍ରାଏଲ୍ ଯୁଦ୍ଧ ଯୋଗୁଁ ଇରାନ ହୋର୍ମୁଜକୁ ବନ୍ଦ କରି ଦେଇଥିଲା। ଏହାଦ୍ଵାରା ବୈଶ୍ଵିକ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ଏବେ ଆମେରିକା ହୋର୍ମୁଜରେ ନାକାବନ୍ଦୀ କରିଛି। ଯାହାଦ୍ଵାରା ସାରା ବିଶ୍ଵରେ ତୈଳ ଯୋଗାଣ ପୁରାପୁରି ଠପ୍ ହୋଇଯାଇଛି।
ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଚାଲିଛି। ଶାନ୍ତି ଆଲୋଚନା ପାଇଁ ଇରାନ ହୋର୍ମୁଜ୍ ଖୋଲିବାକୁ ଆମେରିକା ଆଗରେ ସର୍ତ୍ତ ରଖିଛି। ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହକୁ ସିଧା ସିଧା ପ୍ରତ୍ୟାଖାନ କରିଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ବମ୍ ବର୍ଷା ଅପେକ୍ଷା ନାକାବନ୍ଦୀ ଅଧିକ ପ୍ରଭାବୀ। ଇରାନ ଏବେ ପୁରାପୁରି ଫସି ଯାଇଛି। ହୋର୍ମୁଜ୍ ଚୋକ୍ ଯୋଗୁଁ ଅଣନିଶ୍ଵାସୀ ହୋଇଗଲାଣି। ଆଗକୁ ତେହରାନର ସ୍ଥିତି ଆହୁରି ଖରାପ ହେବ।

