ନୂଆଦିଲ୍ଲୀ, ୨୮।୮: ଆମେରିକା ଏବଂ କାନାଡ଼ା ମଧ୍ୟରେ ଚାଲିଥିବା ବ୍ୟବସାୟିକ ଓ କୂଟନୈତିକ ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶର ସୀମାରେ ଅବସ୍ଥିତ ଐତିହାସିକ 'ଲେକ ଓଣ୍ଟାରିଓ' ର ନାମ ବଦଳାଇ 'ଲେକ ଆମେରିକା' କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଛନ୍ତି ।
ଆଗାମୀ ୩୦ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ଏବଂ ଆମେରିକାର ସରକାରୀ ମାନଚିତ୍ର ଓ ରେକର୍ଡରେ ଏହି ନୂଆ ନାମ ବ୍ୟବହାର କରାଯିବ । ଅନ୍ୟପଟେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ କହିଛନ୍ତି ଯେ, ଆମେରିକା ନିଜ ରେକର୍ଡରେ ନାମ ବଦଳାଇପାରେ, କିନ୍ତୁ ବାସ୍ତବତାରେ ଏହାର ନାମ 'ଲେକ ଓଣ୍ଟାରିଓ' ଏବଂ କାନାଡ଼ା ସବୁବେଳେ ଏହାକୁ ଏହି ନାମରେ ହିଁ ଡାକିବ ।
ଏହି ନିଷ୍ପତ୍ତି ନେବା ପରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଗ୍ରେଟ୍ ଲେକ୍ସର ସୁରକ୍ଷା ପାଇଁ ଗତ ୧୦ ବର୍ଷରେ ପ୍ରାୟ ୪ ବିଲିୟନ୍ ଡଲାର୍ ଖର୍ଚ୍ଚ କରିଛି । ଏହି ହ୍ରଦ ଆମେରିକାର ଅର୍ଥନୀତି, ବାଣିଜ୍ୟ, ନୌପରିବହନ, ପ୍ରତିରକ୍ଷା, କୃଷି ଓ ଶକ୍ତି କ୍ଷେତ୍ର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ଜାନୁଆରୀ ୨୦୨୫ରେ ଟ୍ରମ୍ପ 'ଗଲ୍ଫ ଅଫ୍ ମ୍ୟାକ୍ସିକୋ'ର ନାମ ବଦଳାଇ 'ଗଲ୍ଫ ଅଫ୍ ଆମେରିକା' କରିଥିଲେ । ନିୟମ ଅନୁସାରେ, ଆମେରିକା ନିଜର ସରକାରୀ ଦଲିଲ୍, ମାନଚିତ୍ର ଓ ରେକର୍ଡ ପାଇଁ ନୂଆ ନାମ ବ୍ୟବହାର କରିପାରିବ । ମାତ୍ର ଆନ୍ତର୍ଜାତୀୟ ଜଳଭାଗର ନାମ ନିର୍ଦ୍ଧାରଣ କରିବା ପାଇଁ କୌଣସି ଗୋଟିଏ ବୈଶ୍ୱିକ ସଂସ୍ଥା ନାହିଁ । ତେଣୁ ଆମେରିକା ନାମ ବଦଳାଇଲେ ମଧ୍ୟ କାନାଡ଼ା ନିଜ ସୀମା ଓ ରେକର୍ଡରେ 'ଲେକ ଓଣ୍ଟାରିଓ' ନାମ ବଜାୟ ରଖିବ । ଏହି ନାମ ପରିବର୍ତ୍ତନ ଦ୍ୱାରା ହ୍ରଦର ମାଲିକାନା କିମ୍ବା ସୀମା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
ନେପାଳ ପ୍ରଳୟଙ୍କରୀ ବନ୍ୟା: ତିମୁରେ ଓ ବେତ୍ରାବତୀ ସମ୍ପୂର୍ଣ୍ଣ ନିଶ୍ଚିହ୍ନ
ଦୁଇ ଦେଶ ମଧ୍ୟରେ ବିବାଦର ୫ଟି ମୁଖ୍ୟ କାରଣ:
୧. ଟାରିଫ୍ ଯୁଦ୍ଧ: ଆମେରିକା କାନାଡ଼ାର ପ୍ରାୟ ୨୦ ବିଲିୟନ୍ ଡଲାର୍ ମୂଲ୍ୟର ସାମଗ୍ରୀ ମଦ, ଡାଏରୀ, ଫର୍ନିଚର, ହକି ସାମଗ୍ରୀ ଉପରେ ୫୦% ଅତିରିକ୍ତ ଶୁଳ୍କ ଲଗାଇଛି । ଜବାବରେ କାନାଡ଼ା ମଧ୍ୟ ସମାନ ପରିମାଣର ଟାରିଫ୍ ଘୋଷଣା କରିଛି ।
୨. କାନାଡ଼ାକୁ ୫୧ତମ ରାଜ୍ୟ କହିବା: ଟ୍ରମ୍ପ କ୍ରମାଗତ ଭାବେ କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ ଭାବେ ସାମିଲ କରିବାକୁ ପ୍ରସ୍ତାବ ଦେଉଛନ୍ତି, ଯାହାକୁ କାନାଡ଼ା ନିଜ ସାର୍ବଭୌମତ୍ୱ ପ୍ରତି ଆକ୍ଷେପ ବୋଲି ମାନୁଛି ।
୩. କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ 'ଗଭର୍ଣ୍ଣର' କହି କଟାକ୍ଷ: ଟ୍ରମ୍ପ କାନାଡ଼ାର ନେତାମାନଙ୍କୁ ପରିହାସ କରି 'ଗଭର୍ଣ୍ଣର' ବୋଲି ସମ୍ବୋଧନ କରିବା ଦ୍ୱାରା କୂଟନୈତିକ ସମ୍ପର୍କ ଅଧିକ ବିଗିଡ଼ିଛି ।
୪. ସୀମା ସୁରକ୍ଷା ଓ ଫେଣ୍ଟାନିଲ୍ ତସ୍କରୀ: କାନାଡ଼ା ସୀମା ଦେଇ ଆମେରିକାକୁ ଅନୁପ୍ରବେଶ ଏବଂ ନିଶାଦ୍ରବ୍ୟ ଫେଣ୍ଟାନିଲ୍ ଚାଲାଣ ହେଉଥିବା ଆମେରିକା ଅଭିଯୋଗ କରିଛି ।
୫. ଡାଏରୀ ଓ କୃଷି ବିବାଦ: କାନାଡ଼ାର 'ସପ୍ଲାଇ ମ୍ୟାନେଜମେଣ୍ଟ' ନୀତି ଯୋଗୁଁ ଆମେରିକୀୟ କୃଷକମାନେ କାନାଡ଼ା ବଜାରରେ ସୁବିଧାରେ ପ୍ରବେଶ କରିପାରୁନାହାଁନ୍ତି, ଯାହାକୁ ନେଇ ଦୀର୍ଘଦିନରୁ ବିବାଦ ରହିଛି ।

