ହୋମ
ଦ୍ରୁତଗତି ଗାଡ଼ିକୁ ଧରିବ ସଫ୍ଟୱେର୍, ପରିବହନ ବିଭାଗ ଅନୁମୋଦନକୁ ଅପେକ୍ଷା କରିଛି ଭୁବନେଶ୍ୱର ଆଇଆଇଟି

ଭୁବନେଶ୍ୱର,୨୪/୦୧: ଦ୍ରୁତଗତିରେ ଚାଲୁଥିବା ଗାଡ଼ିକୁ ପୁଲିସ୍ କିମ୍ବା ପରିବହନ ଅଧିକାରୀଙ୍କୁ ଚିହ୍ନଟ କରିବାକୁ ପଡିବ ନାହିଁ । ଖରା, ବର୍ଷାରେ ରାସ୍ତା ଉପରେ ଛିଡ଼ା ହୋଇ ଅମାନିଆଙ୍କୁ ଧରିବା କଷ୍ଟରୁ ଅଧିକାରୀମାନଙ୍କୁ ମୁକ୍ତି ମିଳିବ । ଭୁବନେଶ୍ୱର ଆଇଆଇଟି (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି) ଏଭଳି ସଫ୍ଟୱେର୍ ପ୍ରସ୍ତୁତ କରୁଛି । ଫଳର ଦ୍ରୁତଗତି ଗାଡ଼ି ଚାଳକ ନିଜେ ନିଜେ ଧରାପଡିବେ ।
ଖରା ହେଉ କିମ୍ବା ବର୍ଷା ସବୁ ଋତୁରେ ଏହି ସଫ୍ଟୱେର୍ କାମ କରିବ । ଭୁବନେଶ୍ୱର ଆଇଆଇଟି ବିକଶିତ କରୁଥିବା ସଫ୍ଟୱେର କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ ବିଭାଗର ଅନୁମତି ଲୋଡିଛି । ଏ ସମ୍ପର୍କରେ ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍ ବରଦା ରାଜକୁମାର କହିଛନ୍ତି ଯେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ଆଇଆଇଟିଗୁଡିକୁ ଦାୟିତ୍ୱ ଦେଇଥାନ୍ତି । ଯାହାକୁ ସମାଧାନ କରିବାକୁ ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି । ସେହିପରି ଦ୍ରୁତଗତି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢ଼ୁଥିବାରୁ ଏ ଦିଗରେ ଆଇଆଇଟି କାମ କରୁଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ମିଳିଲେ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବ ବୋଲି ପ୍ରଫେସର ରାଜକୁମାର କହିଛନ୍ତି ।
ରାଜ୍ୟ ପରିବହନ କମିଶନର ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱର ଆଇଆଇଟିର ଇଲେକ୍ଟ୍ରିକାଲ୍ ସାଇନ୍ସେସ୍ ବିଭାଗ ଏକ ଉନ୍ନତମାନର ରାଡାର୍ ଟେକ୍ନୋଲୋଜି ପ୍ରସ୍ତୁତ କରିଛି । ଯାହା ସବୁ ପରିସ୍ଥିତିରେ କାମ କରିବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତେବେ ରାଜ୍ୟରେ ସଡ଼କ ସୁରକ୍ଷା ସଚେତନତା ପାଇଁ ଦୁଇଟି କେନ୍ଦ୍ର ପ୍ରତିଷ୍ଠା ହେବ। ଗୋଟିଏ ଚନ୍ଦ୍ରଶେଖରପୁରରେ ଓ ଅନ୍ୟଟି ରାଉରକେଲାରେ ସ୍ଥାପିତ ହେବ ।
ଅପରପକ୍ଷେ ଭୁବନେଶ୍ୱର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ରାଜକୁମାର କହିଛନ୍ତି ଯେ, ଉନ୍ନତମାନର ବିଦ୍ୟୁତ ଗାଡ଼ି ପାଇଁ ଗବେଷଣା ଜାରି ରହିଛି। ଏହା ସହିତ ଉନ୍ନତମାନର ସଡ଼କ ତିଆରି କରିବା, ବର୍ଜ୍ୟବସ୍ତୁ ପରିଚାଳନା, ପାଣିପାଗ ଓ ପରିବେଶ ସୁରକ୍ଷା ନେଇ ମଧ୍ୟ ଭୁବନେଶ୍ୱର ଆଇଆଇଟିରେ ଗବେଷଣା କରାଯାଉଛି । ଯାହା ସମାଜ ମଙ୍ଗଳ କ୍ଷେତ୍ରରେ ସହାୟକ ହେବ ବୋଲି ସେ କହିଛନ୍ତି ।