Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ଭାଗ ହେବ କି ଆଫ୍ରିକା ମହାଦେଶ ? ପୃଥିବୀ ମାନଚିତ୍ରରୁ ହଜିଯିବେ ଅନେକ ଦେଶ, ସୃଷ୍ଟି ହେବ ନୂଆ ମହାସାଗର !

ଦୁଇ ଭାଗ ହେବ କି ଆଫ୍ରିକା ମହାଦେଶ ? ପୃଥିବୀ ମାନଚିତ୍ରରୁ ହଜିଯିବେ ଅନେକ ଦେଶ, ସୃଷ୍ଟି ହେବ ନୂଆ ମହାସାଗର !

ନୂଆଦିଲ୍ଲୀ, ୧।୫: ଆମେ ଯେଉଁ ପୃଥିବୀରେ ବାସ କରୁଛୁ, ତାହା ସ୍ଥିର ନୁହେଁ । ପାଦ ତଳର ମାଟି ଧୀରେ ଧୀରେ ଖସୁଛି । ବୈଜ୍ଞାନିକମାନେ ଏବେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି । ପୂର୍ବ ଆଫ୍ରିକାର ତୁର୍କାନା ରିଫ୍ଟ, ଯାହା ମାନବ ସଭ୍ୟତାର ପୁରାତନ ଜୀବାଶ୍ମ ପାଇଁ ପ୍ରସିଦ୍ଧ, ସେହି ଅଞ୍ଚଳ ଏବେ ଏକ ବଡ଼ ଭୌଗୋଳିକ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ପାଲଟିଛି ।ପୂର୍ବ ଆଫ୍ରିକାର କେନିଆ ଓ ଇଥିଓପିଆରେ ପ୍ରାୟ ୫୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ଏହି ତୁର୍କାନା ଫାଟ ଏବେ ବିଶ୍ୱର ଭୂବିଜ୍ଞାନୀଙ୍କ ନଜରରେ ।

ନିକଟରେ 'ନେଚର୍ କମ୍ୟୁନିକେସନ୍ସ' ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, ଏହି ଅଞ୍ଚଳର ଭୂ-ପରସ୍ତ ବା 'କ୍ରଷ୍ଟ' ଆଶାତୀତ ଭାବେ ପତଳା ହୋଇଯାଇଛି । ଆଗକୁ ଦୁଇ ଭାଗ ହେବ କି ଆଫ୍ରିକା ମହାଦେଶ ? ପୂର୍ବ ଆଫ୍ରିକାରେ ସୃଷ୍ଟି ହେଉଛି ନୂଆ ସମୁଦ୍ର ! ଆଫ୍ରିକୀୟ ଟେକ୍ଟୋନିକ୍ ପ୍ଲେଟ୍ ଏବେ ଆରବ ଓ ସୋମାଲି ପ୍ଲେଟ୍‌ଯାରୁ ଦୂରେଇ ଯାଉଛି । ବାର୍ଷିକ ପ୍ରାୟ ୪.୭ ମିଲିମିଟର ବେଗରେ ଏହି ପୃଥକୀକରଣ ପ୍ରକ୍ରିୟା ଜାରି ରହିଛି । ଯାହା ଭୂବୈଜ୍ଞାନିକ ଦୃଷ୍ଟିକୋଣରୁ ଏକ ବିରାଟ ପରିବର୍ତ୍ତନ ।

କଲମ୍ବିୟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କ୍ରିଷ୍ଟିଆନ ରୋୱାନଙ୍କ ଅନୁସାରେ, ଏଠାରେ 'ନେକିଂ' ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି 'ନେକିଂ' ପ୍ରକ୍ରିୟା କ'ଣ ? ଆସନ୍ତୁ ଜାଣିବା । ଯେମିତି ଏକ ଚୁଇଙ୍ଗମକୁ ଟାଣିଲେ ମଝି ଅଂଶଟି ପତଳା ହୋଇଯାଏ, ଠିକ୍ ସେମିତି ଆଫ୍ରିକାର କ୍ରଷ୍ଟ ଟାଣି ହୋଇ ଧିରେ ଧିରେ ପତଳା ହେବାରେ ଲାଗିଛି । ତୁର୍କାନା ଫାଟର କେନ୍ଦ୍ରରେ ଏହି ପରସ୍ତର ମୋଟେଇ ମାତ୍ର ୧୩ କିଲୋମିଟର, ଯାହାକି ଅନ୍ୟ ସ୍ଥାନରେ ୩୫ କିଲୋମିଟର ରହିଛି । ଏଇଥିରୁ ଭୂବୈଜ୍ଞାନିକମାନେ ଭବିଷ୍ୟତର ଚିତ୍ର ସ୍ପଷ୍ଟ ଅନୁମାନ କରିପାରୁଛନ୍ତି । ବୈଜ୍ଞାନିକମାନେ ପୂର୍ବାନୁମାନ କରୁଛନ୍ତି ଯେ, ଏହି ପରସ୍ତ ପତଳା ହେବା ଦ୍ୱାରା ମାଗ୍ମା ଭୂପୃଷ୍ଠକୁ ଉଠିବ । ଆଗକୁ ଏଠାରେ 'ଓସନାଇଜେସନ୍' ବା ସମୁଦ୍ର ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେବ । ପରିଶେଷରେ ଭାରତ ମହାସାଗରର ଜଳରାଶି ଏହି ଫାଟ ମଧ୍ୟକୁ ପ୍ରବେଶ କରିପାରେ, ଯାହା ଆଫ୍ରିକା ମହାଦେଶକୁ ଦୁଇ ଭାଗରେ ବିଭକ୍ତ କରିଦେବ ।

ଅଧ୍ୟୟନର ସହ ଲେଖକ ଭୂବୈଜ୍ଞାନିକ ଆନି ବେସେଲ କହିଛନ୍ତି, ଆମେ କ୍ରଷ୍ଟ ବିଭାଜନର ସେହି ଜଟିଳ ସୀମାରେ ପହଞ୍ଚିଲୁ । ଏହାର ଅଲଗା ହେବାର ଆଶଙ୍କା ବହୁତ ଅଧିକ । ତଥାପି ଏଭଳି ପରିବର୍ତ୍ତନ ବ୍ୟାପକ ସମୟ ବ୍ୟବଧାନରେ ଘଟିଥାଏ । ତୁର୍କାନା ଫାଟ ପ୍ରାୟ ୪.୫ କୋଟି ବର୍ଷ ତଳେ ଆରମ୍ଭ ହୋଇଥିଲା । ଗବେଷକଙ୍କ ଆକଳନ ଅନୁସାରେ, ପ୍ରାୟ ୪୦ ଲକ୍ଷ ବର୍ଷ ତଳେ ବ୍ୟାପକ ଆଗ୍ନେୟଗିରି ଉଦ୍‌ଗୀରଣ ପରେ ଏହାର ନେକିଂ ଆରମ୍ଭ ହୋଇଥିଲା । ଯଦିଓ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବାକୁ ଆହୁରି ଲକ୍ଷ ଲକ୍ଷ ବର୍ଷ ଲାଗିପାରେ, କିନ୍ତୁ ତୁର୍କାନା ରିଫ୍ଟ ଏବେ ପୃଥିବୀର ସବୁଠାରୁ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂବୈଜ୍ଞାନିକ ପରୀକ୍ଷାଗାର ପାଲଟିଛି । ଏହା କେବଳ ଭୂଗୋଳ ବଦଳାଉ ନାହିଁ, ବରଂ ମାନବ ବିକାଶର ପୁରୁଣା ଇତିହାସକୁ ସାଇତି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia