ନୂଆଦିଲ୍ଲୀ,୦୨/୦୮; ଆଜି ସକାଳୁ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭୋର ୪ଟା ୧୪ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୨.୯ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଦିଲ୍ଲୀର ଉତ୍ତର ଜିଲ୍ଲାରେ ଥିଲା ।
ଭୂପୃଷ୍ଠରୁ ମାତ୍ର ୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ରହିଥିଲା । ଭୂମିକମ୍ପର ତୀବ୍ରତା ଯଥେଷ୍ଟ କମ୍ ଥିବାରୁ ଏହାଦ୍ୱାରା କୌଣସି ପ୍ରକାର ଧନଜୀବନ କ୍ଷତି କିମ୍ବା କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ସୂଚନା ମିଳିନାହିଁ । ୨.୯ ତୀବ୍ରତାର ଭୂମିକମ୍ପ ସାଧାରଣତଃ ବିପଦମୁକ୍ତ ଏବଂ ହାଲୁକା ଶ୍ରେଣୀର ଅନ୍ତର୍ଭୁକ୍ତ । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିଲେ ବି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେମାନଙ୍କ ମନରେ ଆତଙ୍କ ଖେଳିଯାଇଛି ।
ଜୁନରେ ହୋଇଥିବା ଭୂମିକମ୍ପ- ଏହା ପୂର୍ବରୁ ଜୁନ୍ ମାସରେ ଦିଲ୍ଲୀରେ ଭୂମିକମ୍ପ ହୋଇଥିଲା । ଜୁନ୍ ୨୭ ସନ୍ଧ୍ୟା ୭ଟା ୪ ମିନିଟରେ ଦିଲ୍ଲୀ ଏନସିଆର ସମେତ ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଆଫଗାନିସ୍ତାନରେ ବି ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା । ଯାହାର ପ୍ରଭାବ ଦିଲ୍ଲୀ ଏବଂ ଉତ୍ତର ଭାରତ ଉପରେ ପଡିଥିଲା । ଦିଲ୍ଲୀ ଏବଂ ତାର ଆଖପାଖ ଅଞ୍ଚଳ ଭୂମିକମ୍ପ ସମ୍ବେଦନଶୀଳତା ନେଇ ଜୋନ୍-୪ରେ ସାମିଲ କରାଯାଇଛି । ଏହି ଅଞ୍ଚଳରେ ପ୍ରାୟ ସମୟରେ ହାଲୁକା ଏବଂ ମଧ୍ୟମ ଧରଣ ଭୂମିକମ୍ପ ଝଟକା ଲାଗିଥାଏ ।
ଏହା ବି ପଢନ୍ତୁ...Plane Crash: ଭୟଙ୍କର ବିମାନ ଦୁର୍ଘଟଣା; କ୍ରାସ୍ ହୋଇ ହୁତୁ ହୁତୁ ଜଳିଲା ପର୍ଯ୍ୟଟକ ପ୍ଲେନ୍, ୧୩ ମୃତ
କାହିଁକି ଆସେ ଭୂମିକମ୍ପ- ପୃଥିବୀର ଉପର ସ୍ତର ଟେକ୍ଟୋନିକ୍ ପ୍ଲେଟ୍ ନାମକ ଅନେକ ଖଣ୍ଡରେ ଗଠିତ। ଏହି ଖଣ୍ଡଗୁଡ଼ିକ ଭୂମି ତଳେ ବହୁତ ଧୀରେ ଭାସନ୍ତି କିମ୍ବା ଘୁରି ବୁଲନ୍ତି। ଯେତେବେଳେ ଏହା ପରସ୍ପର ସହ ପିଟି ହୁଅନ୍ତି କିମ୍ବା କୌଣସି ସ୍ଥାନରେ ଫସି ଯାଆନ୍ତି, ସେମାନଙ୍କ ମଧ୍ୟରେ ବହୁତ ଚାପ ସୃଷ୍ଟି ହୁଏ। ଯେତେବେଳେ ଏହି ଚାପ ସୀମା ଅତିକ୍ରମ କରେ, ପଥରଗୁଡ଼ିକ ଏକ ଝଟକାରେ ଭାଙ୍ଗିଯାଏ କିମ୍ବା ଖଣ୍ଡ ଖଣ୍ଡ ହୋଇଯାଏ ଏହା ଦ୍ୱାରା ସୃଷ୍ଟି ହୋଇଥିବା ଶକ୍ତି ତରଙ୍ଗ ଆକାରରେ ବ୍ୟାପିଯାଏ, ଯାହା ଫଳରେ ଭୂମି ଥରିଯାଏ ଏବଂ ଭୂମିକମ୍ପ ହୁଏ । ଗତ ମାସରେ ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ ସବୁକିଛି ଛାରଖାର କରି ଦେଇଥିଲା । ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

