Sunday, 24 Jan, 10.40 am ପ୍ରମେୟ

ହୋମ
ଏବେ ଖୋଲା ବଜାରରେ ବିକ୍ରି ହେବନି ଦେଶୀ ଟିକା: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ପୁଣେ,୨୪/୦୧: ଭାରତରେ ଉପଲବ୍ଧ ଦୁଇଟି କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍‌ ଏବେ ଖୋଲା ବଜାରରେ ବିକ୍ରି ହେବ ନାହିଁ । କେବେ ସୁଦ୍ଧା ଏହା ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେବ, ସେ ନେଇ କିଛି ସମୟସୀମା ସ୍ଥିର ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହା କହିଛନ୍ତି ।

ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କର ଟିକାକରଣ ଏବେ ଜାରି ରହିଛି । ଏହି ବର୍ଗରେ ଥିବା ପାଖାପାଖି ୩ କୋଟି ଲୋକଙ୍କୁ ସଞ୍ଜୀବନୀ ଡୋଜ୍‌ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ତେଣୁ ଖୋଲା ବଜାରକୁ ଟିକା ଛାଡ଼ିବାକୁ ଏତେ ଶୀଘ୍ର ଅନୁମତି ମିଳିବ ନାହିଁ । ତା'ଛଡ଼ା ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ୫୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ବିଭିନ୍ନ ଦୁରାରୋଗରେ ପୀଡ଼ିତ ଲୋକଙ୍କୁ ଏଥିରେ ସାମିଲ କରାଯାଇଛି ।

ସ୍ୱାସ୍ଥ୍ୟ ସଚିବ ଆହୁରି କହିଛନ୍ତି, ଆଗାମୀ ୭-୮ ମାସ ପର୍ଯ୍ୟନ୍ତ ଅଗ୍ରାଧିକାର ବର୍ଗ ହିତାଧିକାରୀଙ୍କର ଟିକାକରଣ କରାଯିବ । ଏବେ ସରକାର କେବଳ ଏହା ଉପରେ ହିଁ ଫୋକସ କରିବେ । ତା'ଛଡ଼ା ଭାରତ କିମ୍ବା ବିଶ୍ୱରେ ଜରୁରି ବ୍ୟବହାର ପାଇଁ ମଞ୍ଜୁରି ଲାଭ କରିଥିବା କରୋନା ଟିକାଗୁଡ଼ିକୁ ଏଯାଏ ବଜାର ପ୍ରାଧିକାର ପ୍ରଦାନ କରାଯାଇ ନାହିଁ । ସମସ୍ତ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ତଥ୍ୟ ସାମ୍ନାକୁ ଆସିବା ପରେ ଏବଂ ଅନ୍ୟ କେତେକ ଜରୁରି ଔପଚାରିକତା ପୂରଣ ହେବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯାଇ ପାରିବ ।

ଏହାବ୍ୟତୀତ ଟିକା ନିର୍ମାତାମାନଙ୍କ ନିକଟରୁ କେନ୍ଦ୍ର ସରକାର ବିସ୍ତୃତ ତଥ୍ୟ ଲୋଡ଼ିଛନ୍ତି । ଏହି ତଥ୍ୟ ହସ୍ତଗତ ହେବାକୁ ସମୟ ଲାଗିବ । ତଥ୍ୟଗୁଡ଼ିକୁ ତର୍ଜମା ପରେ ଏହାକୁ ଭାରତର ଶୀର୍ଷ ଔଷଧ ନିୟାମକ ଡିସିଜିଆଇ (ଭାରତୀୟ ଔଷଧ ମହାନିୟନ୍ତ୍ରକ) ଅନୁମୋଦନ ପାଇଁ ବିଚାର କରିବ । ଏଥିଲାଗି ଅନେକ ସମୟ ଲାଗିଯିବ । ଠୋସ ତଥ୍ୟ ଦେବା ପାଇଁ ଟିକା କମ୍ପାନିମାନେ ଅଧିକ ସମୟ ଲୋଡ଼ିଛନ୍ତି । ଠିକଣା ସମୟରେ ତଥ୍ୟ ଦାଖଲ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ଟିକାଗୁଡ଼ିକର ତୃତୀୟ ବା ଶେଷ ପର୍ଯ୍ୟାୟ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ରିପୋର୍ଟ ସାମ୍ନାକୁ ଆସିନାହିଁ । ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ଏଗୁଡ଼ିକୁ ମୂଲ୍ୟାୟନ କରାଯିବ ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଚଳିତମାସ ୧୬ ତାରିଖରୁ ଟିକାକରଣ ଅଭିଯାନ ଜାରି ରହିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top