କଟକ, ୨୯/୦୮: ଏସ୍ସିବି ମେଡିକାଲ୍ କର୍ମଚାରୀଙ୍କ ଟିଏ, ଡିଏ, ଛୁଟି ଭତ୍ତା ବାବଦ ୧ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍ କରିବା ଘଟଣାରେ ଗିରଫ ହୋଇଥିବା ଡାଟା ଏଣ୍ଟ୍ରି ଅପରେଟର କେନ୍ଦ୍ରାପଡ଼ା ରାଜକନିକାର ଦୀନେଶ ରାଉତକୁ ଚୌଦ୍ୱାର ଜେଲ୍ ପଠାଇଦିଆଯାଇଛି । ଶୁକ୍ରବାର ସକାଳେ ଦୀନେଶକୁ କୋର୍ଟରେ ହାଜର କରାଯାଇଥିଲା ।
ଅଦାଲତ ତାର ଜାମିନ ନାମଞ୍ଜୁର କରି ଜେଲ୍କୁ ପଠାଇ ଦେଇଥିଲେ। ତେବେ ଏହି ଜାଲିଆତି ପଛରେ ଏକ ବଡ଼ ର୍ୟାକେଟ୍ ଥିବାରୁ ଦୀନେଶକୁ ରିମାଣ୍ଡରେ ଆଣି ଜେରା କରିବା ପାଇଁ ମଙ୍ଗଳାବାଗ ଥାନା ନିଷ୍ପତ୍ତି ନେଇଛି । ଏନେଇ ଆସନ୍ତା ସୋମବାର ଦିନ କୋର୍ଟରେ ଆବେଦନ ହେବ । ପ୍ରାୟ ୩ ଦିନିଆ ରିମାଣ୍ଡ ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ତାହା ଜାଣିବା ପାଇଁ ତଦନ୍ତକାରୀ ଟିମ୍ ଛାନ୍ଭିନ୍ ଜାରି ରଖିଛି । ଏହି କ୍ରମରେ ପୁଲିସ ଏସ୍ସିବି କର୍ତ୍ତୃପକ୍ଷଙ୍କଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଗାଇଛି । ଏଥିସହିତ ଦୀନେଶ ଓ ତାର କିଛି ନିକଟତର ଲୋକଙ୍କର ବ୍ୟାଙ୍କ ନେଣଦେଣର ତଥ୍ୟ ମଧ୍ୟ ପୁଲିସ ମାଗିଛି । ତାର ଏକାଧିକ ଆକାଉଣ୍ଟ ରହିଛି । ସେସବୁ ଆକାଉଣ୍ଟର ସବିଶେଷ ତଥ୍ୟ ଦେବାକୁ ପଲିସ ବ୍ୟାଙ୍କକୁ କହିଛି । ଖୁବ୍ଶୀଘ୍ର ଏହା ପୁଲିସର ହସ୍ତଗତ ହେବ । ଦୀନେଶ ରିମାଣ୍ଡରେ ଆସିବା ପରେ ଉକ୍ତ ତଥ୍ୟକୁ ଆଧାର କରି ତାକୁ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଏଣେ ଏହି ଘଟଣାରେ ଆକାଉଣ୍ଟ ସେକ୍ସନ୍ର କ୍ୟାସିୟର ଓ କିରାଣିଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି । ଦୀନେଶ କରିଥିବା ଏହି କେଳେଙ୍କାରୀ ଅଡିଟ୍ ଧରିଥିଲା । ଅଡିଟ୍ ରିପୋର୍ଟକୁ ଆଧାର କରି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷଚନ୍ଦ୍ର ଚୌଧୁରୀ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା କରି ଦୀନେଶକୁ ଗିରଫ କରିଛି । ଆକାଉଣ୍ଟ୍ ସେକ୍ସନର କମ୍ପ୍ୟୁଟରରୁ ବହୁ ତଥ୍ୟ ପୁଲିସ ଜବତ କରିଛି । ଏହା ମଧ୍ୟରେ ଦୀନେଶର ଆକାଉଣ୍ଟ୍ଗୁଡ଼ିକ ଫ୍ରିଜ୍ ବା ଅଚଳ କରାଯାଇଛି ।
ଅଭିଯୁକ୍ତ ଦୀନେଶ ଏକ ଘରୋଇ ସଂସ୍ଥା ଦ୍ୱାରା ନିୟୋଜିତ ହୋଇଛି । ଗଲା ୧୦ ବର୍ଷ ହେବ ମେଡିକାଲର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯଥା ଆକାଉଣ୍ଟ୍ ସେକ୍ସନରେ ସେ କାମ କରୁଥିଲା । ୨୦୧୫-୧୬ ଆର୍ଥିକ ବର୍ଷରୁ ସେ ଟଙ୍କା ହେରଫେର୍ ଆରମ୍ଭ କରିଥିବା ଅଡିଟ୍ରେ ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏସ୍ସିବି ଆକାଉଣ୍ଟ୍ ସେକ୍ସନର ପୂର୍ବତନ କନିଷ୍ଠ କିରାଣି ତଥା ଅଭିଯୁକ୍ତ ଦୀନେଶର ବାପା ଦିଲ୍ଲୀପ କୁମାର ରାଉତକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବାନ୍ଧିଥିଲା । ବାପାଙ୍କ ନାଁରେ ଏଭଳି ସଂଗୀନ ଅଭିଯୋଗ ଥିବା ବେଳେ ପୁଅ ଦୀନେଶକୁ ସେଠାରେ କିଏ ଓ କାହିଁକି କାମ ଦେଇଥିଲା ତାହା ମଧ୍ୟ ପୁଲିସ ଏବେ ଛାନ୍ଭିନ୍ କରୁଛି । ଅଡିଟ୍ ଧରିଥିବା ଅର୍ଥ ବାଦ୍ ଆଉ କିଛି ଟଙ୍କା ହେର୍ଫେର୍ ବିଷୟ ସାମ୍ନାକୁ ଆସିପାରେ ବୋଲି ପୁଲିସ ଆଶଙ୍କା କରୁଛି । ଏହି କ୍ରମରେ ଏସ୍ସିବି ମେଡିକାଲ ପକ୍ଷରୁ ସମାନ୍ତରଳ ଭାବେ ପ୍ରଶାସନିକ ସ୍ତରରେ ମଧ୍ୟ ଏହି ଘଟଣାର ତଦନ୍ତ ଚାଲିଛି । ତେଣୁ ଆଗକୁ ଏହି ଟଙ୍କା ଆତ୍ମସାତ୍ ଘଟଣାରେ ଅନ୍ୟ କିଛି ଲିଂକ୍ ମିଳିବ ବୋଲି କୁହାଯାଉଛି ।

