Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ଟ୍ରେନିଂ ବେଳେ ଛିଣ୍ଡିଗଲା ଗୋଇଠି ଲିଗାମେଣ୍ଟ; ସରିଗଲା ୨୦୨୬ ସିଜନ୍ ସ୍ବପ୍ନ

ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା, ଟ୍ରେନିଂ ବେଳେ ଛିଣ୍ଡିଗଲା ଗୋଇଠି ଲିଗାମେଣ୍ଟ; ସରିଗଲା ୨୦୨୬ ସିଜନ୍ ସ୍ବପ୍ନ

ନୂଆଦିଲ୍ଲୀ,୨୯/୦୮: ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ତଥା ଦୁଇଥର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରାଙ୍କ ୨୦୨୬ ସିଜନ୍ ଆହତ କାରଣରୁ ଅଚାନକ ଶେଷ ହୋଇଛି। ଟ୍ରେନିଂ ସମୟରେ ତାଙ୍କ ଗୋଇଠିରେ ଲିଗାମେଣ୍ଟ ଛିଣ୍ଡିଯାଇଥିବାରୁ ସେ ଚଳିତ ବର୍ଷର ବାକି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଏହି ଆଘାତ ଯୋଗୁଁ ନୀରଜ ଆଗାମୀ ଏସିଆନ୍ ଗେମ୍ସ ଏବଂ ଡାଏମଣ୍ଡ ଲିଗ୍ ଫାଇନାଲ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ।

ଫଳରେ ଏସିଆନ୍ ଗେମ୍ସରେ ଭାରତ ପାଇଁ ପଦକର ମୁଖ୍ୟ ଆଶା ଥିବା ନୀରଜଙ୍କ ଅଭିଯାନ ଆରମ୍ଭ ହେବା ପୂର୍ବରୁ ହିଁ ଶେଷ ହୋଇଯାଇଛି। ନୀରଜ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଆହତ ହେବା ଏବଂ ଚଳିତ ସିଜନ୍‌ର ବାକି ପ୍ରତିଯୋଗିତାରୁ ଓହରିବା ନେଇ ସୂଚନା ଦେଇଛନ୍ତି। ଡାକ୍ତର ଏବଂ ନିଜ ଟିମ୍ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ଟ୍ରେନିଂ ବେଳେ ଛିଣ୍ଡିଲା ଗୋଇଠିର ଲିଗାମେଣ୍ଟ:

ନୀରଜ କହିଛନ୍ତି ଯେ, ନିଜର ପ୍ରତିଯୋଗିତାମୂଳକ ଇଭେଣ୍ଟ ପରେ ଟ୍ରେନିଂ ସମୟରେ ତାଙ୍କ ଗୋଇଠିରେ ଲିଗାମେଣ୍ଟ ଛିଣ୍ଡିଯାଇଥିଲା। ଡାକ୍ତର ଏବଂ ଟିମ୍ ସହ ଆଲୋଚନା କରିବା ପରେ ଚଳିତ ସିଜନ୍‌ର ବାକି ଇଭେଣ୍ଟଗୁଡ଼ିକରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି, ଏବେ ନୀରଜଙ୍କୁ ରିକଭରି ଉପରେ ଧ୍ୟାନ ଦେବାକୁ ପଡ଼ିବ। ୨୦୨୬ରେ ତାଙ୍କର ଫର୍ମ ଧୀରେ ଧୀରେ ଫେରୁଥିବା ଦେଖାଯାଉଥିବା ବେଳେ ଏହି ଆଘାତ ତାଙ୍କ ଅଭିଯାନକୁ ବଡ଼ ଝଟକା ଦେଇଛି।

pic.twitter.com/LwounijYk7

​​​​​​​

ଦୋହାରେ ପ୍ରତ୍ୟାବର୍ତ୍ତନ, ଗ୍ଲାସଗୋରେ ରୌପ୍ୟ:

୨୮ ବର୍ଷୀୟ ନୀରଜ ଆଘାତ କାରଣରୁ ଦୀର୍ଘ ସମୟ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ଜୁନ୍‌ରେ ଦୋହା ଡାଏମଣ୍ଡ ଲିଗ୍‌ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ୮୫.୬୯ ମିଟର୍‌ର ଥ୍ରୋ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହା ପରେ ଗ୍ଲାସଗୋରେ ନୀରଜ ୮୫.୮୩ ମିଟର୍‌ର ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ। ତାଙ୍କ ଫର୍ମରେ ଉନ୍ନତି ଦେଖାଯାଉଥିବାରୁ ଏସିଆନ୍ ଗେମ୍ସ ପୂର୍ବରୁ ନୀରଜ ନିଜର ଶ୍ରେଷ୍ଠ ଲୟକୁ ଫେରିବେ ବୋଲି ଆଶା କରାଯାଉଥିଲା।

ଲୁସାନେରେ ସିଜନ୍‌ର ସର୍ବଶ୍ରେଷ୍ଠ ଥ୍ରୋ:

ଲୁସାନେରେ ଅନୁଷ୍ଠିତ ଇଭେଣ୍ଟରେ ନୀରଜ ନିଜର ଚଳିତ ସିଜନ୍‌ର ସର୍ବଶ୍ରେଷ୍ଠ ଥ୍ରୋ କରିଥିଲେ। ଏହା ତାଙ୍କୁ ଫର୍ମକୁ ଫେରାଇବାର ସଙ୍କେତ ଦେଉଥିଲା। ଗ୍ଲାସଗୋରେ ନୀରଜ ପୋଡିୟମ୍ ଫିନିଶ୍ କରିଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଶ୍ରୀଲଙ୍କାର ରୁମେଶ ପଥିରାଗେ ଜିତିନେଇଥିଲେ। ସେ ୮୯.୭୫ ମିଟର୍‌ର ଚମତ୍କାର ଥ୍ରୋ କରି ସ୍ୱର୍ଣ୍ଣ ହାତେଇଥିଲେ। ଲୁସାନେ ଇଭେଣ୍ଟକୁ ଏସିଆନ୍ ଗେମ୍ସ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଭାବେ ଦେଖାଯାଉଥିଲା। ଏସିଆନ୍ ଗେମ୍ସରେ ଭାରତ ପାଇଁ ନୀରଜ ପଦକର ପ୍ରମୁଖ ଦାବିଦାର ଥିଲେ। କିନ୍ତୁ ଗୋଇଠିର ଲିଗାମେଣ୍ଟ ଆଘାତ ଯୋଗୁଁ ଏବେ ତାଙ୍କ ୨୦୨୬ ସିଜନ୍ ଏଠାରେ ହିଁ ଶେଷ ହୋଇଛି। ନୀରଜଙ୍କ ଆହତ ଖବର ଭାରତୀୟ ଆଥଲେଟିକ୍ସ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଝଟକା। ଏବେ ତାଙ୍କ ପ୍ରାଥମିକତା ହେବ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପରବର୍ତ୍ତୀ ସିଜନ୍ ପାଇଁ ପ୍ରସ୍ତୁତ ହେବା।

​​​​​​​ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Vaibhav Sooryavanshi: ଟିମ୍ ଇଣ୍ଡିଆରେ ବୈଭବଙ୍କୁ କାହିଁକି ମିଳିଲାନି ଚାନ୍ସ ? ଦ୍ରାବିଡ୍-ସେହୱାଗଙ୍କ ପୁଅ ସାଜିଲେ କି ବାଧା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia