ପୁରୀ, ୫/୮ : ସ୍ୱର୍ଗଦ୍ୱାରରେ ସରିଗଲା କାଠ । ପୋଡ଼ା ହୋଇ ନପାରି ଘଣ୍ଟା ଘଣ୍ଟା ପଡ଼ି ରହିଲା ଶବ। ଆତ୍ମୀୟ ସ୍ୱଜନମାନେ ହୋହଲ୍ଲା କରିବାରୁ ଦୀର୍ଘ ୩ ଘଣ୍ଟା ପରେ ଗୋଟିଏ ଟ୍ରାକ୍ଟର କାଠ ଆସିଥିଲା । ପରେ ଶବ ଦାହ କରାଯାଇଥିଲା । ମଙ୍ଗଳବାର ସ୍ୱର୍ଗଦ୍ୱାରରେ ଏଭଳି ଅଭାବନୀୟ ଘଟଣା ଉଦ୍ବେଗର ବିଷୟ ହୋଇଛି । ସ୍ୱର୍ଗଦ୍ୱାର ପରିଚାଳନା ଓ ରକ୍ଷଣାବେକ୍ଷଣ ପ୍ରତି ପ୍ରାଶାସନିକ ଅବହେଳା ଚରମ ସ୍ଥିତିରେ ପହଞ୍ଚିଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି ।
ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଶବ ଦାହ ହୋଇ ନପାରି ୪ ଘଣ୍ଟା କାଳ ପିଣ୍ଡିରେ ପଡ଼ି ରହିଥିଲା । ଏହାକୁ ନେଇ ମୃତକଙ୍କ ସମ୍ପର୍କୀୟମାନେ ଅଶାନ୍ତି ଝାଡ଼ିଥିଲେ । ଶବ ନେଇ ଆସିଥିବା ଲୋକେ ପ୍ରଶାସନର ଅବହେଳାକୁ ନିନ୍ଦା କରିଥିଲେ । ପୁରୀର ସୁରେନ୍ଦ୍ର ନାୟକ କହିଛନ୍ତି, ସକାଳୁ ମୋର ଜଣେ ସାଙ୍ଗ ପ୍ରକାଶ ରଣାଙ୍କ ମୃତ୍ୟୁ ଖବର ପାଇଲି । ଶବ ସଂସ୍କାର ନିମନ୍ତେ ସକାଳ ସାଢ଼େ ୭ଟାରେ ସ୍ୱର୍ଗଦ୍ୱାରରେ ପହଞ୍ଚିଲି । ହେଲେ ସେତେବେଳକୁ ସ୍ୱର୍ଗଦ୍ୱାରରେ କାଠ ସରି ଯାଇଥିଲା । ପଞ୍ଜୀକରଣ ପ୍ରକ୍ରିୟା ସାରିବା ପରେ ମଧ୍ୟ କାଠ ଆସିନଥିଲା । କାଠ ଗୋଲାର କର୍ମଚାରୀମାନେ ୧୦ ମିନିଟ୍ ଭିତରେ କାଠ ଆସିବ ବୋଲି କହିଥିଲେ । ହେଲେ ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବା ପରେ ସାଢ଼େ ୯ଟା ବେଳକୁ ଗୋଟିଏ ଟ୍ରାକ୍ଟର କାଠ ଆସିଥିଲା । ପରେ ଶବ ଦାହ ଆରମ୍ଭ ହୋଇଥିଲା । ଶବ ଦାହ ନିମନ୍ତେ ସ୍ୱର୍ଗଦ୍ୱାରରେ କାଠ ଅଭାବ ପଡ଼ିବା ବିସ୍ମୟର ବିଷୟ । ଆଗରୁ ଏପରି ଘଟଣା ଘଟିନଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ଆଗୁଆ ସୂଚନା ଦିଆଯାଇନଥିଲା । ଶବ ବହୁ ସମୟ ପଡ଼ି ରହିବା ପରେ ଦିନ ସାଢ଼େ ୧୦ଟା ବେଳକୁ ସଂସ୍କାର ହୋଇଥିଲା ବୋଲି ଶ୍ରୀ ନାୟକ କହିଛନ୍ତି ।
ସ୍ୱର୍ଗଦ୍ୱାର ଇତିହାସରେ ଏହା ପ୍ରଥମ ଘଟଣା ଭାବେ ଉଲ୍ଲେଖ ହୋଇଛି । ସ୍ୱର୍ଗଦ୍ୱାରକୁ କାଠ ଯୋଗାଇବାରେ କୌଣସି ଅଭାବ ହେବନାହିଁ ବୋଲି ରଥଯାତ୍ରା ବୈଠକରୁ ଆରମ୍ଭ କରି ବିଭିନ୍ନ ସମୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଡିଏଫ୍ଓ ଓ ଓଏଫ୍ଡିସି କର୍ତ୍ତୃପକ୍ଷ କହିଛନ୍ତି । ହେଲେ ହଠାତ୍ ସ୍ୱର୍ଗଦ୍ୱାରରେ କାଠ ଅଭାବ ଦେଖାଦେବା ପ୍ରାଶାସନିକ ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟକୁ ପଦାରେ ପକାଇଛି । ଏନେଇ ପୁରୀ ସ୍ୱର୍ଗଦ୍ୱାର ପରିଚାଳନା ସମିତି କର୍ତ୍ତୃପକ୍ଷ କିନ୍ତୁ ମୁହଁ ଖୋଲିନାହାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସମିତିରେ ଉପଜିଲ୍ଲାପାଳ ଆବାହକ ଭାବେ ଓ ଅନ୍ୟ ପ୍ରାଶାସନିକ କର୍ମଚାରୀମାନେ ସଦସ୍ୟ ଅଛନ୍ତି । ଯେପରି ସ୍ୱର୍ଗଦ୍ୱାରରେ କୌଣସି ବିଶୃଙ୍ଖଳା ନହେବ ସେଥିପାଇଁ ପ୍ରଶାସନିକ ଅଧିକାରୀଙ୍କ ନିରୀକ୍ଷଣରେ ଏହି ସମିତି କରାଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ସ୍ୱର୍ଗଦ୍ୱାରରେ ସଫେଇ ଓ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି ।
ଆହୁରି ପଢନ୍ତୁ- ରାଜ୍ୟରେ ପୁଣି ବଢିବ ବର୍ଷା ପ୍ରକୋପ, ଦୁଇ ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା
ସ୍ୱର୍ଗଦ୍ୱାରକୁ ପ୍ରତିଦିନ ପ୍ରାୟ ୧୦୦ରୁ ଅଧିକ ଶବ ସଂସ୍କାର ନିମନ୍ତେ ଆସୁଥିବାରୁ ଦେଢ଼ କ୍ୱିଣ୍ଟାଲ ଲେଖାଏଁ ହିସାବରେ ଦୈନିକ ପ୍ରାୟ ୨୦୦ କ୍ୱିଣ୍ଟାଲରୁ ଅଧିକ କାଠ ଆବଶ୍ୟକ । ଅସ୍ତରଙ୍ଗ ଓ ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରୁ ସ୍ୱର୍ଗଦ୍ୱାର ନିମନ୍ତେ ଆବଶ୍ୟକ ଝାଉଁ କାଠ ଆସିବା ନିମନ୍ତେ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ । ଓଏଫ୍ଡିସି ଓ ବନ ବିଭାଗ ଏହି କାଠ ଯୋଗାଇବା ଦାୟିତ୍ୱରେ ରହିଛନ୍ତି । ମାତ୍ର ପ୍ରାଶାସନିକ କର୍ତ୍ତୃପକ୍ଷ ଆବଶ୍ୟକ କାଠ ଯୋଗାଇ ଦେବାରେ ବାରମ୍ବାର ଅବହେଳା କରୁଛନ୍ତି । ସେପଟେ ସ୍ୱର୍ଗଦ୍ୱାରରେ କାଠ କେତେ ମହଜୁଦ୍ ଅଛି ଓ କେତେ ଆବଶ୍ୟକ ସେନେଇ ପ୍ରାଶାସନିକ ସମୀକ୍ଷା କିମ୍ବା ଠୋସ୍ ପଦକ୍ଷେପ ନିଆଯାଉନି । ଯାହାକୁ ନେଇ ମଙ୍ଗଳବାର ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଆମ୍ ଆଦ୍ମୀ ପାର୍ଟି ଜିଲ୍ଲା ସଭାପତି ସଂଜୀବ ମହାନ୍ତି କହିଛନ୍ତି, ବନ୍ୟା ପାଣି ଗାଁ ଶ୍ମଶାନ ସମେତ ବିଭିନ୍ନ ଗାଁରେ ପଶିବା ପରେ ଏବେ ମୃତକଙ୍କ ଶବ ଦାହରେ ଲୋକେ ସମସ୍ୟା ଭୋଗୁଛନ୍ତି । ତେଣୁ ବହୁ ଆଶା ନେଇ ସ୍ୱର୍ଗଦ୍ୱାରକୁ ଶବ ନେଇ ଚାଲି ଆସୁଛନ୍ତି । ହେଲେ ଏଠାରେ ଅବ୍ୟବସ୍ଥା ସୀମା ଟପିଛି । ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ହେଲେ ଆତ୍ମାକୁ ସ୍ୱର୍ଗପ୍ରାପ୍ତି ହୁଏ ବୋଲି ଲୋକ ବିଶ୍ୱାସ ରହିଛି । ମାତ୍ର ଏହି ପବିତ୍ର ସ୍ଥାନର ମର୍ଯ୍ୟାଦା ରକ୍ଷା କରିବା ପ୍ରତି ପ୍ରଶାସନ ଧ୍ୟାନ ଦେଉନି । ଉଚିତ୍ ପ୍ରାପ୍ୟ ପ୍ରଶାସନ ଠାରୁ ନେଉଥିଲେ ହେଁ ଦାହକମାନେ ମୃତ ଶରୀର ପୋଡ଼ିବାକୁ ୫୦୦ରୁ ୧୦୦୦ ଟଙ୍କା ଦାବି କରୁଛନ୍ତି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରି ।

