Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Friendship Day : ସୋସିଆଲ୍‌ ମିଡିଆ ଫ୍ରେଣ୍ଡ୍‌ସିପ୍‌ ,ସୁନ୍ଦର ନୁହେଁ ଅପରାଧରେ ସରୁଛି ବନ୍ଧୁତା ପ୍ରେମ

Friendship Day : ସୋସିଆଲ୍‌ ମିଡିଆ ଫ୍ରେଣ୍ଡ୍‌ସିପ୍‌ ,ସୁନ୍ଦର ନୁହେଁ ଅପରାଧରେ ସରୁଛି ବନ୍ଧୁତା ପ୍ରେମ

ବ୍ରହ୍ମପୁର,୦୨ \୮ : ଏବେ ସମସ୍ତଙ୍କ ହାତରେ ମୋବାଇଲ ଫୋନ୍ । ଟିପ ଛୁଇଁଲେ ଇଣ୍ଟର୍ନେଟ୍ ର ଅନନ୍ତ ମହାସାଗର । ସବୁ କିଛି ହାତ ପାହାନ୍ତାରେ । ଏବେ ନୂଆ ସମ୍ପର୍କ ତିଆରି ପାଇଁ ସାମାଜିକ ଗଣମାଧ୍ୟମ ବା (ସୋସିଆଲ ମିଡିଆ) ସାଜିଛି ମାଧ୍ୟମ । ବନ୍ଧୁତାରୁ ହେଉଛି ପ୍ରେମ । ଆଉ କିଛି କ୍ଷେତ୍ରରେ ଏହି ପ୍ରେମ ସରୁଛି ଅପରାଧରେ ।

ଏନ୍ସିଆର୍ବି (ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ତଥ୍ୟ ଅନୁଯାୟୀ, ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଚଳିତ ବର୍ଷ ଜୁଲାଇ ସୁଦ୍ଧା ୪୪ଟି ମାମଲା ରୁଜୁ ହୋଇଛି । ଏହା ମଧ୍ୟରୁ ୧୧ଟି ମାମଲା ଏହିପରି ସୋସିଆଲ ମିଡିଆରୁ ବନ୍ଧୁତ୍ୱ, ଭଲପାଇବା ଓ ପରେ ପ୍ରତାରଣା ମାମଲା । ଚଳିତ ବର୍ଷ ୩ଜଣ ବନ୍ଧୁତାରେ ବିଶ୍ୱାସଘାତକତା କରି ଗିରଫ ହୋଇଛନ୍ତି । ସେହିଭଳି ୨୦୨୫ରେ ସୋସିଆଲ ମିଡିଆରୁ ସାଙ୍ଗ ବନିଥିବା ଯୁବତୀ ଓ ମହିଳାଙ୍କୁ ପ୍ରେମ ଓ ବିବାହ ନିବେଦନ କରି ବିଫଳ ହେବାପରେ ସେମାନଙ୍କ ଆପତ୍ତିଜନକ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ୮ଜଣ ଗିରଫ ହୋଇଛନ୍ତି ।

ବ୍ଲାକମେଲର ସାଜିଲେ ଅବକାରୀ ବାବୁ

ଗତ ଫେବ୍ରୁଆରୀ ମାସର ଘଟଣା । ସାମାଜିକ ଗଣମାଧ୍ୟମ ବନ୍ଧୁତାରୁ ଜଣେ ଅବକାରୀ ବାବୁ ବିବାହିତ ହୋଇ ମଧ୍ୟ ଜଣେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ । ବାରମ୍ବାର ଶାରୀରିକ ସମ୍ପର୍କ ବି ହେଲା । ଅନ୍ତରଙ୍ଗ ସମୟର କିଛି ଫଟୋକୁ ନେଇ ଯୁବତୀଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କଲେ । ଫଟୋ ବଦଳରେ ଟଙ୍କା ଦାବି କଲେ । ଯୁବତୀ ଦୁଇଟି ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଦେଇଥିଲେ । ହେଲେ ଲୋଭର ସୀମା ଟପିଲେ । ଶେଷରେ ଗତ ଫେବ୍ରୁଆରୀ ୧୩ ତାରିଖରେ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଦ୍ୱାରା ଅବକାରୀ ଏଏସ୍ଆଇ ସୁରେନ୍ଦ୍ର ପ୍ରଧାନ ଗିରଫ ହୋଇ ଜେଲ ଯାଇଥିଲେ ।

ବନ୍ଧୁତାରେ ସଫଳ, ପ୍ରେମରେ ବିଫଳ

ସୋସିଆଲ ମିଡିଆରୁ ବନ୍ଧୁତା କଲେ । ଜଣେ ଭଲ ସାଙ୍ଗର ଅଭିନୟ କରି ନିକଟତର ହେଲେ । ପରେ ପ୍ରେମ ନିବେଦନ କରି ବିଫଳ ହୋଇଥିଲେ । ଏହାପରେ ଯୁବତୀଙ୍କ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କଲେ । ଯୁବତୀ ୨୦୨୬ ଏପ୍ରିଲ ୧୧ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କଲେ । ଯୁବକ ଥାନାକୁ ଆସି ଫଟୋକୁ ସୋସିଆଲ ମିଡିଆରୁ ହଟାଇବା ସହ ଭୁଲ ମାଗି ଚାଲିଗଲେ । ଏହାପରେ ପୁଣି ଫୋନ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କଲେ । ଏପରିକି ଯୁବତୀ ରହୁଥିବା ଘରକୁ ଦୁଇଥର ଧସେଇ ପଶି ମାରପିଟ୍ ମଧ୍ୟ କରିଥିଲେ । ପୁଣି ଥରେ ଫଟୋ ସୋସିଆଲ ମିଡିଆରେ ଛାଡ଼ି ଧମକ ଦେଲେ । ଏହିପରି ଏକ ମାମଲା ଗତ ଏପ୍ରିଲରେ ସାମ୍ନାକୁ ଆସିଥିଲା । ଶେଷରେ ଅଭିଯୁକ୍ତ ସୁମନ୍ତ ନାହାକ ବ୍ରହ୍ମପୁର ସାଇବର ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିଲା ।

ବନ୍ଧୁତା ଓ ସମ୍ପର୍କକୁ ଭୁଲିଗଲେ

ଯେଉଁଥିରୁ ବନ୍ଧୁତା ଆରମ୍ଭ ହୋଇଥିଲା, ସେଥିରେ ହିଁ ଶେଷ ହୋଇଗଲା । ୨୦୨୫ ଅଗଷ୍ଟର ଘଟଣା, ଜଣେ ସମ୍ପର୍କୀୟଙ୍କ ସହ ଯୁବତୀଙ୍କର ସୋସିଆଲ ମିଡିଆରେ ଦୁଇ ବର୍ଷ ଆଗରୁ ବନ୍ଧୁତା ହୋଇଥିଲା । ପରେ ବନ୍ଧୁତା ନିବିଡ଼ ହୋଇଥିଲା । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଯୁବକ ବନ୍ଧୁତାକୁ ଭୁଲିଗଲେ । ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଅଭିଯୁକ୍ତ ଭାଇରାଲ କରିଥିଲେ । ଗିରଫ ହୋଇ ଜେଲ ମଧ୍ୟ ଗଲେ । ସେହିପରି ୨୦୨୫ ନଭେମ୍ବରରେ ସୁରେଶ ନାୟକ ନାମକ ଯୁବକ ବ୍ରହ୍ମପୁର ସାଇବର ଥାନା ଦ୍ୱାରା ଗିରଫ ହୋଇଥିଲେ । ସେ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଏକ ତରଫା ପ୍ରେମ କରିଥିଲେ । ବିବାହ ପାଇଁ ନିବେଦନ କରି ନିରାଶ ହେବା ପରେ ଯୁବତୀଙ୍କ ଫୋନ୍ ନେଇ ବିଭିନ୍ନ ଫଟୋରେ ଅଶ୍ଲୀଳ ଲେଖା ରଖି ଭାଇରାଲ କରି ଗିରଫ ହୋଇଥିଲେ ।

୨୦୨୫ ଅଗଷ୍ଟରେ ବ୍ରହ୍ମପୁର ସାଇବର ଥାନା ଦ୍ୱାରା ଗିରଫ ହୋଇଥିଲେ ବଣ୍ଟୁ ପରିଡ଼ା । ସ୍କୁଲ ସମୟରୁ ମହିଳାଙ୍କ ସହ ପରିଚିତ ଥିଲେ । ପ୍ରାୟ ୨୦ ବର୍ଷ ଧରି ଏକତରଫା ପ୍ରେମ କଲେ । ମହିଳାଙ୍କ ନାମରେ ବହୁ ନକଲି ଆକାଉଣ୍ଟ ଖୋଲି ଅଶ୍ଲୀଳ ଲେଖାର ପ୍ରଚାର କରି ଗିରଫ ହୋଇଥିଲେ ।

ଆଜି ବନ୍ଧୁତ୍ୱ ଦିବସ । 'କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର' - ଏକ ସୁନ୍ଦର କବିତାର ଧାଡ଼ିଟିଏ । ସାମାଜିକ ଗଣମାଧ୍ୟମରେ ଏବେ ବନ୍ଧୁଙ୍କର ଅଭାବ ନାହିଁ । କ୍ରମେ ଏହି ବନ୍ଧୁତା ପରିଣତ ହେଉଛି ପ୍ରେମରେ । କିଛି ସଫଳ ହେଉଛି, କିଛି ଶେଷ ହେଉଛି ପ୍ରତାରଣାରେ । ବନ୍ଧୁତାର ପରିଭାଷାକୁ ଭଲଭାବେ ବୁଝିବା ପରେ ବନ୍ଧୁ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia