ଭୁବନେଶ୍ବର, ୩୦/୦୪: ଜିତୁ ମୁଣ୍ଡା ବ୍ୟାଙ୍କକୁ କଙ୍କାଳ ଆଣିବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ବ୍ୟାଙ୍କ୍ କର୍ତ୍ତୃପକ୍ଷ ଜିତୁଙ୍କୁ ଟଙ୍କା ନଦେଇ ଫେରାଇ ଦେଇଥିଲେ । ତେଣୁ ଅଭାବନୀୟ ଘଟଣା ପାଇଁ ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଭାବେ ଦାୟୀ । ଗୁରୁବାର ଉତ୍ତରାଞ୍ଚଳ ଆରଡିସି ଘଟଣା ତଦନ୍ତ କରି ଏଭଳି କହିଛନ୍ତି ।
ଜିତୁ ମୁଣ୍ଡା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଭଉଣୀର କଙ୍କାଳ ଆଣିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଏହି ଅଭାବନୀୟ ଘଟଣାରେ RDC ତଦନ୍ତ ହୋଇଛି । ଗୁରୁବାର RDC ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପ୍ରଥମେ ପାଟଣା ସ୍ଥିତ ପଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ମ୍ୟାନେଜର ଏବଂ ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ । ଏହାସହିତ ବ୍ୟାଙ୍କର ସିସିଟିଭି ଫୁଟେଜକୁ ପୁଙ୍ଖାନୁପୁଙ୍ଖ ଭାବେ ଚେକ୍ କରିଥିଲେ । ପ୍ରାୟ ଏକ ଘଣ୍ଟା କାଳ ତଦନ୍ତ ପରେ ଏହି ସମ୍ବେଦନଶୀଳ ଘଟଣାର ସବୁ ସତ ସାମ୍ନାକୁ ଆସିଛି । ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କ କର୍ମଚାରୀ ଟଙ୍କା ନଦେଇ ଫେରାଇ ଦେଇଥିଲେ । ଦିନ ୧୧ଟା ୨୬ରେ ଜିତୁ ବ୍ୟାଙ୍କକୁ ଆସିଥିଲେ ଏବଂ ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଥିଲେ । ସେହି ସମୟରେ ସେ ୪ଥର ବ୍ୟାଙ୍କ କର୍ମଚାରୀଙ୍କୁ ଭେଟିଥିଲେ । ମୃତ ଭଉଣୀ କାଲାରା ମୁଣ୍ଡା ଜମା ରଖିଥିବା ୧୯ ହଜାର ୩୦୦ ଟଙ୍କା ଉଠାଇବାକୁ କହିଥିଲେ । ମାତ୍ର ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଉଠାଇବାରେ ବିଫଳ ହେବା ପରେ ବ୍ୟାଙ୍କ୍ ମ୍ୟାନେଜର ସହିତ ସାକ୍ଷାତ କରିଥିଲେ । ହେଲେ ଭଉଣୀର ମୃତ୍ୟୁ ପ୍ରମାଣ ପତ୍ର ଆଣିନଥିବାରୁ ତାଙ୍କୁ ସେ ମଧ୍ୟ ଫେରାଇ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଜିତୁ ଭଉଣୀର କଙ୍କାଳ ଆଣିଥିଲେ ବ୍ୟାଙ୍କ ସମ୍ମୁଖରେ ବସିରହିଥିଲେ ବୋଲି ଆରଡିସି ତଦନ୍ତରୁ ଜଣାପଡ଼ିଛି ।
କେବଳ ଏତିକି ନୁହେଁ ଆଜି ସକାଳେ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହିତ ପୂରା ଟିମ୍ ଜିତୁ ମୁଣ୍ଡାଙ୍କ ଗାଁ ତଥା ଡିଆନାଳୀରେ ପହଞ୍ଚିଥିଲେ । ସେଠାରେ ତଦନ୍ତକାରୀ ଦଳ ଜିତୁଙ୍କ ସହ ଏବାବଦରେ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ସେ ଭଉଣୀର କଙ୍କାଳ ବ୍ୟାଙ୍କକୁ ନେଇ ଯାଇଥିଲେ ପଚାରି ବୁଝିଥିଲେ । ଅନ୍ୟପଟେ ଆରଡିସି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ପହଁଚି ତଦନ୍ତ କରିଛନ୍ତି । କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ମେଡିକାଲ ପକ୍ଷରୁ ଜିତୁଙ୍କୁ ମୃତ୍ୟୁ ପ୍ରମାଣ ପତ୍ର ମିଳିନଥିଲା । ମେଡିକାଲ କର୍ତ୍ତୃପକ୍ଷ ଡେଥ୍ ସାର୍ଟିଫିକେଟ୍ ଦେବାରେ ଆବହେଳା କରିଛନ୍ତି ବୋଲି ଆରଡିସି ଘଟଣାର ତଦନ୍ତ ପରେ କହିଛନ୍ତି ।
ସୂଚନା ଅନୁଯାୟୀ, ଜମା ଟଙ୍କା ପାଇବାକୁ ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ଆଗରେ ରଖିଥିଲେ ଜିତୁ ମୁଣ୍ଡା । ଏହାର ୨୪ ଘଣ୍ଟା ପରେ ଜିତୁଙ୍କ ଘରେ ପହଞ୍ଚିଥିଲା ବ୍ୟାଙ୍କ । ଭଉଣୀଙ୍କ ଜମା ଖାତାରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ଦେଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଗତ ସୋମବାର ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ । ବଡ଼ ଭଉଣୀ କାଲାରା ମୁଣ୍ଡା (୫୦)ଙ୍କ ଜମା ଟଙ୍କା ପାଇବାକୁ ଭାଇ ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ଆଗରେ ବସିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଚେତା ପଶିବା ସହ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି । ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

