ନୂଆଦିଲ୍ଲୀ ୦୮/୦୪: ବକ୍ ଇନ୍ଷ୍ଟିଚ୍ୟୁଟ୍ର ଗବେଷକମାନେ ଏକ ନୂଆ ଔଷଧ ପାଇଛନ୍ତି । ନାଁ ଏନ୍-ପ୍ରୋପାର୍ଗିଲଗାଇସିନ୍ (ଏନ୍- ପିପିଜି) । ଏକ ବିରଳ ପ୍ରାଣଘାତକ କିଡ୍ନୀ ରୋଗ ପ୍ରାଇମେରୀ ହାଇପରଅକ୍ସାଲୁରିଆ ଟାଇପ୍-୨ (ପିଏଚ୍୨)ରେ ପୀଡ଼ିତ ମୂଷାର ମୃତ୍ୟୁକୁ ଏହା ସମ୍ପୂର୍ଣ୍ଣ ପ୍ରତିରୋଧ କରୁଛି । ଅଧ୍ୟୟନର ତଥ୍ୟ କିଡ୍ନୀ ଇଣ୍ଟରନ୍ୟାସନାଲ ପତ୍ରିକାରେ ପ୍ରକାଶ ପାଇଛି ।
ପିଏଚ୍-୨ ଏକ ଜିନ୍ଗତ ବିକାର, ଯେଉଁଥିରେ ମାତ୍ରାଧିକ ଅକ୍ସାଲେଟ୍ ପ୍ରସ୍ତୁତ କରେ, ଯାହା କ୍ୟାଲସିୟମ୍ ଅକ୍ସାଲେଟ୍ କ୍ରିଷ୍ଟାଲ୍ସ ବୃଦ୍ଧି କରେ । ଏହା କିଡ୍ନୀରେ ପଥର ସୃଷ୍ଟି କରେ, କିଡ୍ନୀକୁ କ୍ଷତି ପହଞ୍ଚାଏ ଏବଂ ପିଲା ଓ ଯୁବାଙ୍କ କିଡ୍ନୀକୁ ନଷ୍ଟ କରିଦିଏ । ଏହାର ଲକ୍ଷଣ ହେଉଛି ଶରୀର ପଛପଟ, ପାର୍ଶ୍ୱରେ, ତଳିପେଟ କିମ୍ବା ଗ୍ରୋଇନ୍ରେ ଭୀଷଣ ଯନ୍ତ୍ରଣା । ରକ୍ତ ଯୋଗୁ ମୂତ୍ର ଗୋଲାପି, ଲାଲ୍ କିମ୍ବା ଧୂସର ଦିଶେ । ବାରମ୍ବାର ପରିସ୍ରା ଲାଗେ । ପରିସ୍ରାବେଳେ ଯନ୍ତ୍ରଣା ହୁଏ । ପୂର୍ଣ୍ଣ ମୂତ୍ରତ୍ୟାଗରେ ସମସ୍ୟା ହୁଏ । ଜ୍ୱର ସହିତ ପେଟ ଗଡ଼ବଡ଼ ରହେ ଓ ବାନ୍ତିହୁଏ । ଏ ମାମଲାରେ ୨୫ରୁ ୩୫ ପ୍ରତିଶତ ରୋଗୀଙ୍କ କିଡ୍ନୀ ଅଚଳ ରିପୋର୍ଟ ହୋଇଛି ।

ନୂଆ ଔଷଧ ଏନ୍-ପିପିଜି ହାଇଡ୍ରୋକ୍ସିପ୍ରୋଲାଇନ୍କୁ ବିଭାଜିତ କରି ଯକୃତ ଓ କିଡ୍ନୀରେ ମାତ୍ରାଧିକ ଅକ୍ସାଲେଟ୍ ଉତ୍ପନ୍ନ କରୁଥିବା ଏକ ଏନ୍ଜାଇମ୍ (ହାଇପିଡିଏଚ୍/ପ୍ରୋଡିଏଚ୍୨)କୁ ଅବରୋଦ୍ଧ କରେ । ଏହା ମଧ୍ୟ ମାଇଟୋହର୍ମେସିସ୍କୁ ଉତ୍ତେଜିତ କରେ । ଏହା ଏକ ହାଲୁକା ଚାପ ଯାହା ମାଇଟୋକଣ୍ଡ୍ରିଆକୁ ଶକ୍ତିଶାଳୀ କରି କିଡ୍ନୀକୁ ଅଧିକ ମଜଭୁତ କରେ । ଏହି ରୋଗରେ ପୀଡ଼ିତ ମୂଷା ଉପରେ ଗବେଷକମାନେ ଏହି ନୂଆ ଔଷଧକୁ ପରୀକ୍ଷା କଲେ । ଫଳ ଅତ୍ୟନ୍ତ ଆଶାଜନକ ଥିଲା । ଏହା ପୀଡ଼ିତ ମୂଷାର କିଡ୍ନୀ ଅଚଳ ହେବାରୁ ଏହା ରକ୍ଷା କଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରୋଗ ଘାତକ ହେଲେ ମଧ୍ୟ ସ୍ୱାଭାବିକ ବଞ୍ଚିବା ପାଇଁ ଏହା ମୂଷାକୁ ସାହାଯ୍ୟ କଲା । ଛୋଟ ପରୀକ୍ଷଣରେ ମୂଷା କମ୍ ଅକ୍ସାଲେଟ୍ଯୁକ୍ତ ପରିସ୍ରା କରିଥିଲା । ଷ୍ଟୋନ୍ କମିଥିଲା ଏବଂ କିଡ୍ନୀ ର କମ୍ କ୍ଷତି ହେବା ସହିତ ଭଲ କାମ କରିଥିଲା । ୬ ମାସର ପରୀକ୍ଷାରେ ଚିକିତ୍ସାଠୁ ଦୂରରେ ରଖାଯାଇଥିବା ମୂଷା ୧୫ ସପ୍ତାହରେ କିଡ୍ନୀ ଅଚଳ ଯୋଗୁ ପ୍ରାଣ ହରାଇଲା । ଏନ୍- ପିପିଜି ଦ୍ୱାରା ଚିକିତ୍ସିତ ମୂଷା ୨୪ ସପ୍ତାହ ଭଲରେ ବଞ୍ଚିଲେ । ସୁସ୍ଥ ମୂଷାଙ୍କ ଭଳି ଭଲ ଓଜନ ଓ କିଡ୍ନୀ ସହ ଜୀବନ ବିତାଇଲେ ।
ଆହୁରି ପଢ଼ନ୍ତୁ...୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଚିକିତ୍ସା ପାଇଁ ଯଥେଷ୍ଟ କି ? ପଲିସି କରିବା ପୂର୍ବରୁ ଜାଣନ୍ତୁ ୬ଟି ବଡ଼ କଥା

