Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Gold-Silver Import Duty : ସୁନା ଓ ରୁପା ଉପରେ ଇମ୍ପୋର୍ଟ ଡ୍ୟୁଟି କମାଇବା ନେଇ ବିଚାର କରୁଛନ୍ତି ସରକାର

Gold-Silver Import Duty : ସୁନା ଓ ରୁପା ଉପରେ ଇମ୍ପୋର୍ଟ ଡ୍ୟୁଟି କମାଇବା ନେଇ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ : ସୁନା ଓ ରୁପା ଉପରେ ଇମ୍ପୋର୍ଟ ଡ୍ୟୁଟି ବା ଆମଦାନୀ ଶୁଳ୍କ ବଢ଼ାଇବା ପାଇଁ ସରକାର ନେଇଥିବା ନିଷ୍ପତ୍ତି , ଆଶାନୁରୂପ ଫଳପ୍ରଦ ହୋଇ ପାରି ନାହିଁ । ଆମଦାନୀ ଉପରେ ରୋକ୍ ଲଗାଇବା ପାଇଁ ଶୁଳ୍କ ବୃଦ୍ଧି କରାଯାଇ ଥିଲେ ବି, ଦେଶରେ ସୁନାର ଚାହିଦାରେ କୌଣସି ବିଶେଷ ହ୍ରାସ ଦେଖିବାକୁ ମିଳି ନାହିଁ । ବରଂ ଏହାର ବିପରୀତ, ବେଆଇନ କାରବାର ବୃଦ୍ଧି ପାଇଛି ।

ଏବେ କେନ୍ଦ୍ର ସରକାର ସୁନା ଏବଂ ରୁପା ଉପରେ ଇମ୍ପୋର୍ଟ ଡ୍ୟୁଟି ହ୍ରାସ କରିବା ନେଇ ଗମ୍ଭୀରତାର ସହ ଆଲୋଚନା କରୁ ଥିବାର ଖବର ଆସିଛି ।

ଜେମ୍ସ ଆଣ୍ଡ ଜୁଏଲରୀ କାଉନସିଲର ଚେୟାରମ୍ୟାନ ରାଜେଶ ରୋକଡେ 'ଇଟି ଅନଲାଇନ'କୁ କହିଛନ୍ତି ଯେ, ଉଚ୍ଚ ଟ୍ୟାକ୍ସ ହାର ନିଜର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି, ଯାହା ପରେ ସରକାର ଏହି ନୀତି ଉପରେ ପୁନର୍ବିଚାର କରୁଛନ୍ତି ।

ଇମ୍ପୋର୍ଟ ଡ୍ୟୁଟି କମାଇବା ନେଇ ବିଚାର -

ଇକୋନୋମିକ୍ସ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ସରକାର ଯେତେବେଳେ ସୁନା ଉପରେ ଇମ୍ପୋର୍ଟ ଡ୍ୟୁଟି ବଢ଼ାଇ ଥିଲେ, ଜୁଏଲରୀ ସଂସ୍ଥାଗୁଡ଼ିକ ପୂର୍ବରୁ ହିଁ ସଚେତନ କରାଇ ଥିଲେ । ଅତ୍ୟଧିକ ଟ୍ୟାକ୍ସ ଯୋଗୁଁ ବେଆଇନ କାରବାରକୁ ପ୍ରୋତ୍ସାହନ ମିଳିବ ବୋଲି ସେମାନେ କହି ଥିଲେ । ରୋକଡେଙ୍କ ଅନୁସାରେ, ଠିକ୍ ସେଇଆ ହିଁ ହେଲା । ଶୁଳ୍କ ବଢ଼ିଲେ ସୁନା ଆମଦାନୀ କମିବ ବୋଲି ସରକାର ଆଶା ରଖି ଥିଲେ, କିନ୍ତୁ ତାହା ହେଲା ନାହିଁ । ଆମଦାନୀରେ ତ ହ୍ରାସ ଘଟିଲା ନାହିଁ, ବରଂ ଦେଶରେ ଗ୍ରେ ମାର୍କେଟର ପରିସର ଖୁବ୍ ଦ୍ରୁତ ଗତିରେ ବିସ୍ତାର ହେଲା । ଲୋକମାନେ ଟ୍ୟାକ୍ସ ବଞ୍ଚାଇବା ପାଇଁ ବେଆଇନ ରାସ୍ତା ଆପଣାଇବାକୁ ଲାଗିଲେ ।

ସଠିକ୍ ସମୟର ଅପେକ୍ଷାରେ ସରକାର -

ରୋକଡେଙ୍କ କହିବା ଅନୁସାରେ , ସରକାର ଦୀର୍ଘ ଦିନରୁ ଏହି ପ୍ରସଙ୍ଗ ଉପରେ ମାନସ ମନ୍ଥନ କରୁଛନ୍ତି । ବର୍ତ୍ତମାନ ଶୁଳ୍କ ହ୍ରାସ ସଂପର୍କରେ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଆଲୋଚନା ଜାରି ରହିଛି । ସରକାର କେବଳ ଏକ ସଠିକ୍ ସମୟକୁ ଅପେକ୍ଷା କରିଛନ୍ତି, ଯେତେବେଳେ କି ଡ୍ୟୁଟି ହ୍ରାସ ନେଇ ଘୋଷଣା କରାଯାଇ ପାରିବ । କହି ରଖୁଛୁ କି ,ଚଳିତ ବର୍ଷ ମେ' ମାସରେ କେନ୍ଦ୍ର ସରକାର ସୁନା ଏବଂ ରୁପା ଉପରେ କଷ୍ଟମ ଡ୍ୟୁଟିକୁ ୬ ପ୍ରତିଶତରୁ ବୃଦ୍ଧି କରାଇ ସିଧାସଳଖ ୧୫ ପ୍ରତିଶତ କରି ଦେଇ ଥିଲେ । ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇ ଥିଲା ।

ଭାରତରେ ସୁନାର ଖୁବ୍ ଚାହିଦା -

ସମଗ୍ର ବିଶ୍ୱରେ ଚୀନ୍ ପରେ ଭାରତ ହେଉଛି ସୁନାର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା । ଦେଶରେ ପ୍ରତିବର୍ଷ ପ୍ରାୟ ୭୦୦ ରୁ ୯୦୦ ଟନ୍ ସୁନା ଆମଦାନୀ ହୋଇଥାଏ । ସରକାରୀ ତଥ୍ୟ ଉପରେ ନଜର ପକାଇଲେ, ଆର୍ଥିକ ବର୍ଷ ୨୬ ରେ ସୁନା ଆମଦାନୀ ୨୪ ପ୍ରତିଶତ ବୃଦ୍ଧି ପାଇ ୭୧.୯ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚି ଥିଲା । ଯଦିଓ ପରିମାଣ ହିସାବରେ ଆମଦାନୀ ହ୍ରାସ ପାଇ ୭୨୧ ଟନକୁ ଖସି ଆସି ଥିଲା, ତଥାପି ବିଲର ବୋଝ କମି ନ ଥିଲା।

ଆଜି ସୁନା ଦରରେ ହ୍ରାସ -

ଇମ୍ପୋର୍ଟ ଡ୍ୟୁଟିକୁ ନେଇ ଚାଲିଥିବା ଏହି ଆଲୋଚନା ମଧ୍ୟରେ ସୁନା ଦର କିଛିଟା କମିଛି । ସ୍ପଟ୍ ଡିମାଣ୍ଡରେ ହ୍ରାସ କାରଣରୁ ଫ୍ୟୁଚର ଟ୍ରେଡରେ ହଳଦିଆ ଧାତୁର ଦାମ୍ ୨,୦୪୫ ଟଙ୍କା ହ୍ରାସ ପାଇଛି। ଏହି ହ୍ରାସ ପରେ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧,୫୪,୨୩୬ ଟଙ୍କା ସ୍ତରକୁ ଆସି ଯାଇଛି ।

ଆହୁରି ମଧ୍ୟ ପଢନ୍ତୁ -

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia