Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Gundicha Temple closed: ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ, ଜନ୍ମବେଦି ପରିଦର୍ଶନ ନକରି ଶ୍ରଦ୍ଧାଳୁ ନିରାଶ

Gundicha Temple closed: ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ, ଜନ୍ମବେଦି ପରିଦର୍ଶନ ନକରି ଶ୍ରଦ୍ଧାଳୁ ନିରାଶ

ପୁରୀ,୦୨/୦୮: ଆଶା ଥିଲା ଚଳିତ ରଥଯାତ୍ରା ପରେ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନର ସବୁଦିନିଆ ସୁଯୋଗ ମିଳିବ । ପ୍ରଶାସନ ନିଜର ପୂର୍ବ ପ୍ରତିଶ୍ରୁତି ରକ୍ଷା କରିବ । ହେଲେ ଅଦ୍ୟାବଧି ଏହି ଆଶା ଆଶାରେ ରହିଯାଇଛି । ଏପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେଲା ନାହିଁ ।

ଫଳରେ ସବୁଦିନ ଶ୍ରୀଜିଉଙ୍କ ଜନ୍ମବେଦି ପରିଦର୍ଶନ କରିବାକୁ ଆସୁଥିବା ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରୁ ନିରାଶରେ ଫେରୁଛନ୍ତି ।

ସେପଟେ ରଥଯାତ୍ରା ସରିବା ପରେ ନୂଆ ରୂପ ନେଇଥିବା ଜନ୍ମବେଦିର ଚାରିପାଶ୍ୱର୍ ପ୍ରଯତ୍ନ ଅଭାବରୁ ଅଳିଆ ଆବର୍ଜନା ଘେରରେ ପଡ଼ି ରହିଛି । ଏହାକୁ ସଫାସୁତୁରା ରଖିବାକୁ ଠୋସ୍ ପଦକ୍ଷେପ ନିଆଯାଉନାହିଁ । ଫଳରେ ବହୁ କୋଟି ଟଙ୍କା ବ୍ୟୟରେ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ହୋଇଥିବା ଶ୍ରୀଜିଉଙ୍କ ଜନ୍ମବେଦି ଆରମ୍ଭରୁ ତାହାର ଔଜଲ୍ୟତା ହରାଇବାକୁ ବସିଲାଣି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଶ୍ୱର୍ ପୁଣି ପୁତିଗନ୍ଧମୟ ପରିବେଶକୁ ଚାଲିଗଲାଣି ।

ପ୍ରଶାସନିକ ନିରୀକ୍ଷଣ ନଥିବାରୁ କିଛି ଅସାଧୁ ବ୍ୟକ୍ତି ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ଜଗି ରହି ଛୋଟ ଗେଟ ବାଟେ ଭିତର ଦର୍ଶନ କରିବା ନିମନ୍ତେ ଟଙ୍କା ଆଦାୟ ଆରମ୍ଭ କରିଦେଇଛନ୍ତି । ଏଭଳି ଶୋଷଣକୁ ପ୍ରଶାସନ ବନ୍ଦ କରିବାକୁ ପଦକ୍ଷେପ ନେଉନି । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବଲିକୁ ସୁରକ୍ଷା ଦେଇ ଏହାର ଗୁଣବତ୍ତା ବଜାୟ ରଖିବାକୁ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଗଲାନି । ମହାପ୍ରଭୁଙ୍କ ସ୍ପର୍ଶ ପାଇଁ ଶରଧାବାଲି ଦିବ୍ୟ ହୋଇଉଠିଛି । ତେଣୁ ପ୍ରତିଦିନ ଶରଧାବାଲିରେ ସମୟ କାଟିବା ଓ ଏହାକୁ ପ୍ରଣାମ କରି ମୁଠାଏ ବାଲି ନେବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଅଦ୍ୟାବଧି ଶରଧାବାଲି ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ହତାଦର ମନୋଭାବ ଦେଖାଇ ଆସୁଛି ।

ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିର ଉତ୍ତର ପାର୍ଶ୍ବ ନୂଆ ଗୁମୁଟ ଆଗରେ ରହିଥିବା ବାଲିକପିଳେଶ୍ୱର ମନ୍ଦିରକୁ ଘେରି ରହିଥିବା ବଟ ବୃକ୍ଷର ପକ୍ଷ ଛେଦନ କରାଯାଇଛି । ବର ଗଛର ଡାଳ କାଟିବା ବେଳେ ଏହା ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରି ଉପରେ ପଡ଼ି ଗୋଟିଏ ପଥର ଭାଙ୍ଗିଯାଇଛି । ଅଗ୍ନିଶମ ବାହିନୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ କାମ ଚୂଡ଼ାନ୍ତ କରିବା ବାବଦରେ ସମୀକ୍ଷା ପରେ ଏହାକୁ ସବୁଦିନିଆ ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଶୀଘ୍ର ପଦକ୍ଷେପ ନେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia