Dailyhunt
ହାଇଦ୍ରାବାଦରୁ ଚଣ୍ଡିଗଡ଼ ଯାଉଥିବା ଇଣ୍ଡିଗୋ ବିମାନରେ  ପାୱାର ବ୍ୟାଙ୍କରୁ ଲାଗିଲା ନିଆଁ, ଏମର୍ଜେନ୍ସି ଏକଜିଟରେ ବାହାରିଲେ ଯାତ୍ରୀ

ହାଇଦ୍ରାବାଦରୁ ଚଣ୍ଡିଗଡ଼ ଯାଉଥିବା ଇଣ୍ଡିଗୋ ବିମାନରେ ପାୱାର ବ୍ୟାଙ୍କରୁ ଲାଗିଲା ନିଆଁ, ଏମର୍ଜେନ୍ସି ଏକଜିଟରେ ବାହାରିଲେ ଯାତ୍ରୀ

ନୂଆଦିଲ୍ଲୀ,୫।୫: ଚଣ୍ଡିଗଡ ଏୟାରପୋର୍ଟରୁ ମଙ୍ଗଳବାର ଆସିଛି ବଡ଼ ଖବର। ଏୟାରପୋର୍ଟରେ ଥିବା ଇଣ୍ଡିଗୋ ବିମାନରେ ଥିବା ଜଣେ ଯାତ୍ରୀଙ୍କ ପାଓ୍ବାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଏହାଦ୍ବାରା ସେଠାରେ ଖେଳିଯାଇଥିଲା ଆତଙ୍କ। ତୁରନ୍ତ ସବୁ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ବାହାର କରାଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଏହି ଘଟଣା ହାଇଦ୍ରାବାଦରୁ ଚଣ୍ଡୀଗଡ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଘଟିଥିଲା।

ସୁରକ୍ଷାକୁ ଦୃଷ୍ଟିରେ ରଖି, ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଦେଇ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।

ଇଣ୍ଡିଗୋ ଏୟାରଲାଇନ୍ସର ସୂଚନା ଅନୁସାରେ, ମଙ୍ଗଳବାର ଯେତେବେଳେ ହାଇଦ୍ରାବାଦରୁ ଚଣ୍ଡିଗଡ ଆସୁଥିବା ଇଣ୍ଡିଗୋ ବିମାନ 6E 108 ଲ୍ୟାଣ୍ଡିଂ ପରେ ଠିଆ ହୋଇଥିଲା। ସେତେବେଳେ ଜଣେ ଯାତ୍ରୀଙ୍କ ପାଓ୍ବାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଫ୍ଲାଇଟ୍ ଖାଲି କରାଯାଇଥିଲା। ସେତେବେଳେ ସମ୍ପର୍କିତ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଆଯାଇଥିଲା। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଟର୍ମିନାଲ ପର୍ଯ୍ୟନ୍ତ ପହଁଞ୍ଚାଇ ଦିଆଯାଇଛି। ଆମର ଟିମ୍ ତାଙ୍କର ଦେଖାଶୁଣା କରୁଛନ୍ତି। ଫଳରେ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିହେବ। ବିମାନକୁ ପୁଣିଥରେ ଚଳାଇବା ପୂର୍ବରୁ ଠିକ୍ ଭାବରେ ଯାଞ୍ଚ କରାଯିବ। ଇଣ୍ଡିଗୋରେ ଆମ ଯାତ୍ରୀ ଓ କ୍ରୁ ସୁରକ୍ଷା ସବୁଠାରୁ ବଡ଼ ପ୍ରାଥମିକତା।

ଉଲ୍ଲେଖନୀୟ ଯେ, ବିମାନରେ ପାଓ୍ବାର ବ୍ୟାଙ୍କ ନେବାର ଅନୁମତି କେବଳ ହ୍ୟାଣ୍ଡ ବ୍ୟାଗ୍‌ରେ ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬ ରେ ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ, ଯାତ୍ରୀଙ୍କୁ ବିମାନରେ ଫୋନ୍ ଓ ଅନ୍ୟ ଡିଭାଇସ୍ ଚାର୍ଜ କରିବା ପାଇଁ ପାଓ୍ବାର ବ୍ୟାଙ୍କ ବ୍ୟବହାର କରିବାକୁ ଅନୁମତି ନାହିଁ। ଡିଜିସିଏର ନିୟମ ଅନୁସାରେ, ପାଓ୍ବାର ବ୍ୟାଙ୍କ ଓ ଅତିରିକ୍ତ ବ୍ୟାଟେରି ଭଳି ଜିନିଷକୁ ବିମାନରେ ଲଗେଜ୍ ରଖାଯାଉଥିବା କମ୍ପାଟମେଣ୍ଟରେ ବି ରଖିହେବନି। କାରଣ ଏହି ସ୍ଥାନରେ ନିଆଁ ଲାଗିଲେ ତାକୁ ଚିହ୍ନଟ କରିବା ଓ ଲିଭାଇବା ଖୁବ୍ କଷ୍ଟକର।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia