ନୂଆଦିଲ୍ଲୀ, ୫/୮ : ଗତ ୭ ବର୍ଷରେ ଦେଶରୁ ୨୭୪ ପଳାତକଙ୍କୁ ଭାରତକୁ ଅଣାଯାଇଛି। ଏନେଇ କେନ୍ଦ୍ର ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି । ୨୦୦୪-୧୩ ବେଳେ ପ୍ରତ୍ୟେକ ବର୍ଷ ହାରାହାରି ୪ ଜଣ ପଳାତକଙ୍କୁ ଅଣାଯିବା ତୁଳନାରେ ଏହା ୧୦ ଗୁଣ ଅଧିକ। ଏଥିସହ ପଳାତକଙ୍କ ୧୭,୮୭୪ କୋଟି ଟଙ୍କାର ସମ୍ପତ୍ତି ବି ଜବତ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ୨୦୧୯ରୁ ୨୦୨୬ ଜୁଲାଇ ମଧ୍ୟରେ ପ୍ରତ୍ୟର୍ପିତ ହୋଇଥିବା ୨୭୪ ପଳାତକଙ୍କ ମଧ୍ୟରେ ୯ ଜଣ ଆର୍ଥିକ ଅପରାଧ, ୧୭ ଜଣ ଆତଙ୍କବାଦ, ୪୨ ଜଣ ସଙ୍ଗଠିତ ଅପରାଧ, ୬୨ ଜଣ ହତ୍ୟା, ଲୁଟ୍ ଏବଂ ହିଂସକ ଅପରାଧ, ୫୩ ଜଣ ଯୌନ ଅପରାଧ ଏବଂ ଶିଶୁଙ୍କ ବିରୋଧରେ ଯୌନ ଅପରାଧ, ୧୬ ମାଦକ ପଦାର୍ଥ ଚୋରା ଚାଲାଣ, ୧୨ ଜଣ ନକଲି ନୋଟ୍ ଚାଲାଣ, ୧୮ ଜଣ ମାନବ ଚାଲାଣ ଏବଂ ୪୫ ଜଣ ଅନ୍ୟ ମାମଲାରେ ସମ୍ପୃକ୍ତ । ନିକଟ ବର୍ଷରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ ଜାରି କରାଯିବା ସଂଖ୍ୟା ବଢ଼ିଛି । ୨୦୨୨ରେ ୪୦, ୨୦୨୩ରେ ୧୦୦, ୨୦୨୪ରେ ୧୦୭, ୨୦୨୫ରେ ୧୧୨ ଏବଂ ୨୦୨୬ରେ ଏ ପର୍ଯ୍ୟନ୍ତ ୧୮୨ ରେଡ୍ କର୍ଣ୍ଣର ଜାରି ହୋଇଛି । ଗତ ୩ ବର୍ଷରେ ମୋଟ ୪୦୧ ପଳାତକ ଅପରାଧୀଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରାଯାଇଛି ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରତ୍ୟର୍ପଣ ଅନୁରୋଧ ଏବେ ଅଧିକ ପ୍ରଭାବୀ ଭାବେ ପ୍ରସ୍ତୁତ କରାଯାଉଛି। ସମ୍ବନ୍ଧିତ ଦେଶଗୁଡ଼ିକର ଆଇନ ମୁତାବକ ଆବଶ୍ୟକ ଦସ୍ତାବିଜ୍ ଏବଂ ଲିଖିତ ଆଶ୍ୱାସନା ବି ଦିଆଯାଉଛି । ସରକାର ଦାବି କରିଛନ୍ତି ଯେ, ୨୦୦୪- ୧୩ ବେଳେ ଭାରତର ପ୍ରତ୍ୟର୍ପଣ ଢାଞ୍ଚା ଦୁର୍ବଳ ଥିଲା । ସେହି ସମୟରେ କେବଳ ୩୭ ଦେଶଗୁଡ଼ିକ ସହ ପ୍ରତ୍ୟର୍ପଣ ସନ୍ଧି ଥିଲା । ଆର୍ଥିକ ଅପରାଧୀଙ୍କ ମୁକାବିଲା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ନ ଥିଲା । କାଗଜପତ୍ର ପ୍ରକ୍ରିୟା କାରଣରୁ ଅନେକ ମାମଲାରେ ବିଦେଶୀ ଅଦାଲତଗୁଡ଼ିକ ପ୍ରତ୍ୟର୍ପଣ ଅନୁରୋଧକୁ ଖାରଜ କରିଦେଉଥିଲେ । ସେହି ସମୟରେ ୧୧୦ ପ୍ରତ୍ୟର୍ପଣ ନିବେଦନ ବିଚାରାଧୀନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୮ରେ ଫ୍ୟୁଜିଟିଭ୍ ଇକୋନୋମିକ୍ ଅଫେଣ୍ଡର୍ସ ଆକ୍ଟ ଲାଗୁ କରିଥିଲେ। ୨୦୧୯ରେ ଏନଆଇଏ ଏବଂ ୟୁପିଏରେ ସଂଶୋଧନ କରି କାର୍ଯ୍ୟାନୁଷ୍ଠାନର ପରିସର ବଢାଯାଇଥିଲା।
ଆହୁରି ପଢନ୍ତୁ- ଶିଶୁଙ୍କୁ ଯୌନ ଶୋଷଣ ବିଷୟବସ୍ତୁ ରୋକିବାରେ ବିଫଳ, ମେଟା ଗ୍ଲୋବାଲ ଟିମ୍କୁ କେନ୍ଦ୍ରର ସମନ
ପାକିସ୍ତାନ ନକ୍ସାରେ ବଡ଼ ବିସ୍ଫୋରଣ; ଅଲଗା ହେବାକୁ ଯାଉଛି ବଲୁଚିସ୍ତାନ

