Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Indus Waters Treaty: ପାଣି ପାଇଁ ପାକିସ୍ତାନର ହାହାକାର ! ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଆଗରେ ନେହୁରା ହେଲେ ଇଶାକ ଡାର

Indus Waters Treaty: ପାଣି ପାଇଁ ପାକିସ୍ତାନର ହାହାକାର ! ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଆଗରେ ନେହୁରା ହେଲେ ଇଶାକ ଡାର

ନୂଆଦିଲ୍ଲୀ, ୨୯।୯: ଦାରୁଣ ଜଳ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଏବେ ଭାରତ ଆଗରେ ପୁଣିଥରେ ହାତ ଯୋଡ଼ିଛି । ସିନ୍ଧୁ ଜଳ ଚୁକ୍ତି ଅଧୀନରେ ବୈଷୟିକ ଆଲୋଚନା ଏବଂ ନଦୀ ଜଳ ସମ୍ବନ୍ଧୀୟ ଡାଟା ସେୟାରିଂ ପ୍ରକ୍ରିୟାକୁ ପୁନଃଆରମ୍ଭ କରିବା ପାଇଁ ପାକିସ୍ତାନ ଭାରତକୁ ଆକୁଳ ନିବେଦନ କରିଛି ।

ୱାଶିଂଟନ୍‌ରେ ଆୟୋଜିତ ଏକ ସେମିନାରକୁ ଭର୍ଚୁଆଲି ସମ୍ବୋଧିତ କରି ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇଶାକ ଡାର୍ ଭାରତ ସହ ପୁଣିଥରେ ଜଳ ଚୁକ୍ତି ଆଲୋଚନା ପାଇଁ ଗୁହାରି କରିଛନ୍ତି । ସେମିନାରକୁ ସମ୍ବୋଧନ କରି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଇଶାକ ଡାର୍ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ବୃଦ୍ଧି ପାଉଥିବା ଚାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ସହଯୋଗ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ସେ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ୩-ଫର୍ମୁଲା ନିୟମ ଉପସ୍ଥାପନ କରିଛନ୍ତି । ସିନ୍ଧୁ ନଦୀର ଜଳପ୍ରବାହ ଏବଂ ବନ୍ୟା ସମ୍ପର୍କିତ ବୈଷୟିକ ଡାଟା ସେୟାରିଂ ପୁନଃଆରମ୍ଭ କରିବା, ଦ୍ୱିପାକ୍ଷିକ କମିଶନ ସ୍ତରରେ ପ୍ରାବିଧିକ ବୈଠକ ଜାରି ରଖିବା, ଚୁକ୍ତିରେ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଦ୍ୱିପାକ୍ଷିକ ମତାନ୍ତର ଦୂର କରିବା । ଡାର୍ କହିଛନ୍ତି, "ଏଗୁଡ଼ିକ କୌଣସି ଅନୁଚିତ ଦାବି ନୁହେଁ । ଏହା ଦୁଇ ସାର୍ବଭୌମ ଦେଶ ମଧ୍ୟରେ ୬ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଆସୁଥିବା ଚୁକ୍ତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଯୁଦ୍ଧ, ସୈନ୍ୟ ସଙ୍କଟ ଏବଂ କୂଟନୈତିକ ତିକ୍ତତା ସତ୍ତ୍ୱେ ଏହି ଚୁକ୍ତି ତିଷ୍ଠି ରହିବା ଦର୍ଶାଉଛି ଯେ, ଜଳ ସମ୍ପଦକୁ ରାଜନୀତିରୁ ଦୂରରେ ରଖିବା କେତେ ଜରୁରୀ ।"

Trump Oil Game: ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତେଲ ଉପରେ ଆମେରିକାର କବ୍‌ଜା, ଟ୍ରମ୍ପ କହିଲେ ବିଶ୍ୱ ଇତିହାସର ସବୁଠୁ ବଡ଼ ଡିଲ୍‌

କାହିଁକି ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି ଭାରତ ?

ସୂଚନାଯୋଗ୍ୟ ଯେ, ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଏକତରଫା ଭାବେ ସ୍ଥଗିତ କରିଦେଇଥିଲା । ସେହି ଆକ୍ରମଣରେ ପାକିସ୍ତାନ ସଂପୃକ୍ତ ଆତଙ୍କବାଦୀମାନେ ଧର୍ମ ପଚାରି ୨୬ ଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ନୃଶଂସ ଆକ୍ରମଣ ପରେ ଭାରତ ସ୍ପଷ୍ଟ ଶବ୍ଦରେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲା "ରକ୍ତ ଏବଂ ପାଣି ଏକାଠି ବହିପାରିବ ନାହିଁ ।"ଇଶାକ ଡାର୍ ଏହି ମାମଲାକୁ ବିଶ୍ୱ ଦରବାରରେ ଉଠାଇବାକୁ ଚେଷ୍ଟା କରିଛନ୍ତି । ସେ କହିଛନ୍ତି ଯେ, ସିନ୍ଧୁ ଜଳ ଚୁକ୍ତିରେ ଏକତରଫା ହସ୍ତକ୍ଷେପର ପ୍ରଭାବ କେବଳ ଦକ୍ଷିଣ ଏସିଆ ମଧ୍ୟରେ ସୀମିତ ରହିବ ନାହିଁ । ଭାରତ ପକ୍ଷରୁ ଡାଟା ସେୟାରିଂ ଏବଂ ବୈଷୟିକ ଆଲୋଚନା ବନ୍ଦ ରହିବା ଯୋଗୁଁ ପାକିସ୍ତାନର କୃଷି ଓ ଜଳସେଚନ ବ୍ୟବସ୍ଥା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ବନ୍ୟା ପୂର୍ବାନୁମାନ ଏବଂ ନଦୀ ଜଳପ୍ରବାହର ସଠିକ୍ ଆକଳନ ନମିଳିବାରୁ ପାକିସ୍ତାନ ଏବେ ଜଳ ସଙ୍କଟ ସହ ଶସ୍ୟ ହାନିର ସମ୍ମୁଖୀନ ହେଉଛି । ତେବେ ସୀମାପାର ଆତଙ୍କବାଦ ସମ୍ପୂର୍ଣ୍ଣ ବନ୍ଦ ନହେବା ପର୍ଯ୍ୟନ୍ତ ଭାରତ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣିବାର ସମ୍ଭାବନା ନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia