ଉମରକୋଟ, ୨/୯ (ଦେବୀପ୍ରସାଦ ବେହେରା) : ପାଠପଢ଼ା ଆରମ୍ଭରୁ ସେ ଥିଲେ ମେଧାବୀ । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ମହକିଥିଲା ତାଙ୍କ ପ୍ରତିଭାର ମହକ । ଏଥିଲାଗି ସ୍ନେହରେ ଗାଁ ଲୋକେ ତାଙ୍କୁ "କୁନି ଡାକ୍ତର' ବୋଲି ଡାକୁଥିଲେ । ଆଜି ସିଏ ସତରେ ବଡ଼ ଡାକ୍ତର ହେବାକୁ ଯାଉଛନ୍ତି । ବାପାଙ୍କ ମୃତ୍ୟୁ ପରେ ଦାରିଦ୍ର୍ୟ ସହ ଲଢ଼ିଛନ୍ତି ।
ନିଜେ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଯାଇ ଅନେକ ସଂଘର୍ଷ କରିଛନ୍ତି । ନିଟ୍ରେ ସଫଳତା ପରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ବୁର୍ଲା ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସାନପୁର ଗାଁର ଆଦିବାସୀ ଛାତ୍ର ମହେନ୍ଦ୍ର ଗଣ୍ଡ । ମହେନ୍ଦ୍ରଙ୍କ ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ ।
ଅଷ୍ଟମରେ ପଢୁଥିବା ବେଳେ ମହେନ୍ଦ୍ର ବାପାଙ୍କୁ ହରାଇଥିଲେ । ପରିବାରରେ ସେତେବଳେ ମାଆ, ଚାରି ଭଉଣୀ, ବଡ଼ଭାଇ ଓ ସବୁଠୁ ସାନ ଥିଲେ ମହେନ୍ଦ୍ର । ବାପାଙ୍କ ମୃତ୍ୟୁ ପରେ ପରିବାର ଉପରେ ଆର୍ଥିକ ଚାପ ଆହୁରି ବଢ଼ିଯାଇଥିଲା । ଭଙ୍ଗା ଟିଣଛପର ତଳେ ଅଭାବ ଅନଟନରେ ବିତୁଥିଲା ଜୀବନ । ଘର କାମରେ ମାଆଙ୍କୁ ସାହାଯ୍ୟ କରିବା ସହ ପାଠପଢ଼ାକୁ ଜୀବନର ମୂଳ ଲକ୍ଷ୍ୟ କରିଥିଲେ ମହେନ୍ଦ୍ର । ଗାଁ ପାଖ ହାଇସ୍କୁଲରୁ ଦଶମରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ଜିଲ୍ଲାର ଏକଲବ୍ୟ ମଡେଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢ଼ି ପ୍ରାୟ ୭୦ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ଡାକ୍ତର ହେବାର ସ୍ୱପ୍ନ ନେଇ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ କଲେଜକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ । ବଡ଼ଭାଇ ସୁଭାଷ ଗାଁରେ ଥିବା ଜମିରେ ଚାଷ କରି ଯଥାସମ୍ଭବ ଅର୍ଥ ଯୋଗାଡ଼ କରି ପଠାଉଥିଲେ ମହେନ୍ଦ୍ରଙ୍କୁ ।
ଆହୁରି ପଢନ୍ତୁ- ଖାଦ୍ୟ ନାଁରେ ଜହର, ରାଜ୍ୟସାରା ଚଢ଼ଉ ,କଟକରେ ମୋମୋ କାରଖାନା ସିଲ୍
ସୁଭାଷ କହିଛନ୍ତି, ଅନ୍ୟ ପିଲାମାନେ ଛୁଟିରେ ଘରକୁ ଫେରୁଥିବା ବେଳେ ମହେନ୍ଦ୍ର କିନ୍ତୁ ଜୟପୁରରେ ରହି ପାଠପଢ଼ା ଜାରି ରଖିଥିଲେ । ହଷ୍ଟେଲ ବନ୍ଦ ରହିଲେ ବି ଦୂରରେ ଥିବା ଆହାର କେନ୍ଦ୍ରକୁ ଯାଇ ୫ ଟଙ୍କିଆ ଖାଦ୍ୟ ଖାଉଥିଲେ । ଅନେକ ଦିନ ବିସ୍କୁଟ ଖାଇ ରାତି ବିତାଇଥିଲେ । ବଡ଼ ଭଉଣୀ ବି ପାଚିକା ସହାୟିକା ଭାବେ କାମ କରି ମହେନ୍ଦ୍ରଙ୍କ ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରୁଥିଲେ । ଆର୍ଥିକ ପ୍ରତିବନ୍ଧକ କିନ୍ତୁ ମହେନ୍ଦ୍ରଙ୍କୁ ନିଜ ଲକ୍ଷ୍ୟରୁ ଦୂରେଇପାରିନଥିଲା । କାହିଁକି ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ, ସେ ସଂପପର୍କରେ ପଚାରିବାରୁ ମହେନ୍ଦ୍ର କହିଥିଲେ, ପିଲାବେଳୁ ନିଜ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ନିଜ ଆଖିରେ ଦେଖିଥିଲେ । ଉତ୍ତମ ଚିକିତ୍ସା ସୁବିଧା ନପାଇ ବାପାଙ୍କୁ ହରାଇବାର ଦୁଃଖ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ସେବେଠୁ ଲକ୍ଷ୍ୟ ରଖିଥିଲେ ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବେ । ମହେନ୍ଦ୍ରଙ୍କ ଏଭଳି ସଫଳତା ତାଙ୍କ ମାଆଙ୍କ ଆଖିରେ ଖୁସିର ଲୁହ ଆଣିଦେଇଛି । ମହେନ୍ଦ୍ରଙ୍କ ବାର୍ତ୍ତା ହେଉଛି-ଅଭାବ ଥାଇପାରେ, ପରିସ୍ଥିତି କଷ୍ଟକର ହୋଇପାରେ । କିନ୍ତୁ ନିଷ୍ଠା, ପରିଶ୍ରମ ଓ ସ୍ୱପ୍ନ ଓ ଆତ୍ମବିଶ୍ୱାସ ଆଣ୍ଟ ଥିଲେ-ଜଣେ ଛାତ୍ର ନିଜ ଜୀବନରେ ବଡ଼ ସଫଳତା ହାସଲ କରିପାରିବ ।
ଉଛୁଳିଲା ଶାରଦା ନଦୀ! ଭାରତ-ନେପାଳ ସୀମାରେ ବଡ଼ ସତର୍କତା ! ବନବସାରେ ହାଇ ଆଲର୍ଟ

