ନୂଆଦିଲ୍ଲୀ,୩୦/୦୪; ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରି ବିବାଦ ଘେରକୁ ଆସିଛନ୍ତି । ବିସିସିଆଇ ହୁଏତ ଏଥିପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଗତ ୨୮ ତାରିଖରେ ରାଜସ୍ଥାନ ରୟାଲ୍ସ ଚଣ୍ଡିଗଡ଼ରେ ଘରୋଇ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା । ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରୁଥିବା ଟେଲିଭିଜନରେ ଦେଖିବାକୁ ମିଳିଥିଲା ।
ସଙ୍ଗେ ସଙ୍ଗେ ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଭାରତରେ ଇ-ସିଗାରେଟ୍ ସେବନ ନିସିଦ୍ଧ ରହିଛି । ଏହା ସେବନ କଲେ ୫ ଲକ୍ଷ ଟଙ୍କା କିମ୍ବା ଜେଲ ଦଣ୍ଡରେ ଦଣ୍ଡିତ ହେବାର ନିୟମ ଅଛି । ଏହା ସତ୍ତେ୍ୱ ପରାଗ ଏଭଳି ବିଶୃଙ୍ଖଳିତ ଆଚରଣ କରିବା ସମସ୍ତଙ୍କୁ ଚକିତ କରିଛି । ପରାଗ ଆଇପିଏଲ ନିୟମ ଉଲ୍ଲଂଘନ କରିବା କାରଣରୁ ବିସିସିଆଇ ତାଙ୍କୁ ଦଣ୍ଡିତ କରିପାରେ । ପୂର୍ବରୁ ରାଜସ୍ଥାନର ଟିମ୍ ମ୍ୟାନେଜର ରବିନ୍ଦର ସିଂ ମ୍ୟାଚ ସମୟରେ ଫୋନ ବ୍ୟବହାର କରିବା ନେଇ ୧ ଲକ୍ଷ ଟଙ୍କାରେ ଦଣ୍ଡିତ ହୋଇଥିଲେ । ଡ୍ରେସିଂ ରୁମରେ ରିୟାନ ପରାଗ ସ୍ମୋକିଂ କରିବାର ଏକ ଭିଡିଓ ଭାଇରାଲ ହେବା ପରେ BCCI ତାଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ କରିଛି ।
ରିୟାନ ପରାଗଙ୍କ ମାମଲାକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି । ଆଇପିଏଲ ନିୟମ ଅନୁଯାୟୀ ଡ୍ରେସିଂ ରୁମ୍ ଏବଂ ଡଗ୍ ଆଉଟ୍ରେ ଇ-ସିଗାରେଟ୍ ଏବଂ ଭାପ୍ ସମେତ ଧୂମପାନ ନିଷେଧ । ତେଣୁ ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏହି ଘଟଣାର ତଦନ୍ତ କରିପାରନ୍ତି । ଭାରତରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ (ପିଇସିଏ)୨୦୧୯ ଅନୁଯାୟୀ ଭେପିଂ ଡିଭାଇସଗୁଡିକ ମଧ୍ୟ ବେଆଇନ । ଏହି ନିୟମାବଳୀର ଉଲ୍ଲଂଘନ ପାଇଁ ୬୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
ଭେପିଂ କ'ଣ ? ପ୍ରଥମେ ଭେପିଂ କଣ ତାହା ବୁଝିବା । ଏଥିରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ କିମ୍ବା ଭାପ୍ ପେନ୍ ଭଳି ବ୍ୟାଟେରୀ ଚାଳିତ ଉପକରଣ ମାଧ୍ୟମରେ ଏକ ବିଶେଷ ତରଳ ଗରମ କରି ସୃଷ୍ଟି ହୋଇଥିବା ବାଷ୍ପକୁ ନିଶ୍ୱାସରେ ନିଆଯାଏ . ଏହି ଉପକରଣଗୁଡିକରେ ଏକ ବ୍ୟାଟେରୀ, ଏକ ଗରମ ଉପାଦାନ ଏବଂ ତରଳକୁ ଧରି ରଖିବା ପାଇଁ ପଡ୍ ଥାଏ . ଏଥିରେ ସାଧାରଣତଃ ନିକୋଟିନ୍, କୃତ୍ରିମ ସ୍ୱାଦ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ଥାଏ ।
ଏହା ବି ପଢନ୍ତୁ...କ୍ଲାସେନଙ୍କ କ୍ଲାସ ବ୍ୟାଟିଂ: ମୁମ୍ବାଇକୁ ୬ ଓ୍ବିକେଟରେ ପରାସ୍ତ କଲା ହାଇଦ୍ରାବାଦ
କହି ରଖୁଛୁ କି, ଚଳିତ ଆଇପିଏଲର ୪୦ ତମ୍ ମ୍ୟାଚ ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିଲା । ରାଜସ୍ଥାନ ୬ ୱିକେଟରେ ବିଜୟୀ ହୋଇ ପଞ୍ଜାବ ବିଜୟରେ ବ୍ରେକ୍ ଲଗାଇଥିଲା । ସିଜିନରେ ପଞ୍ଜାବର ଏହା ପ୍ରଥମ ପରାଜୟ । ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି, ପ୍ରଭସିମରନ୍ ସିଂହ ଏବଂ ମାର୍କସ୍ ଷ୍ଟୋଇନିସଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ୨୨୨ ରନ କରିଥିଲା । ଜବାବରେ, ରାଜସ୍ଥାନ ଶେଷ ଓଭରରେ ସ୍କୋରକୁ ପିଛା କରିଥିଲା । ୬ ୱିକେଟ୍ରେ ପଞ୍ଜାବକୁ ହରାଇଥିଲା ରାଜସ୍ଥାନ ରୟାଲ୍ସ । ରିୟାନ ପରାଗଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ୯ଟି ମ୍ୟାଚରୁ ୬ଟି ଜିତିଛି । ୧୨ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

