ନୂଆଦିଲ୍ଲୀ, ୦୮/୦୪ : ଇରାନ-ଆମେରିକା ଯୁଦ୍ଧବିରତି ପରେ ଟ୍ରୋଲ୍ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଶାହାବାଜ ସରିଫ୍ ଙ୍କ ଏକ ଏକ୍ସ ପୋଷ୍ଟକୁ ନେଇ ଜୋରଦାର୍ ଟ୍ରୋଲ୍ କରୁଛନ୍ତି ୟୁଜର। ଶାହବାଜ ରାତି ୧ଟାରେ ଏହି ପୋଷ୍ଟ କରିଥିଲେ। ହେଲେ ଏଥିରୁ ଡ୍ରାଫ୍ଟ ଶବ୍ଦ ହଟାଇବାକୁ ଭୁଲି ଯାଇଥିଲେ। ଯାହାକୁ ନେଇ ଇଣ୍ଟରନେଟ୍ ୟୁଜରମାନେ ତାଙ୍କର ମଜାକ୍ ଉଡାଉଛନ୍ତି।
ଏହି ପୋଷ୍ଟ ନିଜେ ପାକ୍ ପିଏମ୍ ଲେଖିଥିଲେ ନା ତାଙ୍କୁ କିଏ ଲେଖିକି ଦେଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି।
ଜଣେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଭୁଲ୍ କୁ ଇଣ୍ଟରନେଟ୍ ୟୁଜରମାନେ ସମାଲୋଚନା କରୁଛନ୍ତି। ସୋସିଆଲ୍ ମିଡିଆରେ ଏବେ ଶାହବାଜ୍ ଏବଂ ଟ୍ରମ୍ପଙ୍କ ମିମ୍ ସେୟାର କରାଯାଉଛି। ଏଥିରେ ଲେଖାଅଛି ଯେ, ଧାଡ଼ିଏ ସଳଖିକି ଲେଖି ପାରୁନ, ଇଣ୍ଡିଆ ସହ ଲଢିବାକୁ ଚାଲି ଆସିଲ ବୋଲି ଲେଖାଅଛି।
ଶାହବାଜ ସରିଫ୍ ଏକ୍ସରେ ଯେଉଁ ପୋଷ୍ଟ କରିଥିଲେ, ସେଥରେ 'ଡ୍ରାଫ୍ଟ : ପାକିସ୍ତାନର ପିଏମ୍ ଙ୍କ ଏକ୍ସରେ ମେସେଜ୍' ଶୀର୍ଷକ ଥିଲା। ଯାହାକୁ ପରେ ଶାହବାଜ ହଟାଇ ଦେଇଥିଲେ। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ଏହି ପୋଷ୍ଟଟି ଥିଲା। ଏଥିରେ ଲେଖାଥିଲା ଯେ, ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଜନୈତିକ ପ୍ରୟାସ ନିରନ୍ତର ଚାଲିଛି। ଏହା ସଶକ୍ତ ଏବଂ ପ୍ରଭାବୀ ଢଙ୍ଗରେ ଆଗକୁ ବଢୁଛି। ଭବିଷ୍ୟତରେ ଏହାର ଭଲ ପରିଣାମ ମିଳିବ ବୋଲି ଆଶା ଅଛି। କୂଟନୀତିକୁ ନିଜ କାମ କରିବାକୁ ଦେବାକୁ ମୁଁ ଟ୍ରମ୍ପଙ୍କୁ ଅନୁରୋଧ କରୁଛି ସେ ଦୁଇ ସପ୍ତାହ ଯାଏଁ ଧୁଦ୍ଧ ବିରତି କରନ୍ତୁ। ଆମେ ଯୁଦ୍ଧରତ ସବୁ ପକ୍ଷଙ୍କୁ ଅନୁରୋଧ କରୁଛୁ ଯେ, ୨ ସପ୍ତାହ ଯାଏଁ ସେମାନେ ରକ୍ତପାତ ବନ୍ଦ କରିଦିଅନ୍ତୁ। କୂଟନୀତି ମାଧ୍ୟମରେ ଏହି ଯୁଦ୍ଧର ନିର୍ଣ୍ଣାୟକ ଅନ୍ତ ହେଉ।
ଏହି ଖବରଟିକୁ ପଢନ୍ତୁ-ଯୁଦ୍ଧବିରତି ପଛରେ ପାକିସ୍ତାନ ନୁହେଁ ଚୀନର ହାତ... ଜାଣନ୍ତୁ ଇରାନ-ଆମେରିକା ମଧ୍ୟରେ କେମିତି ହେଲା ଅସ୍ତ୍ରବିରତି ?

