Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ISRO EOS-5 'Hawk's Eye': ମହାକାଶରୁ ନଜର ରଖିବ ଭାରତର 'ତୃତୀୟ ଆଖି': ଲଞ୍ଚ ପ୍ୟାଡକୁ ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ISROର ପ୍ରସ୍ତୁତି

ISRO EOS-5 'Hawk's Eye': ମହାକାଶରୁ ନଜର ରଖିବ ଭାରତର 'ତୃତୀୟ ଆଖି': ଲଞ୍ଚ ପ୍ୟାଡକୁ ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ISROର ପ୍ରସ୍ତୁତି

ନୂଆଦିଲ୍ଲୀ : ଇସ୍ରୋର ମାଷ୍ଟର ପ୍ଲାନ । ମହାକାଶରୁ ନଜର ରଖିବ ଭାରତର ତୃତୀୟ ଆଖି EOS-5 ସାଟେଲାଇଟ୍ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ସେପ୍ଟେମ୍ବର ୪ ତାରିଖରେ GSLV F17 ରକେଟ୍ ମାଧ୍ୟମରେ, EOS-5 କୁ ଲଞ୍ଚ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ହାଇ-ରିଜୋଲ୍ୟୁସନ୍ ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଭାରତ ଉପରେ ତୀକ୍ଷ୍ଣ ନଜର ରଖିବ, ଯାହା ଦ୍ୱାରା ପାଣିପାଗ, ବିପର୍ଯ୍ୟୟ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥା ଅଧିକ ଦୃଢ ହେବ ।

କିଛି କଠିନ ସମୟ ଓ ବିଫଳତା ପରେ ଇସ୍ରୋ ଲଞ୍ଚପ୍ୟାଡକୁ ଏକ ଦମଦାର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି ।

ଏହି ମିଶନ କେବଳ ସାଟେଲାଇଟର ବିଶେଷତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଏପରି ଏକ ସମୟରେ ହେଉଛି ଯେତେବେଳେ କି ISROର ଲଗାତାର ଦୁଇଟି PSLV ମିଶନ ବିଫଳ ହେବା ପରେ, ମହାକାଶରେ ନିଜର ଗତିକୁ ପୁନର୍ବାର ହାସଲ କରିବାକୁ ଚେଷ୍ଟା କରୁଛି। ଯଦି ଏହି ମିଶନ ସଫଳ ହୁଏ, ତେବେ EOS-5 ଭାରତକୁ ମହାକାଶରୁ ନିଜର ସ୍ଥଳଭାଗ, ଉପକୂଳବର୍ତ୍ତୀ ଅଞ୍ଚଳ, ପାଣିପାଗ ପ୍ରଣାଳୀ ଏବଂ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଏକ ନୂଆ ଏବଂ ଶକ୍ତିଶାଳୀ କ୍ଷମତା ପ୍ରଦାନ କରିବ।

EOS-5: ଏହି ସାଟେଲାଇଟ୍ କାହିଁକି ସ୍ୱତନ୍ତ୍ର?

EOS-5 ,ଯାହାକୁ ପୂର୍ବରୁ GISAT-1A ପ୍ରୋଗ୍ରାମ୍ ସହ ଯୋଡ଼ା ଯାଇ ଥିଲା, ଏହା ବିଷୁବ ରେଖାରୁ ପ୍ରାୟ ୩୬ ହଜାର କିଲୋମିଟର ଉପରେ ଜିଓଷ୍ଟେସନାରୀ ଅର୍ବିଟରେ କାମ କରିବା ପାଇଁ ଡିଜାଇନ୍ କରାଯାଇଛି। ପୃଥିବୀ ଉପରେ ନଜର ରଖୁଥିବା ଅନେକ ସାଟେଲାଇଟ୍ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ କୌଣସି ସ୍ଥାନ ଉପର ଦେଇ ଗତି କରନ୍ତି, କିନ୍ତୁ ଜିଓଷ୍ଟେସନାରୀ ସାଟେଲାଇଟ୍ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ସ୍ଥିର ରହି ପାରେ । ଏହାଦ୍ୱାରା ଏହା ଗୋଟିଏ ଅଞ୍ଚଳ ଉପରେ ଲଗାତାର ନଜର ରଖିବା ସହ ତୁରନ୍ତ ସୂଚନା ଯୋଗାଇବାରେ ସକ୍ଷମ ହୁଏ । ସାଇକ୍ଲୋନ୍, ବନ୍ୟା, ବାଦଲ ଫାଟିବା ଏବଂ ଜଙ୍ଗଲରେ ନିଆଁ ଲାଗିବା ଭଳି ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତିରେ ଏହି ସାଟେଲାଇଟ୍ ଭାରତ ପାଇଁ ବହୁତ ସହାୟକ ହେବ । ଏହାର ହାଇ-ରିଜୋଲ୍ୟୁସନ୍ ଇମେଜିଙ୍ଗ୍ ଅର୍ଥାତ୍ ସ୍ପଷ୍ଟ ଫଟୋ ପଠାଇବାର କ୍ଷମତାର ବ୍ୟବହାର ଦେଶର ଭୂଭାଗ ଉପରେ ନଜର ରଖିବା ଏବଂ ରଣନୀତିକ ଓ ସୁରକ୍ଷା ସହ ଜଡ଼ିତ ଆବଶ୍ୟକତାକୁ ପୂରା କରିବାର ଆଶା ରହିଛି।

ISRO ଅଧ୍ୟକ୍ଷ ଡଃ ଭି. ନାରାୟଣନ୍ ସ୍ପଷ୍ଟ କରିଛନ୍ତି ଯେ,ସେପ୍ଟେମ୍ବର ୪ ତାରିଖରେ ଏହି ଲଞ୍ଚିଂ ହେବ । ଏହା ସହିତ ମାର୍ଚ୍ଚ ୨୦୨୭ ସୁଦ୍ଧା ଗଗନଯାନର G1 ମାନବରହିତ ମିଶନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ISRO ଯୋଜନା ପ୍ରସ୍ତୁତ କରିଛି।

ISRO ପାଇଁ କାହିଁକି ଏହା କଠିନ ସମୟ?

PSLV ର ଗତ ଦୁଇଟି ମିଶନ ଲଗାତାର ବିଫଳ ହେବା ପରେ EOS-5 ର ଲଞ୍ଚିଂ ହେଉଛି। ମେ ୨୦୨୫ ରେ EOS-09 କୁ ନେଇ ଯାଉଥିବା PSLV-C61 ମିଶନ ବିଫଳ ହୋଇ ଥିଲା । ଏହା ପରେ ୧୩ ଜାନୁଆରୀ ୨୦୨୬ରେ EOS-N1 ସାଟେଲାଇଟ୍ ନେଇ ଯାଉ ଥିବା PSLV-C62 ମଧ୍ୟ ଅସଫଳ ହୋଇ ଥିଲା।

ସବୁଠାରୁ ଭରସାଯୋଗ୍ୟ ରକେଟର ଏହି ବିଫଳତା ପରେ PSLV କାର୍ଯ୍ୟକ୍ରମର ପ୍ରଥମେ ଭାଲିଡେସନ ଓ ଯାଞ୍ଚ ଚାଲିଛି । EOS-5 କୁ GSLV Mk II ରକେଟ୍ ମାଧ୍ୟମରେ ପଠା ଯାଉଛି । PSLV ବିଫଳତାର କାରଣ ଥିବା ପ୍ରୋପଲସନ୍ ସିଷ୍ଟମ୍ ଏବଂ GSLV ର ସିଷ୍ଟମ୍ ସମ୍ପୂର୍ଣ୍ଣ ଅଲଗା । ଏହି କାରଣରୁ ISRO PSLV ର ଯାଞ୍ଚ ଜାରି ରଖିବା ସହ EOS-5 ମିଶନ ସହ ଆଗକୁ ବଢ଼ୁଛି । ଏବେ ଅପେକ୍ଷା ଭାରତର ଏହି ତୃତୀୟ ଆଖି କେତେ ଦମଦାର ସହ କାର୍ଯ୍ୟ କରିବ ଓ ଭାରତକୁ ନୂଆ ପରିଚୟ ଦେବ ।

ଆହୁରି ମଧ୍ୟ ପଢନ୍ତୁ : ଇରାନ ମାମଲାରେ ଲଜ୍ଜିତ ହେବା ପରେ ପାକିସ୍ତାନର ବଦଳିଲା ପ୍ଲାନ୍ : ଆସିମ୍ ମୁନିରଙ୍କ ଅସ୍ତ୍ର କାରଖାନା ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia