Dailyhunt
ଇଥାନଲ୍ ବିପ୍ଳବ ଆଣିବ ଉତ୍କଟ ଜଳ ସଙ୍କଟ, ୧ ଲିଟର ଇଥାନଲ୍ ପାଇଁ ଖର୍ଚ୍ଚ ୧୦ ହଜାର ଲିଟର ପାଣି

ଇଥାନଲ୍ ବିପ୍ଳବ ଆଣିବ ଉତ୍କଟ ଜଳ ସଙ୍କଟ, ୧ ଲିଟର ଇଥାନଲ୍ ପାଇଁ ଖର୍ଚ୍ଚ ୧୦ ହଜାର ଲିଟର ପାଣି

ନୂଆଦିଲ୍ଲୀ ୩୦/୦୪: ଭାରତରେ ପେଟ୍ରୋଲର ବିକଳ୍ପ ରୂପେ ଇଥାନଲ୍‌କୁ 'କ୍ରାନ୍ତି' ବୋଲି କୁହାଯାଉଛି । କିନ୍ତୁ ବାସ୍ତବରେ ଏହା ଉର୍ଜ୍ଜା ସୁରକ୍ଷା ନାଁରେ ଏକ ବଡ଼ 'ନୀତିଗତ ପ୍ରତାରଣା' ଏବଂ ଆଗାମୀ ଜଳ ସଙ୍କଟର ଭୟଙ୍କର ଚେତାବନୀ । ମୂଳ ସମସ୍ୟା ହେଉଛି ସେହି ଶସ୍ୟ ଯାହା ଭାରତରେ ଚାଷ ହେଉଥିବା ଅନ୍ୟ ଜିନିଷ ତୁଳନାରେ ଅଧିକ ଜଳ ଆବଶ୍ୟକ କରେ ଯଥା- ମକା, ଆଖୁ ଓ ଦେଶର ସବୁଠୁ ପ୍ରିୟ ଚାଉଳ ।

ଆଇପିସିସି ଲେଖକ ଅଞ୍ଜଲ ପ୍ରକାଶ କହିଛନ୍ତି, ଇଥାନଲ୍ ମିଶ୍ରଣ ଭାରତର ଜଳ ସଙ୍କଟକୁ ଭୟଙ୍କର କରିପାରେ, କାରଣ ଏହାର ଅଧିକାଂଶ କଞ୍ଚାମାଲ ଯଥା- ଆଖୁ ଓ ମକା ଚାଷରେ ଅତ୍ୟଧିକ ପାଣି ଖର୍ଚ୍ଚ ହୁଏ ।

ଇଥାନଲ୍ ମିଶ୍ରଣ କ'ଣ ଏବଂ ଏଥିରେ ଚାଉଳ ଭୂମିକା କ'ଣ?

ଅଶୋଧିତ ତୈଳ ଆମଦାନି ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା ଲାଗି ପେଟ୍ରୋଲରେ ଏକ ଉଦ୍ଭିଦ-ଭିତ୍ତିକ ଆଲ୍‌କହଲ୍ ମିଶ୍ରଣ କରାଯାଏ, ଯାହାକୁ ଇଥାନଲ୍ କୁହାଯାଏ । ଦେଶ ଏହି କାର୍ଯ୍ୟକ୍ରମକୁ ଯୁଦ୍ଧକାଳୀନ ଭିତ୍ତିରେ ବଢ଼ାଉଛି । ଚାଉଳ ଏହାର ଏକ ପ୍ରମୁଖ କଞ୍ଚାମାଲ ହୋଇଛି । ୨୦୨୪-୨୫ରେ ଇଥାନଲ୍ ଉତ୍ପାଦନ ଲାଗି ସରକାର ୫୨ ଲକ୍ଷ ଟନ୍ ଚାଉଳ ଆବଣ୍ଟନ କରିଥିଲେ । ଏବେ ୨୦୨୫-୨୬ରେ ୯୦ ଲକ୍ଷ ଟନ୍ ଲକ୍ଷ୍ୟ ରଖିଛନ୍ତି ।

ଏହି ଶସ୍ୟର ଉପଲବ୍ଧତା ପାଇଁ ସାଧାରଣ ଆବଣ୍ଟନ ବ୍ୟବସ୍ଥା ଅଧୀନରେ ଗରିବଙ୍କୁ ଭଙ୍ଗା ଚାଉଳ ବିତରଣ ୨୫ ପ୍ରତିଶତରୁ ୧୦ ପ୍ରତିଶତ କରିବାକୁ ସରକାର ଯୋଜନା କରୁଛନ୍ତି । ଏହା ଜରିଆରେ ସଞ୍ଚୟ ସିଧାସଳଖ ଡିଷ୍ଟିଲେରୀକୁ ସ୍ଥାନାନ୍ତରିତ ହେବ, ଯାହା ଦ୍ୱାରା ଇଥାନଲ୍ ମିଶ୍ରଣକୁ ସୁଗମ କରିବାରେ ଏହାର ଉପଯୋଗ ହୋଇପାରିବ ।

ଜଳ ଉପରେ କେମିତି ପ୍ରଭାବ ପକାଇବ ଇଥାନଲ୍ ମିଶ୍ରଣ?

ଖାଦ୍ୟ ସଚିବ ସଂଜୀବ ଚୋପ୍ରାଙ୍କ ଅନୁସାରେ, ଚାଉଳରୁ ୧ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ପ୍ରାୟ ୧୦,୭୯୦ ଲିଟର ପାଣି ଆବଶ୍ୟକ । ଏଥିରେ ଚାଷ ସମୟରେ ଜଳସେଚନ ନିମନ୍ତେ ଆବଶ୍ୟକ ପାଣି ମଧ୍ୟ ଅନ୍ତର୍ଭୁକ୍ତ । ସଂଜୀବ ୨୦୨୪ରେ ଦିଲ୍ଲୀରେ ଏକ ବୈଶ୍ୱିକ ସମ୍ମିଳନୀରେ ଏହି ତଥ୍ୟ ପ୍ରଦାନ କରିଥିଲେ । ଏହା ତୁଳନାରେ ମକାରୁ ୧ ଲିଟର ଇଥାନଲ୍ ଉତ୍ପାଦନ ନିମନ୍ତେ ୪,୬୭୦ ଲିଟର ପାଣି ଏବଂ ଆଖୁ ପାଇଁ ୩,୬୩୦ ଲିଟର ପାଣି ଆବଶ୍ୟକ । ୧ କିଲୋ ଚାଉଳ ଉତ୍ପାଦନ ଲାଗି ପ୍ରାୟ ୩୦୦୦ ଲିଟର ପାଣି ଆବଶ୍ୟକ । କିନ୍ତୁ ୧ ଟନ୍ ଚାଉଳରୁ ମାତ୍ର ୪୭୦ ଲିଟର ଇଥାନଲ୍ ମିଳେ । ଏହା ଚାଉଳକୁ ଅନ୍ୟତମ ସର୍ବାଧିକ ଜଳ ଖର୍ଚ୍ଚ କରୁଥିବା ଇନ୍ଧନର ଉତ୍ସ କରେ । ଇଥାନଲ୍ ମିଲ୍ ମଧ୍ୟ ବ୍ୟାପକ ପରିମାଣର ବର୍ଜ୍ୟଜଳ ଉତ୍ପନ୍ନ କରେ, ଯାହାର ଉତ୍ତମ ପରିଚାଳନା ନ ହେଲେ ଭୂପୃଷ୍ଠ ଓ ଭୂଜଳ ଦୂଷିତ ହୋଇପାରେ ।

ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛି ଭାରତ :

ଇଥାନଲ୍ ମିଶ୍ରଣକୁ ପ୍ରୋତ୍ସାହନ ଏକ ଗମ୍ଭୀର ଚିନ୍ତାଜନକ ବିଷୟ । ନୀତି ଆୟୋଗର କମ୍ପୋଜିଟ୍ ୱାଟର ମ୍ୟାନେଜ୍‌ମେଣ୍ଟ ଇଣ୍ଡେକ୍ସ (ସିଡବ୍ଲ୍ୟୁଏମ୍‌ଆଇ) ଚେତାବନୀ ଦେଇଛି, ୨୦୩୦ ମସିହା ସୁଦ୍ଧା ଦିଲ୍ଲୀ, ବେଙ୍ଗାଲୁରୁ ଓ ଚେନ୍ନାଇ ସମେତ ୨୧ ପ୍ରମୁଖ ସହରରେ ଭୂତଳ ଜଳ ଶୂନ୍ୟ ହୋଇଯିବ । ଭାରତର ମୋଟ୍ ଇଥାନଲ୍ ଉତ୍ପାଦନ କ୍ଷମତା ୧,୮୨୨ କୋଟି ଲିଟର, ଯାହାର ଏକ ବଡ଼ ଅଂଶ ସେହି ରାଜ୍ୟମାନଙ୍କରେ କେନ୍ଦ୍ରିତ, ଯେଉଁମାନେ ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ।

ଉଦାହରଣସ୍ୱରୂପ, ମହାରାଷ୍ଟ୍ରରେ ୩୯୬ କୋଟି ଲିଟର କ୍ଷମତାବିଶିଷ୍ଟ ପ୍ଲାଣ୍ଟ ରହିଛି । ଅନ୍ୟପକ୍ଷେ, ବିଦର୍ଭ ଓ ମରାଠୱାଡ଼ାରେ ପିଇବା ପାଣି ପାଇଁ ଚାଷୀ ସଂଘର୍ଷ କରୁଛନ୍ତି । ଇତିମଧ୍ୟରେ ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଇଥାନଲ୍ ପ୍ଲାଣ୍ଟ ସେହି ଭୂତଳ ଜଳ ଭଣ୍ଡାରରୁ ଜଳ ନେଉଛନ୍ତି, ଯାହା ଶେଷ ହୋଇଯାଇଥିବା କୁହାଯାଉଛି । ଯଦିଓ ଭାରତରେ ଇଥାନଲ୍ ମିଶ୍ରଣରେ ଚାଉଳର ବ୍ୟବହାର ଏବେ ପ୍ରାରମ୍ଭିକ, ଦେଶ ମୁଖ୍ୟତଃ ଆଖୁର ଉପଯୋଗ ଉପରେ ନିର୍ଭର କରୁଛି । କିନ୍ତୁ ଆଖୁରୁ ୧ ଲିଟର ଇଥାନଲ୍ ଉତ୍ପାଦନ ପାଇଁ ମଧ୍ୟ ୩,୬୩୬ ଲିଟର ପାଣି ଖର୍ଚ୍ଚ ହେଉଛି । ଏହାର ପହଞ୍ଚକୁ ସହଜ କରିବା ଲାଗି ଅନେକ ଇଥାନଲ୍ ପ୍ଲାଣ୍ଟ ଆଖୁ ଚାଷ ହେଉଥିବା ଅଞ୍ଚଳରେ ଅବସ୍ଥିତ ।

ଆଖୁ ଚାଷ ବର୍ଷ ବର୍ଷ ଧରି ଏ ସମସ୍ତ ଅଞ୍ଚଳକୁ ଜଳ କଷ୍ଟ ଦେଇଆସିଛି । ଇଥାନଲ୍ ପ୍ଲାଣ୍ଟ ସ୍ଥିତିକୁ ଆହୁରି ଜଟିଳ କରୁଛି । ମୁଖ୍ୟତଃ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବ୍ୟାପକ ଆଖୁ ଚାଷ ହୁଏ । କିନ୍ତୁ ସେଠାରେ ଭୂତଳ ଜଳ ସ୍ଥିତି ପୂର୍ବରୁ ଗମ୍ଭୀର । ଏହି ସ୍ଥିତିରେ ଆଖୁରୁ ଇଥାନଲ୍ ଉତ୍ପାଦନ ଜଳକଷ୍ଟକୁ ଆହୁରି ତୀବ୍ର କରିପାରେ ।

 ​​​​​​​

ଆହୁରି ପଢ଼ନ୍ତୁ...ମେ' ପହିଲାରୁ ବଦଳିବ ଏସବୁ ନିୟମ,ପ୍ରଭାବିତ ହେବ କି ଆପଣଙ୍କ ପକେଟ ?

କ'ଣ କହନ୍ତି ସରକାର-ବିଶେଷଜ୍ଞ?

ସରକାର କହୁଛନ୍ତି, ଇଥାନଲ୍ ମିଶ୍ରଣ ଏକ ରଣନୈତିକ ଓ ପରିବେଶଗତ ସମାଧାନ । ଏହା ଗ୍ରୀନ୍‌ହାଉସ ଗ୍ୟାସ୍ ନିର୍ଗମନରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ କରିପାରେ । ଏହା ଅପେକ୍ଷାକୃତ ସ୍ୱଚ୍ଛ ଇନ୍ଧନ, ଯାହା ଅର୍ଥନୈତିକ ସଞ୍ଚୟ ଓ ସହରୀ ବିକାଶକୁ ପ୍ରୋତ୍ସାହିତ କରିବ । ଅନ୍ୟପକ୍ଷେ, ବିଶେଷଜ୍ଞ କହନ୍ତି- ଭାରତରେ ଇଥାନଲ୍ ଉତ୍ପାଦନ ଉପରେ ଜୋର୍, ଖାସ୍‌କରି ଚାଉଳ ଓ ଆଖୁ ଭଳି ମାତ୍ରାଧିକ ଜଳ ଉପଯୋଗ କରୁଥିବା ଶସ୍ୟ ଦେଶର ଭୂଜଳ ସଙ୍କଟକୁ ଆହୁରି ଗମ୍ଭୀର କରୁଛି । ଦେଶ ପୂର୍ବରୁ ଜଳ ସଙ୍କଟ ମଧ୍ୟଦେଇ ଗତି କରୁଥିବା ବେଳେ ଏହା ଏକ ବଡ଼ ବିପଦ ରୂପେ ଉଭା ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia