ରାଉରକେଲା, ୮/୪: ପ୍ରକୃତିର ପ୍ରକୋପରେ ପ୍ରାଣ ହରାଇଛନ୍ତି ଜଣେ ଦେଶର ସୁରକ୍ଷାକର୍ମୀ । ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କୁ ଦମନ କରିବା ପାଇଁ ନିୟୋଜିତ କୋବ୍ରା ବାହିନୀର ଜଣେ ଯବାନଙ୍କ ଉପରେ ବିଳମ୍ବିତ ରାତିରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ ଯବାନ ଜଣକ ହେଉଛନ୍ତି ରାକେଶ କୁମାର । ମିଳିଥିବା ସୂଚନା ଅନୁଯାୟୀ, ସରଣ୍ଡା ଜଙ୍ଗଲର ବାବୁଡେରା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କୋବ୍ରା ବାହିନୀର ଏକ ଅସ୍ଥାୟୀ କ୍ୟାମ୍ପ ରହିଛି ।
ଗତକାଲି ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ହୋଇଥିଲା । ସେହି ସମୟରେ ଯବାନ ରାକେଶ କୁମାର କ୍ୟାମ୍ପ ବାହାରେ ସେଣ୍ଟ୍ରି ଡ୍ୟୁଟିରେ ନିୟୋଜିତ ଥିଲେ । ହଠାତ୍ ଏକ ବିଶାଳକାୟ ଗଛ ଉପୁଡ଼ି ରାକେଶଙ୍କ ଉପରେ ପଡ଼ିଯାଇଥିଲା, ଯାହାଫଳରେ ସେ ଗଛ ତଳେ ଚାପି ହୋଇ ଗୁରୁତର ହୋଇପଡ଼ିଥିଲେ ।
ଏହା ବି ପଢ଼ନ୍ତୁ... ରାଜ୍ୟରେ ୧୩୬୩ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ପଦବୀ ପାଇଁ ଫିଟିଲା ବାଟ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ
ଏୟାରଲିଫ୍ଟ ପରେ ବି ବଞ୍ଚିପାରିଲେନି ଯବାନ:
ଘଟଣା ପରେ କ୍ୟାମ୍ପରେ ଥିବା ଅନ୍ୟ ସହଯୋଗୀ ଯବାନମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ ତାଙ୍କର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ, ଆଜି ସକାଳେ ବାୟୁସେନାର ଏକ ହେଲିକପ୍ଟର ଯୋଗେ ତାଙ୍କୁ ଉଦ୍ଧାର କରାଯାଇ ରାଞ୍ଚି ନିଆଯାଇଥିଲା । ରାଞ୍ଚିର ଏକ ସ୍ୱତନ୍ତ୍ର ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା, ମାତ୍ର ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାକେଶଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ କୋବ୍ରା ବାହିନୀ ତଥା ସ୍ଥାନୀୟ ପୁଲିସ ମହଲରେ ଶୋକର ଛାୟା ଖେଳିଯାଇଛି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସରଣ୍ଡା ଭଳି ଦୁର୍ଗମ ସ୍ଥାନରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯବାନମାନେ କିଭଳି ନିଜ ଜୀବନକୁ ପାଣି ଛଡ଼ାଇ କାର୍ଯ୍ୟ କରନ୍ତି, ଏହି ଘଟଣା ପୁଣି ଥରେ ତାହା ପ୍ରମାଣିତ କରିଛି । ରାକେଶଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ତାଙ୍କ ପୈତୃକ ଗ୍ରାମକୁ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

