ଭୁବନେଶ୍ବର, ୩୧।୮ : ପାର୍ବଣ ଋତୁ ଆସିଲେ ରାସ୍ତାଘାଟରେ ଦେଖାଯାଏ ଚାନ୍ଦା ଆଦାୟର ଦୃଶ୍ୟ । ହେଲେ ଏଣିକି ଚାନ୍ଦା ନାଁରେ ଦାଦାଗିରି ଚଳିବନି । ଜୋରଜବରଦସ୍ତି ଚାନ୍ଦା ମାଗିଲେ ବନ୍ଧା ହେବେ । ପୁଲିସର କଡ଼ା ଚେତାବନୀ ପରେ ଏବେ ଜବରଦସ୍ତି ଚାନ୍ଦା ନେଉଥିବା ଲୋକଙ୍କ ଉପରେ ପୋଲିସର ରହିବ ନଜର। ରାଜଧାନୀବାସୀଙ୍କ ଅଭିଯୋଗ ପାଇଁ ଜାରି ହେବ ଟୋଲ ଫ୍ରି ନମ୍ବର ।
ଏହାସହ ୧୧୨ରେ କଲ୍ କରି ମଧ୍ୟ ଲୋକେ ପୁଲିସକୁ ଜଣାଇପାରିବେ ।
ରାସ୍ତାକଡ଼ରେ ଟେଣ୍ଟ ଲଗାଇ ଚାନ୍ଦା ଆଦାୟ ହେଉ କି, ଦୋକାନୀଙ୍କ ହାତରେ ରସିଦ ବହି ଧରାଇ ଟଙ୍କା ମାଗିବା ଏମିତି ଅଭିଯୋଗ ପ୍ରତିବର୍ଷ ଆସିଥାଏ । ଏପରିକି ରାସ୍ତା ମଝିରେ ଗାଡ଼ି ଅଟକାଇ ଚାନ୍ଦା ଆଦାୟ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି । କେହି ଖୁସିରେ ଚାନ୍ଦା ଦିଅନ୍ତି । ଆଉ କେହି ବିବାଦରୁ ବଞ୍ଚିବା ପାଇଁ ବାଧ୍ୟ ହୋଇ ଟଙ୍କା ଦିଅନ୍ତି । କିନ୍ତୁ ଏଣିକି ଚାନ୍ଦା ନାଁରେ ଦାଦାଗିରି କରୁଥିବା ଲୋକଙ୍କ ପାଇଁ ବଢ଼ିବ ଅଡୁଆ । ଧମକ ଦେଇ, ଭୟଭୀତ କରି କିମ୍ବା ଜୋରଜବରଦସ୍ତି କରି ଚାନ୍ଦା ଆଦାୟ ନେଇ ଅଭିଯୋଗ ମିଳିଲେ କମିସନରେଟ୍ ପୁଲିସ ନେବ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ । ପାର୍ବଣର ଖୁସି ଭିତରେ ଯେପରି କେହି ଚାନ୍ଦା ନାଁରେ ହଇରାଣ ନ ହୁଅନ୍ତି, ସେଥିପାଇଁ ବିଭିନ୍ନ ସ୍ଥାନ ଉପରେ ପୁଲିସର ନଜର ରହିବ । ଚାନ୍ଦା ଆଦାୟ ବେଳେ ଆଇନଶୃଙ୍ଖଳା ଭଙ୍ଗ ହେଲେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ପୁଲିସର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା । ପ୍ରତିବର୍ଷ ସରକାର ଓ କମିସନରେଟ୍ ପୁଲିସ ପକ୍ଷରୁ ଜାରି ହେଉଥିବା ଗାଇଡ୍ ଲାଇନ୍ ପୂଜା କମିଟିଗୁଡ଼ିକ ପାଳନ କରିଥାନ୍ତି ବୋଲି କହିଛନ୍ତି । ଚାନ୍ଦା ଆଦାୟଠାରୁ ଆରମ୍ଭ କରି ଟ୍ରାଫିକ୍ ନିୟନ୍ତ୍ରଣ , ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତ୍ୟେକ କ୍ଷେତ୍ରରେ ନିୟମ ମାନିବାକୁ ସଦସ୍ୟମାନଙ୍କୁ ମଧ୍ୟ ଅନୁରୋଧ କରାଯିବ ।କୌଣସି ଗୋଟିଏ ଘଟଣା ପାଇଁ ସମଗ୍ର ପୂଜା କମିଟି ବଦନାମ ହେବା ଉଚିତ୍ ନୁହେଁ । ତେଣୁ ପ୍ରତ୍ୟେକ ପୂଜା କମିଟିର ଦାୟିତ୍ୱରେ ଥିବା ସଦସ୍ୟମାନେ ଅଧିକ ସଚେତନ ରହି ନିଜ ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି ।
ଆହୁରି ପଢନ୍ତୁ : ଓଡ଼ିଶା ପୁଷ୍ଟି ମିଶନର କାର୍ଯ୍ୟାନ୍ବୟନ ନେଇ ବୈଠକ : ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ସୁଦୃଢ଼ୀକରଣକୁ ଗୁରୁତ୍ୱ

