ନୂଆଦିଲ୍ଲୀ,୦୭/୦୪; ଆସାମ ପୁଲିସର ଏକ ଦଳ କଂଗ୍ରେସ ନେତା ପବନ ଖେରାଙ୍କ ଦିଲ୍ଲୀ ବାସଭବନରେ ପଚରାଉଚରା ପାଇଁ ପହଞ୍ଚିଛି । ଆସାମ ପୁଲିସ ସହିତ ଦିଲ୍ଲୀ ପୁଲିସର ଏକ ଦଳ ମଧ୍ୟ ଉପସ୍ଥିତ ଅଛି । ଖେରା ନିକଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ପାଖରେ ତିନୋଟି ପାସପୋର୍ଟ ଅଛି ।
ଶର୍ମାଙ୍କ ପତ୍ନୀ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରି ଏକ ଏଫଆଇଆର ଦାୟର କରିଥିଲେ । ଗୋଟିଏ ଦିନ ପରେ, ଆସାମ ପୁଲିସ ଖେରାଙ୍କ ଘରେ ପହଞ୍ଚିଛି । ଆସାମ ପୁଲିସ୍ ପବନଙ୍କ ଘରେ ପହଞ୍ଚିବା ପରେ ସେ ତାଙ୍କ ବାସଭବନରେ ନଥିଲେ । ସେ ହାଇଦ୍ରାବାଦ ପଳାଇଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ପବନ ଖେରା କ'ଣ କହିଥିଲେ ? କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ପବନ ଖେରା ୫ ଏପ୍ରିଲରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପାରିବାରିକ ସମ୍ପତ୍ତି ଏବଂ ଆର୍ଥିକ କାରବାର ସମ୍ପର୍କରେ ଅନେକ ଅଭିଯୋଗ ଆଣିଥିଲେ । ସେ ଏହା ମଧ୍ୟ ପଚାରିଥିଲେ, "ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ପାଖରେ ତିନୋଟି ଭିନ୍ନ ପାସପୋର୍ଟ କିପରି ଅଛି ? ତାଙ୍କୁ ତିନୋଟି ପାସପୋର୍ଟ କାହିଁକି ଦରକାର ? ସେ କ'ଣ ଜଣେ ଅପରାଧୀ ?"
ସେ ପ୍ରଶ୍ନ କରିଥିଲେ ଯେ, ହିମନ୍ତ ବିଶ୍ୱ ଶର୍ମାଙ୍କ ପାଖରେ ମଧ୍ୟ ଗୋଟିଏରୁ ଅଧିକ ପାସପୋର୍ଟ ଅଛି କି ? ଆସାମ ନିର୍ବାଚନରେ ହାରିବା ପରେ ସେ କ'ଣ ପଳାୟନ କରିବାକୁ ପ୍ରସ୍ତୁତ ହେଉଛନ୍ତି ? ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି ସେ କହିଛନ୍ତି, "ହିମନ୍ତ ବିଶ୍ୱ ଶର୍ମାଙ୍କ ସମ୍ପୂର୍ଣ୍ଣ ରାଜନୀତି ମୁସଲମାନମାନଙ୍କ ପ୍ରତି ଘୃଣା ଉପରେ ଆଧାରିତ, ତଥାପି ତାଙ୍କ ପତ୍ନୀ ଦୁଇଟି ମୁସଲିମ ଦେଶର ପାସପୋର୍ଟ ରଖିଛନ୍ତି । କିପରି ? ଭାରତୀୟ ଆଇନ ଅନୁଯାୟୀ, ଆପଣ ଦ୍ୱୈତ ନାଗରିକତା ରଖିପାରିବେ ନାହିଁ । ତେବେ, କ'ଣ ରିଙ୍କି ଭୂୟାଁ ଶର୍ମାଙ୍କ ପାଖରେ ମଧ୍ୟ ଭାରତୀୟ ପାସପୋର୍ଟ ଅଛି? ଗୃହମନ୍ତ୍ରୀ ଅମିତ ଶାହ ଜାଣିଥିଲେ ଯେ ତାଙ୍କ ପାଳିତ ପୁଅର ସ୍ତ୍ରୀଙ୍କ ପାଖରେ ତିନୋଟି ପାସପୋର୍ଟ ଅଛି ? ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ଦେବା ଉଚିତ୍ - ସେ କ'ଣ ଏକ ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ କରିବେ ? "
ଏହା ବି ପଢନ୍ତୁ...
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ପବନ ଖେରାଙ୍କ ଅଭିଯୋଗର ଜବାବ ଦେଇଥିଲେ । ସେ ଖେରାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ସେ ଏବଂ ତାଙ୍କ ପତ୍ନୀ ରିଙ୍କି ଶର୍ମା ୪୮ ଘଣ୍ଟା ମଧ୍ୟରେ ଖେରାଙ୍କ ବିରୋଧରେ ଫୌଜଦାରୀ ଏବଂ ମାନହାନି ମାମଲା ଦାୟର କରିବେ । ଏପ୍ରିଲ ୬ ତାରିଖରେ, ଖେରାଙ୍କ ବିରୋଧରେ ଏକ ଏଫଆଇଆର ଦାୟର କରିଥିଲେ ।

