ଭୁବନେଶ୍ବର, ୩୧।୮ : ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି । ତାଙ୍କ ସମର୍ଥକ ସହ ବିଧିବଦ୍ଧ ଭାବରେ କଂଗ୍ରେସ ଯୋଗ ଦେଇଛନ୍ତି ରାମଚନ୍ଦ୍ର ହାଁସଦା ।କଂଗ୍ରେସ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସେ ଯୋଗ ଦେଇଛନ୍ତି ।
ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା କହିଛନ୍ତି ଯେ, ମୋର ସହଯୋଗୀ ଏବଂ ମୋତେ କଂଗ୍ରେସ ଦଳ ଉତ୍ସାହର ସହ ସ୍ୱାଗତ କରିଥିବାରୁ ଦଳକୁ ଧନ୍ୟବାଦ ଦେଉଛି। ପୂର୍ବରୁ ମୁଁ ଅଧିବାସୀଙ୍କ ହକ ପାଇଁ ଲଢେଇ କରୁଥିଲି ଆଗକୁ ମଧ୍ୟ ଲଢେଇ କରିଵି। କଂଗ୍ରେସ ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ। ମୋ ଚିନ୍ତାଧାରା କଂଗ୍ରେସ ଦଳର ଚିନ୍ତାଧାରା ସହ ସମାନ। ମୟୁରଭଞ୍ଜରେ କଂଗ୍ରେସ ଅଧିକ ମଜବୁତ କରିବା ଏବଂ ପିସିସି ସଭାପତିଙ୍କ ହାତ ମୁଠାକୁ ଅଧିକ ମଜବୁତ କରିବା ଆମର ଲକ୍ଷ୍ୟ। ସେହିପରି ପିସିସି ସଭାପତି କହିଛନ୍ତି ଆଗାମୀ ଦିନରେ ମୟୁରଭଞ୍ଜରେ ବଡ ରାଜନୈତିକ ପରିବର୍ତ୍ତନ ହେବ। କଂଗ୍ରେସ ଦଳ ଅଧିକ ମଜବୁତ ହେବା ସହ କ୍ରିୟାଶୀଳ ହେବ।
ସୂଚନାଯୋଗ୍ୟ, ରାମଚନ୍ଦ୍ର ହାଁସଦା ବିଜେଡି ନେତା ଥିଲେ। ସେ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପରେ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ରାଜନୀତିରୁ ଦୂରେଇ ରହିଥିଲେ।

