ମାଧପୁର, ୦୪/୦୫ : କେନ୍ଦୁପତ୍ର ତୋଳିବା ବେଳେ ଦଳିଦେଲା ଦନ୍ତା। ଦୌଡ଼ି ପଳାଇଲେ ସ୍ଵାମୀ, ହାତୀ ହାବୁଡ଼ରେ ପଡ଼ିଗଲେ ସ୍ତ୍ରୀ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ସୂଚନା ଅନୁଯାୟୀ, ଆଠମଲ୍ଲିକ ବ୍ଲକ ମାଧପୁର ଗାଁର ଜ୍ୟୋତ୍ସ୍ନା ବିଶ୍ଵାଳ ଓ ସ୍ଵାମୀ ବିଜୟ ବିଶ୍ଵାଳଙ୍କ ସହ ୬ ଜଣ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। କେନ୍ଦୁପତ୍ର ତୋଳିବା ବେଳେ ଏକ ୬ ଟିକିଆ ହାତୀପଲ ସେମାନଙ୍କୁ ଆକ୍ରମଣ କରିଥିଲେ। ସମସ୍ତେ ଭୟରେ ଦୌଡ଼ି ପଳାଇଥିଲେ। ହେଲେ ଜ୍ୟୋସ୍ନା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଗାଁ ଠାରୁ ୧୦ କିମି ଦୂରରେ ନୂଆଗାଁ ସଂରକ୍ଷିତ ଜଙ୍ଗଲ ଭିତରେ ଏହି ଘଟଣା ଘଟିଥିବା ବେଳେ କାହାରି ପାଖରେ ମୋବାଇଲ୍ ନଥିଲା। ସମସ୍ତେ ୪ କିମି ଦୂର ବିଜପୁରକୁ ଚାଲି ଚାଲି ଆସି ଫୋନ କରିଥିଲେ। ବିଜପୁର ବିଟର ଫରେଷ୍ଟ ଗାର୍ଡ ରେଞ୍ଜ୍ ଅଫିସକୁ ଜଣାଇଥିଲେ। ମାଧପୁର ଅଫିସ ଷ୍ଟାଫ ସଦଳବଳେ ଯାଇ ଜ୍ୟୋତ୍ସ୍ନାଙ୍କୁ ଉଦ୍ଧାର କରି ମାଧପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଆଠମଲ୍ଲିକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହେଇଯାଥିଲା। ତେବେ ବାରମ୍ଵାର ଏଭଳି ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

