Dailyhunt
ଖଣ୍ଡଗିରି ଦେବସଭା ଏବେ ଜଳଶୂନ୍ୟ, ପଚା ପାଣିରେ ଗାଧୁଆପାଧୁଆ କରୁଛନ୍ତି ସାଧୁସନ୍ଥ, ୨ ମାସ ହେଲା ଆସୁନି ପାଣି

ଖଣ୍ଡଗିରି ଦେବସଭା ଏବେ ଜଳଶୂନ୍ୟ, ପଚା ପାଣିରେ ଗାଧୁଆପାଧୁଆ କରୁଛନ୍ତି ସାଧୁସନ୍ଥ, ୨ ମାସ ହେଲା ଆସୁନି ପାଣି

ଭୁବନେଶ୍ୱର, ୦୮/୦୪ : ଐତିହ୍ୟସମ୍ପନ୍ନ ଖଣ୍ଡଗିରି ମୁଣ୍ଡିଆ ଉପରେ ଥିବା ଦେବସଭା ଏବେ ଜଳଶୂନ୍ୟ ହୋଇପଡ଼ିଛି । ସେଠାରେ ପାଣି ମିଳୁନି । ପାଇପ ଓ ଟ୍ୟାପ୍‌ ସଂଯୋଗ ଥିଲେ ମଧ୍ୟ ସେଥିରେ ପାଣି ଆସୁନି । ଖଣ୍ଡଗିରି ମେଳା ସରିବା ପରେ ବି ଏବେ ଦେବସଭାରେ ୧୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଡେରା ପକାଇଛନ୍ତି । ଯେଉଁମାନେ ସଠାରେ ମହାଶିବରାତ୍ରିଠୁ ନେଇ ଶ୍ରୀରାମ ନବମୀ ପାଳନ କରିଛନ୍ତି ।

ଆଗକୁ ସେଠାରେ ମହାବିଷୁବ ପଣାସଂକ୍ରାନ୍ତି ତଥା ଶ୍ରୀହନୁମାନ ଜୟନ୍ତୀ ଆୟୋଜନ ହେବାକୁ ଯାଉଛି । ହେଲେ ଏବେ ସେଠାରେ ପାଣି ନଥିବାରୁ ସାଧୁସନ୍ଥ ତଥା ସେଠାକୁ ଆସୁଥିବା ପର୍ଯ୍ୟଟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପାଣି ନଥିବାରୁ ସାଧୁମାନେ ଶ୍ୟାମକୁଣ୍ଡରେ ଥିବା ପଚା ଜଳରେ ଗାଧୁଆପାଧୁଆ କରୁଛନ୍ତି ।

ଗତ ଖଣ୍ଡଗିରି ମେଳା ବେଳେ ଦେବସଭାକୁ ୱାଟକୋ ପକ୍ଷରୁ ପାଣି ସଂଯୋଗ କରାଯାଇଥିଲା । ହେଲେ ମେଳା ସରୁସରୁ ଦେବସଭାକୁ ଯାଇଥିବା ପାଣି ସଂଯୋଗକୁ ବନ୍ଦ କରିଦିଆଯାଇଥିଲା । ଏହାକୁ ଦେଖି ସେଠାରେ ଥିବା ବାହାର ରାଜ୍ୟର ସାଧୁସନ୍ଥମାନେ ଅସନ୍ତୋଷ ପ୍ରକାଶ କରି ତଳକୁ ଚାଲିଆସିଥିଲେ । ଆଉ ଯେଉଁମାନେ ସେଠାରେ ରହୁଥିଲେ, ସେମାନେ ଏବେ ପାଣି ପାଇଁ ତଳକୁ ଆସୁଛନ୍ତି । ପ୍ରାୟ ଦୁଇମାସ ହୋଇଗଲାଣି କୌଣସି ଅଧିକାରୀ ଏଦିଗରେ ଦୃଷ୍ଟି ଦେଉନଥିବା ବାବାଜି ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି । ଏନେଇ ସାଧୁସନ୍ଥମାନେ ମା ବାରଭୂଜା ମନ୍ଦିର ପରିଚାଳନା କମିଟି ଓ ଖଣ୍ଡଗିରି ମେଳା ଆୟୋଜକ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର କର୍ମକର୍ତ୍ତାକୁ ଅଭିଯୋଗ କରିଛନ୍ତି ।

ଏସଂକ୍ରାନ୍ତରେ ପୂର୍ବତନ କର୍ପୋରେଟର ତଥା ମନ୍ଦିର ପରିଚାଳନା କମିଟିର ରଘୁନାଥ ମହାନ୍ତି କହିଛନ୍ତି, ପ୍ରଶାସନର ଅପାରଗତା ପାଇଁ ଆଜି ଖଣ୍ଡଗିରି ବଦନାମ୍‌ ହେଉଛି । ଖଣ୍ଡଗିରି ମେଳା ବେଳେ ବିଏମସିଠୁ ନେଇ ଏଏସଆଇ ଓ ୱାଟକୋ ଅଧିକାରୀଙ୍କୁ ଭେଟି ଆମେ ଦାବିପତ୍ର ଦେଲୁ । ମେଳାର ଦିନକପୂର୍ବରୁ ଦେବସଭାକୁ ପାଣି ଦିଆଯାଇଥିଲା । ମେଳା ସରିବାର ଦିନକପରେ ସଂଯୋଗ କଟାଗଲା । ଆସନ୍ତାଦିନରେ ଏକ ପ୍ରତିନିଧି ଦଳ ୱାଟକୋ ଅଧିକାରୀଙ୍କୁ ଭେଟିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଭୋଟ୍ ଟାଣିବାକୁ ବିଜେପିର ନୂଆ ରଣନୀତି, ପୁରୀରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନୀ ପୋଷ୍ଟର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia