ରାୟଗଡ଼ା(ଆପ୍ର)- ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ସହିତ ୬୪ ଗ୍ରାମ ସୁନା ଓ ୧୭୬୪ ଗ୍ରାମ ରୂପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ୬ ଟି ଦେଶର ୧୧ ଟି ବିଦେଶୀ ନୋଟ ଓ ୩ ଟି ମୁଦ୍ରା ମଧ୍ୟ ବାହାରିଛି।
ଯେଉଁଥିରେ ରହିଛି ଆମେରିକା, କାନାଡା, ଇଂଲଣ୍ଡ ଓ ୟୁଏଇ ଦେଶର ନୋଟ୍ ଓ ମୁଦ୍ରା। ବିଦେଶରେ ରହୁଥିବା କୌଣସି ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି।
ସୋମବାର ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୮ ଘଣ୍ଟା ଧରି ଗଣତି ହୋଇଥିଲା। ଏହା ପୂର୍ବରୁ ଜୁନ ୨୯ ତାରିଖରେ ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୂପା ବାହାରିଥିଲା। ଏଥିସହ ବିଭିନ୍ନ ପ୍ରକାର ଦେଶର ବିଦେଶୀ ନୋଟ ମଧ୍ୟ ବାହାରିଥିଲା।
ସୂଚନା ଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୪ ମାସ ପରେ ଖୋଲାଗଲା। ତେବେ ଆଗକୁ ଦଶହରା ଥିବାରୁ ଏହା ପୂର୍ବରୁ ହୁଣ୍ଡି ଖୋଲାଯାଇ ଗଣତି ଶେଷ ହୋଇଛି। ସୋମବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରପା ଜିଲ୍ଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା।
ଆହୁରି ପଢନ୍ତୁ : କଂଗ୍ରେସରେ ସାମିଲ ହେଲେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା

