ହୋମ
ଖ୍ୟାତନାମା ସାମ୍ବାଦିକ ଲ୍ୟାରି କିଙ୍ଗ୍ଙ୍କ ଦେହାନ୍ତ

ୱାଶିଂଟନ,୨୪/୦୧: ଖ୍ୟାତନାମା ସାମ୍ବାଦିକ ତଥା ଆମେରିକୀୟ ଟିଭି ଚ୍ୟାନେଲ ସିଏନଏନରେ ଦୀର୍ଘ ବର୍ଷ ଧରି ଟକ୍ ସୋ'ର ହୋଷ୍ଟ ଭାବେ କାମ କରି ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ଲ୍ୟାରି କିଙ୍ଗଙ୍କର ଶନିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ କିଛି ସପ୍ତାହ ତଳେ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ଯାହାଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇନଥିଲେ ।
ଲ୍ୟାରି ୨୫ ବର୍ଷ ଧରି ସିଏନଏନରେ ' ଲ୍ୟାରି କିଙ୍ଗ ଲାଇଭ୍' ନାମକ ଟକ୍ ସୋର ହୋଷ୍ଟ ଭାବେ କାମ କରି ୨୦୧୦ ମସିହାରେ ଅବସର ନେଇଥିଲେ । ସେ ଏହି କାର୍ଯ୍ୟକ୍ରମର ପ୍ରାୟ ୬୦୦୦ ଏପିସୋଡରେ ହୋଷ୍ଟ ଭାବେ କାମ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ଅନେକ ପ୍ରସିଦ୍ଧ ରାଜନେତା, ଖେଳାଳୀ, ସିନେଷ୍ଟାର ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କର ସାକ୍ଷାତକାର ନେଇଥିଲେ । ବିଭିନ୍ନ ରେଡିଓ ଓ ଟିଭି ଚ୍ୟାନେଲରେ ୬୭ ବର୍ଷ ଧରି ସକ୍ରିୟ ଥିଲେ ।