ଝାଡ଼ଖଣ୍ଡ, ୨।୪: ସମାଜରେ ବିଜ୍ଞାନ ଯେତେ ଆଗେଇଲେ ବି ଅନ୍ଧବିଶ୍ୱାସର ଚେର ଏବେ ବି କେତେ ଗଭୀର, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ । ପୁଅର ରୋଗ ଭଲ କରିବା ପାଇଁ ଜଣେ ମା' ନିଜର ୧୩ ବର୍ଷର ଝିଅକୁ ବଳି ଚଢ଼ାଇବା ଭଳି ଏକ ଅମାନୁଷିକ କାଣ୍ଡ ଘଟାଇଛି । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଲିସ ମୃତକଙ୍କ ମା', ଜଣେ ମହିଳା ତାନ୍ତ୍ରିକ ଏବଂ ଜଣେ ସହଯୋଗୀକୁ ଗିରଫ କରିଛି ।
ହଜାରିବାଗ ଜିଲ୍ଲା କୁସୁମଭା ଗ୍ରାମର ୩୫ ବର୍ଷୀୟା ରେଶମୀ ଦେବୀଙ୍କ ପୁଅ ଦୀର୍ଘ ଦିନ ଧରି ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ଥିଲା । ପୁଅକୁ ସୁସ୍ଥ କରିବା ପାଇଁ ରେଶମୀ ସେହି ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ତାନ୍ତ୍ରିକ ଶାନ୍ତି ଦେବୀଙ୍କ ସଂସ୍ପର୍ଶରେ ଆସିଥିଲେ । ତାନ୍ତ୍ରିକ ଜଣକ ରେଶମୀଙ୍କୁ ବିଶ୍ୱାସ ଦେଇଥିଲେ ଯେ, "ଯଦି ଜଣେ କୁମାରୀ କନ୍ୟାର ବଳି ଦିଆଯାଏ, ତେବେ ତାଙ୍କ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ।" ପୁଅ ମୋହରେ ଅନ୍ଧ ହୋଇ ମା' ନିଜ ଝିଅକୁ ହିଁ ମୃତ୍ୟୁ ମୁଖକୁ ଠେଲି ଦେବାକୁ ଯୋଜନା କରିଥିଲେ ।
ଏହା ବି ପଢ଼ନ୍ତୁ... ନିର୍ବାଚନ ପୂର୍ବରୁ ଥରିଲା I-PAC: ୩ଟି ବଡ଼ ସହରରେ EDର ମାରାଥନ୍ ଚଢ଼ାଉ, ବଢ଼ିଲା ମମତାଙ୍କ ଚିନ୍ତା !
ଅଷ୍ଟମୀ ରାତିରେ ନିର୍ମମ ହତ୍ୟା:
୨୪ ମାର୍ଚ୍ଚ ଅର୍ଥାତ୍ ନବରାତ୍ରୀ ଅଷ୍ଟମୀ ରାତିରେ ଯେତେବେଳେ ପୂରା ଗାଁ ରାମନବମୀ ଉତ୍ସବରେ ମଜ୍ଗୁଲ୍ ଥିଲା, ସେତେବେଳେ ଏହି ଭୟଙ୍କର କାଣ୍ଡ ଘଟାଯାଇଥିଲା । ତାନ୍ତ୍ରିକ ଶାନ୍ତି ଦେବୀଙ୍କ ଘରେ ଅନ୍ୟତମ ସହଯୋଗୀ ଭୀମ ରାମଙ୍କ ସହାୟତାରେ ନାବାଳିକା ଝିଅଟିର ଗଳା ଚିପି ହତ୍ୟା କରାଯାଇଥିଲା । ପୂଜାପାଠ ଓ ଅନୁଷ୍ଠାନ ନାଁରେ ବର୍ବରତା କରାଯିବା ପରେ ଶବକୁ ଏକ ବଗିଚାରେ ପୋତି ଦିଆଯାଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମା' ନିଜେ ଝିଅର ଅପହରଣ ହୋଇଥିବା ନେଇ ଏକ ମିଥ୍ୟା କାହାଣୀ ରଚିଥିଲେ । ଏପରିକି ଏହାକୁ ଏକ ଦୁଷ୍କର୍ମ ମାମଲା ବୋଲି ଦର୍ଶାଇ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ପୋଷ୍ଟମର୍ଟମ ଏବଂ ଫରେନସିକ୍ ରିପୋର୍ଟ ପୋଲିସର ସନ୍ଦେହ ବଢ଼ାଇଥିଲା । କଡ଼ା ପଚରାଉଚରା ପରେ ତିନି ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛନ୍ତି । ଏହି ଘଟଣାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ପ୍ରଶାସନ ଓ ଡିଜିପିଙ୍କୁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ, ବିରୋଧୀ ବିଜେପି ପକ୍ଷରୁ ଏହି ଘଟଣା ବିରୋଧରେ ହଜାରିବାଗରେ ୧୨ ଘଣ୍ଟିଆ ବନ୍ଦ୍ ପାଳନ କରାଯାଇଥିଲା । ଏହି ଘଟଣା ଆଜିର ସମାଜରେ ମାନବିକତା ଏବଂ ଅନ୍ଧବିଶ୍ୱାସର କରାଳ ରୂପକୁ ପୁଣିଥରେ ପଦାରେ ପକାଇଛି ।

