Dailyhunt
କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ, ବଣ୍ଟା ହେବ କିଟ୍‌ ଓ ନୂଆ ବହି

କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ, ବଣ୍ଟା ହେବ କିଟ୍‌ ଓ ନୂଆ ବହି

ଭୁବନେଶ୍ୱର, ୦୪/୦୪ : ଶନିବାରଠୁ ଆରମ୍ଭ ହେବ ସ୍କୁଲରେ ନୂଆ ଶିକ୍ଷାବର୍ଷର ପାଠପଢ଼ା । ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ । ଆଡ଼ମ୍ବରର ସହ ପାଳନ କରାଯିବ । ଭୁବନେଶ୍ୱରସ୍ଥିତ ରାଜଭବନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ।

ଏଥିରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଲାଙ୍କୁ ଖଡ଼ି ଛୁଆଇଁବେ । ସେଠାରେ ପିଲାଙ୍କୁ ବିଭିନ୍ନ ଶିକ୍ଷଣୀୟ କିଟ୍‌ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଶିକ୍ଷା ସଚେତନତା ରଥକୁ ଶୁଭାରମ୍ଭ କରିବାର ଯୋଜନା ରହିଛି । ଏଥିସହ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ବିକଶିତ ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଖଡ଼ିଛୁଆଁ ଉତ୍ସବ ପାଇଁ ରାଜ୍ୟରେ ପ୍ରାୟ ୫ ଲକ୍ଷ ନିମନ୍ତ୍ରଣ କାର୍ଡ ବଣ୍ଟାଯାଇଛି । ଗତ ୨ ତାରିଖରେ ଏହି ଖଡ଼ି ଛୁଆଁ ଉତ୍ସବ ହେବାର କାର୍ଯ୍ୟକ୍ରମ ରହିଥିଲା । ପ୍ରଶାସନିକ କାରଣ ପାଇଁ ଉତ୍ସବକୁ ଶନିବାରକୁ ଘୁଞ୍ଚାଇ ଦିଆଯାଇଥିଲା । ଶିଶୁବାଟିକା ପିଲା ଓ ନୂଆ କରି ନାମ ଲେଖାଇଥିବା ପିଲାଙ୍କର ଖଡ଼ି ଛୁଆଁ ଉତ୍ସବ କରାଯିବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । ସମସ୍ତ ସ୍କୁଲ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ସହ ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ ହେବ । ସ୍କୁଲସ୍ତରୀୟ କାର୍ଯ୍ୟକ୍ରମ ୬ ତାରିଖରୁ ୮ ତାରିଖ ମଧ୍ୟରେ କରାଯିବ । ଆଜି ଶିକ୍ଷା ସଚେତନତା ରଥ ଶୁଭାରମ୍ଭ ହେବା ପରେ ୧୦ ତାରିଖ ଯାଏ ବୁଲିବ । ଉତ୍ସବ ପାଇଁ ସ୍କୁଲକୁ ସୁସଜ୍ଜିତ କରାଯିବ । ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ୱାଗତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତାକୁ ପଢ଼ାଯିବ । ଏଥିସହ ପିଲାଙ୍କୁ କିଟ୍‌ ବଣ୍ଟନ ହେବ । ସ୍କୁଲରେ ଗାଁର ବୈଠକ ହେବ । ଅଭିଭାବକ ଛାତ୍ର ବନ୍ଧନକୁ ସୁଦୃଢ଼ କରାଯିବ । ଅଭିଭାବକମାନେ ନିଜର ପିଲା ଦିନର ଅଭୁଲା ସ୍ମୃତିକୁ ପିଲାଙ୍କ ଆଗରେ ବଖାଣିବେ । ପିଲାମାନେ ସ୍କୁଲର ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ୍‌, ସଂଖ୍ୟାଜ୍ଞାନ ଷ୍ଟେସନ୍‌, କ୍ରିଏଟିଭ୍‌ ଷ୍ଟେସନ୍‌ ବୁଲିବେ । ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ କରାଯିବ । ଯାହାକୁ କୁନି ସଂଗାତ କୁହାଯିବ । ଶପଥ ପାଠ କରାଯିବ । ଅଭିଭାବକଙ୍କୁ ନେଇ ଏକ ହ୍ୱାଟସ୍‌ ଆପ୍‌ ଗ୍ରୁପ ହେବ ବୋଲି ସୂଚନା ରହିଛି ।

ଏହି ଖବରଟିକୁ ପଢନ୍ତୁ-ଝାଇଁ ଝାଇଁ କଲାଣି ଖରା : ୪୨ ଡିଗ୍ରୀ ମୁହାଁ ପାରଦ, ଆହୁରି ବଢିବ ତାତି... ୧୦ରୁ ଉପକୂଳରେ ଜାଳିବ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia