ଲକ୍ଷ୍ନୌ : ୟୁପି ଏସଟିଏସକୁ ଲକ୍ଷ୍ନୌରେ ବଡ଼ ସଫଳତା ମିଳିଛି। ଏଟିଏସ୍ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଚାରି ଜଣ ଲକ୍ଷ୍ନୌର ଚାରବାଗରେ ବିସ୍ଫୋରଣ କରିବାକୁ ଆସି ଥିଲେ, କିନ୍ତୁ ଏହା ପୂର୍ବରୁ ଏଟିଏସ୍ ଧରି ନେଇଥିଲା। ଏଥିରେ ଦୁଇଜଣ ଆତଙ୍କୀ ମିରଟ ଓ ଦୁଇ ଜଣ ନୋଏଡାରେ ରୁହନ୍ତି। ଗିରଫ ସମସ୍ତ ଆତଙ୍କୀ ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମ ସହ ଜଡ଼ିତ ପାକିସ୍ତାନ ହ୍ୟାଣ୍ଡଲରର ସଂପର୍କରେ ଥିଲେ।
ଗିରଫ ଆତଙ୍କୀଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଭଣ୍ଡାରୀ(ବାରବର) କାମ କରୁଥିଲା , ଏହି ଆଳରେ ସେ ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଥିଲା। ଆତଙ୍କୀମାନେ ଲକ୍ଷ୍ନୌରେ ଥିବାର ଏଟିଏସ୍ ସୂଚନା ପାଇବା କ୍ଷଣି ତଲାସୀ ଅଭିଯାନ ଆରମ୍ଭ କରି ଦେଇ ଥିଲା। ଚାରି ଜଣ ଆତଙ୍କୀ ଏଟିଏସ୍ ହାତରେ ଧରା ପଡ଼ି ଥିଲେ। ଗିରଫ ବେଳେ ଏଟିଏସ୍ ତାଙ୍କ ପାଖରୁ ଗୋଟିଏ କ୍ୟାନ୍ ଜ୍ୱଳନଶୀଳ ଜିନିଷ, ୭ଟି ସ୍ମାର୍ଟଫୋନ୍ ,୨୪ଟି ପମ୍ପଲେଟ୍ ଓ ଆଧାର କାର୍ଡ ଜବତ କରିଛି।
ୟୁପିର ଏଡିଜି ଆଇନ-ବ୍ୟବସ୍ଥା ଅମିତାଭ ୟଶ କହିଛନ୍ତି ଯେ, ଦେଶରେ ଆତଙ୍କ ପ୍ରସାରର ପ୍ରସ୍ତୁତିରେ ଥିବା ମିରଟର ଅଗୱାନପୁର ଗାଁ ଥାନା ପରୀକ୍ଷିତଗଡ଼ ଅଞ୍ଚଳର ସାକିବ ଓରଫ ଡେଭିଡ୍ (୨୫), ମିରଟର ଅରବାବ (୨୦), ଗୌତମବୁଦ୍ଧନଗରର ରାମ ବିହାର ନିବାସୀ ବିକାଶ ଗହଲାବତ ଓରଫ ରୌନକ (୨୭) ଓ ରାମ ବିହାର କଲୋନୀ ଗୌତମବୁଦ୍ଧନଗରର ଲୋକେଶ ଓରଫ ପୋପଲା ପଣ୍ଡିତ ଓରଫ ବାବୁ ଓରଫ ସଞ୍ଜୁ (୧୯)କୁ ଶୁକ୍ରବାର ଲକ୍ଷ୍ନୌର ଚାରବାଗ ରେଲୱେ ଷ୍ଟେସନ ନିକଟରୁ ଗିରଫ କରାଯାଇ ଥିଲା।
ଏଟିଏସ ମୁତାବିକ , ଏହି ଚାରି ଜଣ ଶୁକ୍ରବାର ଲକ୍ଷ୍ନୌରେ ପହଞ୍ଚି ଥିଲେ ଏବଂ ସାଥିଙ୍କ ସହ ମିଶି ଲକ୍ଷ୍ନୌ ରେଲୱେ ଷ୍ଟେସନ ନିକଟରେ ରେଲୱେ ସିଗନାଲ ଓ ରେଲୱେର ସଂପତ୍ତିକୁ ଜଳାଇବା କିମ୍ୱା ବିସ୍ଫୋରକ ଦ୍ୱାରା କ୍ଷତି କରିବାକୁ ଚେଷ୍ଟା କରୁଥିଲେ। ଏହା ପୂର୍ବରୁ ଏଟିଏସ ତାଙ୍କୁ ଗିରଫ କରି ଥିଲା।

