ଭୁବନେଶ୍ୱର ୧/୯ : ଜୀବନ ଦେଇ ଭଲ ପାଉଥିଲେ । ସାତ ଜନମର ସାଥୀ ହୋଇ ରହିବାକୁ ବି କଥା ଦେଇଥିଲେ । ଟଙ୍କା ପଇସାଠାରୁ ଆରମ୍ଭ କରି ସୁନାଗହଣା ସବୁ ଦେଲେ । ହେଲେ ଶେଷରେ ବିବାହ କରିବାକୁ ମନା କରିଦେଲେ ପ୍ରେମିକା । ଏଥିରେ ଭାଙ୍ଗି ପଡ଼ିଲେ ଯୁବକ । ଘର ଛାଡ଼ି କେଉଁଆଡ଼େ ପଳାଇଲେ । ବହୁ ଖୋଜାଖୋଜି ପରେ ପୁଅକୁ ଫେରି ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବାପା ।
ଏଭଳି ରୋଚକ ଘଟଣା ଘଟିଛି ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ଯାଁଳା ଅଞ୍ଚଳର ସୁମନ୍ତ ନାମକ ଜଣେ ଯୁବକ ରାଜଧାନୀ କଲେଜରେ ପଢ଼ୁଥିଲେ । ସେ ଉକ୍ତ କଲେଜର ଜଣେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାପରେ ବିବାହ କରିବାକୁ ମନସ୍ଥ କରିଥିଲେ । ସୁମନ୍ତ ପ୍ରେମିକାଙ୍କୁ ଅନେକ ଉପହାର ଦେବା ସହ ତାଙ୍କ ପଛରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିଲେ । ଉକ୍ତ ଯୁବତୀଙ୍କୁ ବିବାହ ପ୍ରସ୍ତାବରେ ସୁମନ୍ତଙ୍କ ପରିବାର ମଧ୍ୟ ରାଜି ଥିଲେ ।
ଆହୁରି ପଢନ୍ତୁ ;- Fake Currency: ବ୍ୟାଙ୍କରେ ୭ କୋଟି ଟଙ୍କାର ନକଲି ନୋଟ୍ ପାହାଡ଼ ! ୪.୩୬ ଲକ୍ଷ ଟଙ୍କା ଗାଏବ, ୪ ଅଫିସର୍ ସସ୍ପେଣ୍ଡ
ହେଲେ ଗତ କିଛିଦିନ ହେବ ଯୁବତୀ ଜଣକ ସୁମନ୍ତଙ୍କଠାରୁ ଦୂରେଇବା ଆରମ୍ଭ କରି ଦେଇଥିଲେ । ଶେଷରେ ସେ ସୁମନ୍ତଙ୍କୁ ଭୁଲି ଯିବାକୁ କହିବା ସହ ବିବାହ କରିବାକୁ ତାଙ୍କ ଘରେ ରାଜି ନାହାନ୍ତି ବୋଲି କହିଥିଲେ । ଏପରିକି ଯୁବତୀଙ୍କ ଭାଇ ଓ ସମ୍ପର୍କୀୟମାନେ ସୁମନ୍ତଙ୍କୁ ଫୋନ୍ କରି ହତ୍ୟା ଧମକ ଦେଇଥିଲେ । ତେଣୁ ସୁମନ୍ତ ଦୁଖରେ ଭାଙ୍ଗି ପଡ଼ିବା ସହ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ଗତ ୨୬ ତାରିଖଠାରୁ ସୁମନ୍ତ ଘର ଛାଡ଼ି କେଉଁଆଡ଼େ ପଳାଇଛନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ପାଉନାହାନ୍ତି । ଏନେଇ ସୁମନ୍ତଙ୍କ ବାପା ଇନ୍ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଥାନା କେସ୍ ନଂ-୩୬୩/୨୬ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ହେଲେ ତାଙ୍କର ଖୋଜଖବର ପାଇନଥିବା ଜଣାପଡ଼ିଛି ।

