Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Lower Suktel Project : ଲୋୟର ସୁକତେଲ ପ୍ରକଳ୍ପ ସର୍ଭେରେ ବୁଡ଼ୁଛି ଝାଙ୍କରି ମନ୍ଦିର, ହେଲେ ସାମ୍ନାରେ ଥିବା ପୂଜକ ଘର ବାଦ୍‌

Lower Suktel Project : ଲୋୟର ସୁକତେଲ ପ୍ରକଳ୍ପ ସର୍ଭେରେ ବୁଡ଼ୁଛି ଝାଙ୍କରି ମନ୍ଦିର, ହେଲେ ସାମ୍ନାରେ ଥିବା ପୂଜକ ଘର ବାଦ୍‌

ଲାଙ୍ଗିର, ୫/୮ : ଗାଁର ପ୍ରତ୍ୟକ୍ଷ ଦେବୀ ଘସିଏନ । ବଣଜଙ୍ଗଲ ଘେରା ତବଲବାଞ୍ଜିରେ ତାଙ୍କ ପୂଜା ଜୋରସୋରରେ ହୁଏ । ରୋଗବ୍ୟାଧିରୁ ଆରମ୍ଭ କରି କୋର୍ଟକଚେରି ମାମଲା ଶୁଣାଣି ଯାଏଁ ତାଙ୍କଠାରେ ହାରିଗୁହାରି ଲାଗେ । ଦଶହରାରେ ଗାଁ ସାରା ମିଶି ଯାତ୍ରା ଆୟୋଜନ କରିଥାନ୍ତି । ଚାରିପିଢ଼ି ଧରି ପୁଟା ପରିବାର ଘସିଏନ ଦେବୀ ଏବଂ ବୁଢ଼ାରଜାଙ୍କ ଝାଙ୍କର (ପୂଜକ) ଦାୟିତ୍ୱ ନିର୍ବାହ କରିଆସୁଛନ୍ତି ।

ଏବେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ପଛୁଆ ପାଣିରେ ତବଲବାଞ୍ଜି ଗାଁ ଆଂଶିକ ବୁଡ଼ିବ । ସେଥିପାଇଁ ହୋଇଥିବା ଏରିଏଲ ସର୍ଭେରେ ଗାଁର ଘସିଏନ ଦେବୀଙ୍କ ଝାକଁରି (ମନ୍ଦିର) ବୁଡ଼ିଛି । ତତ୍କାଳୀନ ଉପଜିଲ୍ଲାପାଳ ତଥା ଭୂ-ଅର୍ଜନ ଅଧିକାରୀଙ୍କ ଉପସ୍ଥିତିରେ ସେଠି ନାଲିଛକି ବି ପଡ଼ିଛି । ହେଲେ ଠିକ ଝାଁକରିର ସାମ୍ନାରେ ଥିବା ଝାଙ୍କରଙ୍କ ଘର ବାଦ୍‌ ପଡ଼ିଛି । ଝାଙ୍କରଙ୍କ ଝାଟିମାଟିର ଘର ବୁଡୁନାହିଁ । କିନ୍ତୁ ଝାକଁରି ସହ ପଛକୁ ଥିବା ଅନ୍ୟ ପଡ଼ୋଶୀ ଘରଗୁଡ଼ିକ ବୁଡ଼ିବ ବୋଲି ଛକି ପଡ଼ିସାରିଛି । ସେ ବାବଦକୁ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳିଛି । ଏବେ ଝାକଁରି ବୁଡ଼ିଯିବ, ଲୋକେ ଚାଲିଯିବେ । ଏକା ରହିଯିବେ ଝାଙ୍କରଙ୍କ ପରିବାର । ସେମାନେ ଏବେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଝାଙ୍କର ଦୀର୍ଜୁ ପୁଟା ।

ସୂଚନାଯୋଗ୍ୟ, ଲୋଇସିଂହା ବ୍ଲକ ବାନିପାଲି ପଞ୍ଚାୟତ ତବଲବାଞ୍ଜି ଗାଁରେ ଦୀର୍ଜୁଙ୍କ ପରିବାର ଚାରିପିଢ଼ି ହେଲା ରହିଆସୁଛନ୍ତି । ତାଙ୍କ ପଣିଅଜାଙ୍କ ସମୟରେ ଗାଁକୁ ଭଲ ରାସ୍ତାଟିଏ ନ ଥିଲା । କେତେକ ଆଦିବାସୀ ପରିବାର ସହ ସେଠାରେ ଗାଁ ଗଢ଼ିଉଠିଥିଲା । ସମୟକ୍ରମେ ଅନ୍ୟଜାତି ସମ୍ପ୍ରଦାୟର ଲୋକ ଆସି ସେଠାରେ ରହିଲେ । ଆଦିବାସୀ ପରିବାର ସଂଖ୍ୟା ଅଧିକ ଥିବାରୁ ଦୀର୍ଜୁଙ୍କ ପରିବାର ବଂଶାନୁକ୍ରମେ ସେଠାରେ ସ୍ଥାପିତ ଘସିଏନ ଦେବୀ ଓ ବୁଢ଼ାରଜାଙ୍କ ପୂଜା କରିଆସୁଥିଲେ । କିନ୍ତୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଯେତେବେଳେ ସର୍ଭେ ହେଲା ତବଲବାଞ୍ଜି ଗାଁ ପ୍ରଭାବିତ ହେବ ବୋଲି କୁହାଗଲା । ଗାଁକୁ ଆଂଶିକ ପ୍ରଭାବିତ ଭାବରେ ଚିହ୍ନଟ କରାଗଲା । କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ତାଲିକାରେ ଗାଁର ଅନ୍ୟମାନଙ୍କ ସହ ଝାଙ୍କର ଦୀର୍ଜୁଙ୍କ ନାଁ ମଧ୍ୟ ଆସିଲା । ହେଲେ ପରବର୍ତ୍ତୀ ସମୟରେ କ'ଣ ହେଲା କେଜାଣି ତାଙ୍କୁ ଅଯୋଗ୍ୟ ବୋଲି ବିବେଚିତ କରାଗଲା । ଦୀର୍ଜୁଙ୍କ ପରିବାରରେ ସ୍ତ୍ରୀ ଧେଇ, ଝିଅ ରିମା, ପୁଅ ମନୋରଞ୍ଜନ ରହିଛନ୍ତି । ଏବେ ସେମାନେ କ୍ଷତିପୂରଣ ପାଇବା ପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି ।

ଆଶ୍ଚର୍ଯ୍ୟର ବିଷୟ, ଦୀର୍ଜୁଙ୍କ ସାମ୍ନାରେ ଝାଁଙ୍କରି ବୁଡୁଛି । ପଛପଟେ କେତେକ ପଡ଼ୋଶୀଙ୍କ ଘର ବୁଡୁଛି । ପ୍ରଶାସନ ସର୍ଭେକରି ତାଙ୍କୁ କ୍ଷତିପୂରଣ ଏବଂ ପୁନର୍ବାସ ଯୋଗ୍ୟ ବୋଲି କହିସାରିଛି । ଖୁବ୍‌ଶୀଘ୍ର ସେମାନେ ଘରଛାଡ଼ି ଚାଲିଯିବେ । ତେବେ ଗ୍ରାମଦେବୀ ଏବଂ ପଡ଼ୋଶୀଙ୍କୁ ଛାଡ଼ି ଦୀର୍ଜୁ ଏକା କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସେ ବାରମ୍ବାର ଜିଲ୍ଲାପାଳ ଓ ସୁକତେଲ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ ହେଁ ସୁଫଳ ମିଳିନଥିବା କହିଛନ୍ତି ।

ଆହୁରି ପଢନ୍ତୁ- ନିଶା ବଳୟରେ ସମ୍ଵଲପୁର, ଶାଶୁ-ବୋହୂ ମିଶି ସ୍କୁଟିରେ କରୁଥିଲେ ଧଳାଜହର ବେପାର, ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ସ୍ଵାମୀ-ଶ୍ଵଶୁର

ପ୍ରକାଶ ଯେ, ସର୍ଭେ ସମୟରେ ତବଲବାଞ୍ଜି ଆଂଶିକ ପ୍ରଭାବିତ ଗାଁ ଭାବରେ ଚିହ୍ନଟ ହୋଇଛି । ଗାଁର ୧୦୦ଏକର ଜମି ଭିତରୁ ମାତ୍ର ୧୫ପ୍ରତିଶତ ଜମି ବୁଡ଼ିବ ବୋଲି ସର୍ଭେ ହୋଇଛି । ସେହି ୧୫ପ୍ରତିଶତ ଜମିରେ ସମ୍ପୂର୍ଣ୍ଣ ଗାଁ ରହିଛି । ହେଲେ ସର୍ଭେରେ ହୋଇଥିବା ଅନିୟମିତତା ଯୋଗୁଁ ଜଳସ୍ତର ନିକଟତର ଲୋକଙ୍କୁ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ ନକରି ଦୂରଦୂରାନ୍ତର ଲୋକଙ୍କୁ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଏପରିକି ଜମି ଅଧିଗ୍ରହଣ ପାଇଁ ପହଞ୍ଚିଥିବା ସୁକତେଲ କର୍ତ୍ତୃପକ୍ଷ ଏବଂ ପୁଲିସକୁ ଘେରି ପୁନଃସର୍ଭେ ପାଇଁ ଦାବି କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia