Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Mahakal Bhasma Aarti: ମହାକାଳଙ୍କ ଭସ୍ମ ଆରତୀ ପରମ୍ପରା, ଶବ ପାଉଁଶରେ ହେଉଥିଲା ପ୍ରସ୍ତୁତ

Mahakal Bhasma Aarti: ମହାକାଳଙ୍କ ଭସ୍ମ ଆରତୀ ପରମ୍ପରା, ଶବ ପାଉଁଶରେ ହେଉଥିଲା ପ୍ରସ୍ତୁତ

ଧ୍ୟପ୍ରଦେଶ, ୫।୮: ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିର ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ବାବା ମହାକାଳଙ୍କୁ 'କାଳଙ୍କର କାଳ' ବୋଲି କୁହାଯାଏ । ବିଶ୍ୱାସ ରହିଛି ଯେ, ତାଙ୍କର ଦର୍ଶନ ଏବଂ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ । ଏହି କାରଣରୁ ପ୍ରତିଦିନ ଦେଶ-ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ମହାକାଳଙ୍କ ଦର୍ଶନ ପାଇଁ ଉଜ୍ଜୟନ ଯାଇଥାନ୍ତି ।

ମହାକାଳ ମନ୍ଦିରର ସବୁଠାରୁ ସ୍ୱତନ୍ତ୍ର ଏବଂ ଅନନ୍ୟ ପରମ୍ପରା ହେଉଛି 'ଭସ୍ମ ଆରତୀ', ଯାହାକୁ ଦେଖିବା ପାଇଁ ଭକ୍ତମାନେ ରାତିରୁ ଧାଡ଼ିରେ ଲାଗିଥାନ୍ତି ।

ପୂର୍ବରୁ କ'ଣ ଶବର ପାଉଁଶରେ ହେଉଥିଲା ଭସ୍ମ ଆରତୀ ?

ବାବା ମହାକାଳଙ୍କ ଭସ୍ମ ଆରତୀକୁ ନେଇ ବର୍ଷ ବର୍ଷ ଧରି ଏହି ବିଶ୍ୱାସ ରହିଆସିଛି ଯେ, ପୂର୍ବକାଳରେ ଭଗବାନଙ୍କ ଶୃଙ୍ଗାର ଶ୍ମଶାନରେ ପୋଡ଼ୁଥିବା ଶବର ପାଉଁଶରେ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ପରମ୍ପରାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସମୟରେ ବାବା ମହାକାଳଙ୍କୁ ଅର୍ପଣ କରାଯାଉଥିବା ଭସ୍ମ କୌଣସି ଶବର ପାଉଁଶ ନୁହେଁ, ବରଂ ଏହାକୁ ଏକ ସ୍ୱତନ୍ତ୍ର ଧାର୍ମିକ ବିଧି ଏବଂ ପବିତ୍ରତା ସହ ପ୍ରସ୍ତୁତ କରାଯାଏ । ମହାନିର୍ବାଣୀ ଆଖଡ଼ାର ମହନ୍ତ ଭିନୀତ ଗିରି ମହାରାଜଙ୍କ ଅନୁଯାୟୀ, ବର୍ତ୍ତମାନ ମହାକାଳଙ୍କୁ ଅର୍ପଣ କରାଯାଉଥିବା ଭସ୍ମ ସମ୍ପୂର୍ଣ୍ଣ ଭାବେ ବୈଦିକ ପରମ୍ପରା ଅନୁଯାୟୀ ପ୍ରସ୍ତୁତ କରାଯାଇଥାଏ । ଏହାର ନିର୍ମାଣରେ ପବିତ୍ରତାର ବିଶେଷ ଧ୍ୟାନ ରଖାଯାଏ ।

କିପରି ପ୍ରସ୍ତୁତ ହୁଏ ମହାକାଳଙ୍କ ପବିତ୍ର ଭସ୍ମ ?

ମହନ୍ତ ଭିନୀତ ଗିରି ମହାରାଜ କହିଛନ୍ତି ଯେ, ଭସ୍ମ ପ୍ରସ୍ତୁତି ପାଇଁ ସର୍ବପ୍ରଥମେ କପିଳା ଗାଈର ଗୋବର ଘଷି ସଂଗ୍ରହ କରାଯାଏ । ଏହାପରେ ଏହି ଘଷିଗୁଡ଼ିକୁ ପିପଳ, ବଡ଼, ଶମୀ, ପଳାଶ, ବେଗୁନିଆ ଆଦି ଅନେକ ପବିତ୍ର ଏବଂ ଔଷଧୀୟ ବୃକ୍ଷର କାଠ ଏବଂ ଅନ୍ୟାନ୍ୟ ସାମଗ୍ରୀ ସହ ମହାକାଳ ମନ୍ଦିରରେ ଜଳୁଥିବା ଅଖଣ୍ଡ ଧୂନିରେ ପ୍ରଜ୍ୱଳିତ କରାଯାଏ । ଅଗ୍ନିର ସେହି ପାଉଁଶକୁ ସତର୍କତାର ସହ ବାହାର କରାଯାଏ । ଏହାପରେ ଏହି ପାଉଁଶକୁ ୩ ରୁ ୪ ଥର ଭଲଭାବେ ଚଣାଯାଏ, ଯେପରି ଏହା ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଯିବ । ଏହି ସମଗ୍ର ପ୍ରକ୍ରିୟା ସମୟରେ ଶୁଦ୍ଧତା ଏବଂ ଧାର୍ମିକ ନିୟମଗୁଡ଼ିକର ବିଶେଷ ଧ୍ୟାନ ରଖାଯାଏ ।

ବୈଦିକ ମନ୍ତ୍ରୋଚ୍ଚାରଣ ସହ ଅର୍ପଣ କରାଯାଏ ଭସ୍ମ:

ପ୍ରତିଦିନ ଭୋର ସକାଳେ ସର୍ବପ୍ରଥମେ ବାବା ମହାକାଳଙ୍କ ଅଭିଷେକ, ପୂଜନ ଏବଂ ସ୍ୱତନ୍ତ୍ର ଶୃଙ୍ଗାର କରାଯାଏ । ଏହାପରେ ଶିବଲିଙ୍ଗକୁ ଏକ ପବିତ୍ର ବସ୍ତ୍ରରେ ଘୋଷାଯାଏ ଏବଂ ଶୁକ୍ଳ ଯୁର୍ବେଦର ମନ୍ତ୍ରୋଚ୍ଚାରଣ ମଧ୍ୟରେ ମହାନିର୍ବାଣୀ ଆଖଡ଼ାର ସନ୍ଥମାନେ ବାବା ମହାକାଳଙ୍କୁ ଏହି ପବିତ୍ର ଭସ୍ମ ଅର୍ପଣ କରନ୍ତି । ଏହି ପ୍ରକ୍ରିୟାକୁ ହିଁ 'ଭସ୍ମ ଆରତୀ' କୁହାଯାଏ । ବିଶ୍ୱାସ ରହିଛି ଯେ, ଏହି ଆରତୀର ଦର୍ଶନ କରିବା ଏବଂ ପ୍ରସାଦ ସ୍ୱରୂପ ମିଳୁଥିବା ଭସ୍ମ ଗ୍ରହଣ କରିବା ଦ୍ୱାରା ଭଗବାନ ମହାକାଳଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଜୀବନର ସମସ୍ତ କଷ୍ଟ, ରୋଗ ଓ ଦୁଃଖ ଦୂର ହୋଇଥାଏ ।

ଏହା ବି ପଢ଼ନ୍ତୁ... Tulsi Vastu Tips : ଶ୍ରାବଣରେ ତୁଳସୀ ଗଛ ଲଗାଇବାର ବାସ୍ତୁ ନିୟମ, ଗଡ଼ବଡ଼ ହେଲେ ଘରକୁ ଆସିବନି ସୁଖ-ସମୃଦ୍ଧି

ଭସ୍ମ ଆରତୀ ସହ ଜଡ଼ିତ ପୌରାଣିକ କାହାଣୀ:

ଭସ୍ମ ଆରତୀର ପରମ୍ପରା ପଛରେ ଏକ ପ୍ରାଚୀନ ପୌରାଣିକ କାହାଣୀ ମଧ୍ୟ ପ୍ରଚଳିତ ଅଛି । ବିଶ୍ୱାସ ଅନୁଯାୟୀ, ଉଜ୍ଜୟନରେ ଦୂଷଣ ନାମକ ଜଣେ ରାକ୍ଷସ ଉତ୍ପାତ ରଚିଥିଲା । ତା'ର ଅତ୍ୟାଚାରରେ ଅତିଷ୍ଠ ହୋଇ ବ୍ରାହ୍ମଣମାନେ ଭଗବାନ ଶିବଙ୍କୁ ରକ୍ଷା ପାଇଁ ପ୍ରାର୍ଥନା କରିଥିଲେ। ଭଗବାନ ଶିବ ପ୍ରଥମେ ଦୂଷଣକୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ନ ମାନିବାରୁ ଭଗବାନ କ୍ରୋଧିତ ହୋଇ ତାକୁ ବଧ କଲେ ଏବଂ ଭସ୍ମ କରିଦେଲେ । ଏହାପରେ ଭଗବାନ ଶିବ ସେହି ଭସ୍ମକୁ ନିଜ ଶରୀରରେ ଲଗାଇ ଶୃଙ୍ଗାର କରିଥିଲେ । ସେହିଦିନଠାରୁ ଭଗବାନ ଶିବଙ୍କୁ ଭସ୍ମ ଅର୍ପଣ କରିବାର ପରମ୍ପରା ଆରମ୍ଭ ହୋଇଛି ।

ମହାକାଳେଶ୍ୱର ମନ୍ଦିରର ପୂଜାରୀ ପଣ୍ଡିତ ମହେଶ ଶର୍ମାଙ୍କ କହିବାନୁଯାୟୀ, ମାତା ସତୀଙ୍କ ଦେହତ୍ୟାଗ ପରେ ଯେତେବେଳେ ଭଗବାନ ଶିବ ତାଙ୍କ ଶରୀରକୁ କାନ୍ଧରେ ପକାଇ ଭ୍ରମଣ କରୁଥିଲେ, ସେତେବେଳେ ସେ ଅତ୍ୟନ୍ତ କ୍ରୋଧିତ ଥିଲେ । କୁହାଯାଏ ଯେ, ଯେତେବେଳେ ମାତା ସତୀଙ୍କ ଭସ୍ମ ଭଗବାନ ଶିବଙ୍କ ଶରୀର ଉପରେ ପଡ଼ିଲା, ସେତେବେଳେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା । ଏହି କାରଣରୁ ଭସ୍ମକୁ ଭଗବାନ ଶିବଙ୍କର ଅତିପ୍ରିୟ ବସ୍ତୁ ବୋଲି ମାନାଯାଏ । ମହାକାଳ ମନ୍ଦିରର ଭସ୍ମ ଆରତୀ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଆସ୍ଥା, ପରମ୍ପରା ଏବଂ ସନାତନ ସଂସ୍କୃତିର ଏକ ଜୀବନ୍ତ ପ୍ରତୀକ । ସମୟ ସହିତ ଏହାର ପ୍ରକ୍ରିୟାରେ ପରିବର୍ତ୍ତନ ଆସିଛି, କିନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ଆଜି ମଧ୍ୟ ପୂର୍ବଭଳି ଅକ୍ଷୁର୍ଣ୍ଣ ରହିଛି । ପ୍ରତିଦିନ ସକାଳେ ହେଉଥିବା ଏହି ଆରତୀ ଦେଶ-ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia