ମହାରାଷ୍ଟ୍ର,୧/୯ : ହାତରେ ଚପଲ, ମନରେ ବେଶ ଉତ୍ସାହ । ପାଦ ସିନା ଖାଲି ଥିଲା ହେଲେ ମନୋବଳ ଭାଙ୍ଗି ନ ଥିଲା । ଗୋଟିଏ ବିଶ୍ବାସ ମୁଁ ଜିତିବି, ମୋ ପିଲାମାନଙ୍କ ମୁହଁରେ ହସ ଫୁଟାଇବି । ଏ ଥିଲା ଗୋଟିଏ ମା'ର ଚିତ୍ର । ପାଦ ଯେତିକି ଆଗଉ ଥାଏ ଲକ୍ଷ୍ୟ ଆହୁରି ଶକ୍ତିଶାଳୀ ହେଉଥାଏ । ମହାରାଷ୍ଟ୍ରର ଏ ଚିତ୍ର ଆଜି ସମସ୍ତଙ୍କୁ ଚକିତ କରିଛି ।
ଗୋଟିଏ ମା' ପାଇଁ ହିଁ ଏହା ସମ୍ଭବ ହୋଇପାରେ । ତା'ର ପିଲାମାନେ କେମିତି ଭଲରେ ଦୁଇ ମୁଠା ଖାଇବେ ଓ ପାଠ ପଢିବେ ତାକୁ ହିଁ ମନରେ ନେଇ ରେଶରେ ଭାଗ ନେଇଥିଲେ । ଯାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।
ରମାବାଇ ରଣବୀର । ମହାରାଷ୍ଟ୍ରରେ ରହିଥାନ୍ତି । ଆଜି ସେ ରେଶରେ ଜିତିବା ପରେ ସରକାର ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ମହାରାଷ୍ଟର ସରକାର ରମାବାଇଙ୍କୁ ସାହାଯ୍ୟ କରିବେ । ଖାଲି ପାଦରେ ମାରାଥନ ଦୌଡ଼ି ରମାବାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଦୌଡ଼ ସେ ତାଙ୍କ ପିଲାମାନଙ୍କ ପାଠ ପଢା ଲାଗି କରିଥିଲେ । ଏଭଳି ସ୍ଥଳେ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି କି ସେ ତାଙ୍କ ଝିଅଙ୍କ ପାଠ ପଢା ଲାଗି ଆର୍ଥିକ ରୂପରେ ସାହାଯ୍ୟ କରିବେ । ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ସଞ୍ଜୟ ଶିରସାଟ କହିଛନ୍ତି କି, ରାଜ୍ୟ ସରକାର ରମାବାଇଙ୍କୁ ତାଙ୍କ ଝିଅଙ୍କ ପାଠ ପଢା ଏବଂ ପରିବାର ଭରଣ ପୋଷଣ ଲାଗି ସହାୟତା ଦେବେ ।
ପ୍ରକାଶ ଯେ, ଅମ୍ବାଜୋଗାଇର ବିଡ ଜିଲ୍ଲାରେ ରହୁଥିବା ରମାବାଇ ଏକ ଏକାଡେମୀରେ ରୋଷେଇୟା ଭାବେ କାମ କରୁଛନ୍ତି । ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ବାମୀଙ୍କ ନିଧନ ହୋଇଥିଲା । ଏହାପରେ ଦୁଇ ଝିଅଙ୍କ ଭରଣ ପୋଷଣ ଏବଂ ପୂରା ଦାୟିତ୍ବ ତାଙ୍କ କାନ୍ଧରେ ଥିଲା । ଆର୍ଥିକ ସଙ୍କଟ ପରେ ବି ସେ ଝିଅମାନଙ୍କ ପାଠପଢା ଛଡ଼ାଇ ନ ଥିଲେ । ନିକଟରେ ଅମ୍ବାଜୋଗାଇରେ ଏକ ମାରାଥନ ପ୍ରତିଯୋଗିତା ହୋଇଥିଲା । ଯେଉଁଥିରେ ସେ ଭାଗ ନେଇଥିଲେ। ଦୌଡ଼ିବା ସମୟରେ ଚପଲ ଖସିବାକୁ ଲାଗିଥିଲା । ପରେ ସେ ଚପଲକୁ ହାତରେ ନେଇଥିଲେ ଏବଂ ଯୁବ ଧାବକଙ୍କୁ ପଛରେ ପକାଇ ଖାଲି ପାଦରେ ଦୌଡ଼ିବାକୁ ଲାଗିଥିଲେ । ରେଶରେ ସେ ପ୍ରଥମ ସ୍ଥାନ ହାସଲ କରି ୩,୦୦୦ଟଙ୍କାର ନଗଦ ରାଶି ଜିତିଥିଲେ । ଯାହାର ବ୍ୟବହାର ସେ ତାଙ୍କ ଝିଅଙ୍କ ପାଠ ପଢାରେ କରିବେ ବୋଲି କହିଛନ୍ତି ।

